ଶ୍ରାବଣର ଶେଷ ଦିନରେ କାଳ ବୈଶାଖୀ: ବଜ୍ରପାତରେ ୩ ଚାଷୀଙ୍କ ସମେତ ୬ ଜଣଙ୍କ ମୃତ୍ୟୁ

ବାଲେଶ୍ୱର/ଭଦ୍ରକ: ଶ୍ରାବଣ ମାସର ଶେଷ ଦିନରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ଦେଖିବାକୁ ମିଳିଛି। ବର୍ଷାକୁ ଅପେକ୍ଷା କରିଥିବା ୩ ଜଣ ଚାଷୀଙ୍କର ମୃତ୍ୟୁ ଘଟିଛି। ଏଥି ସହିତ ଅନ୍ୟ ୩ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଛି। ତିନି ଜଣ ଚାଷୀ ହେଲେ ମଥୁରୀ ଦାସ  (୪୩), ନିତ୍ୟାନନ୍ଦ ବିଶ୍ୱାଳ (୪୬) ଓ ଆନନ୍ଦ ଦାସ (୫୫) । ଅନ୍ୟ ୩ ଜଣ ହେଲେ ରମାକାନ୍ତ ବେଜ (୪୦), ସୁଶାନ୍ତ (୧୫) ଓ ଆଶା ବେହେରା(୧୨)।

ବାଲେଶ୍ୱର ଜିଲ୍ଲାର ନୀଳଗିରି ବ୍ଲକ ଅନ୍ତର୍ଗତ ଅରବନ୍ଧ ଗାଁରେ ନିତ୍ୟାନନ୍ଦ ବିଲରେ ଛିଡ଼ା ହୋଇଥିବା ବେଳେ ବଜ୍ରପାତ ହୋଇଥିଲା। ସେଠାରେ ସେ ପଡ଼ିଯିବା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ବରହମପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଡାକ୍ତର ସେଠାରେ ନିତ୍ୟାନନ୍ଦଙ୍କୁ ମୃତ ଘୋଷଣା କରିଥିଲେ।

ଆଜି ଅପରାହ୍ନରେ ଆଶା ସବୁ ବର୍ଷ ଭଳି ନିଜ ସମ୍ପର୍କୀୟ ଭାଇ ସୁଶାନ୍ତଙ୍କୁ ରାଖୀ ବାନ୍ଧିବାକୁ ଆସିଥିଲେ। ରାଖୀ ବାନ୍ଧିସାରିବା ପରେ ଘର ପିଣ୍ଡାରେ ବସି ପରିବାରର ସମସ୍ତେ ବସି ଗପସପରେ ମାତିଥିଲେ। ସେମାନଙ୍କ ସହ ମିଶିଯାଇଥିଲେ ସୁଶାନ୍ତଙ୍କ ବଡ଼ ଭଉଣୀ ରଙ୍ଗଲତା ଓ ଭିଣୋଇ ବିଜୟ। କରୋନା ସ୍ଥିତିରେ ଅନେକ ଦିନ ପରେ ସମସ୍ତଙ୍କର ଦେଖା ହୋଇଥିଲା। ତେଣୁ ସମସ୍ତେ ବହୁତ ଖୁସି ଥିଲେ। ହେଲେ କିଏ ଜାଣିଥିଲା, ଏ ଖୁସି ମାତ୍ର କେଇ ମୁହୂର୍ତ୍ତ ପାଇଁ। ହଠାତ ପ୍ରବଳ ବର୍ଷା ସାଙ୍ଗକୁ ତୁହାକୁତୁହା ଘଡ଼ଘଡ଼ି ମାରିଥିଲା। ଘଟଣାସ୍ଥଳରେ ହିଁ ଟଳିପଡ଼ିଥିଲେ ସୁଶାନ୍ତ ଓ ଆଶା।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନ ବାଲିଗାଁ ଦାସସାହିର ଗଙ୍ଗାଧର ଦାସଙ୍କ ସାନପୁଅ ମଥୁରୀ ଦାସ ବିଲରେ ଧାନ ତଳି ରୋଉ ଥିବା ବେଳେ ବଜ୍ରଘାତ ଯୋଗୁଁ ଜୀବନ ହରାଇଛନ୍ତି। ବଜ୍ରପାତ ପରେ ତାଙ୍କୁ ଅନ୍ୟ ଚାଷୀମାନେ ତୁରନ୍ତ ଏକ ଅଟୋ ସାହାଯ୍ୟରେ ଚାନ୍ଦବାଲି ମେଡ଼ିକାଲକୁ ନେଇଆସିଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଭଦ୍ରକ ଜିଲ୍ଲା ତିହିଡି ବ୍ଳକ ଗୋବିନ୍ଦପୁର ପଞ୍ଚାୟତ ପଇତିପୁର ଗାଁର ଚାଷୀ ଆନନ୍ଦ ଦାସ (୫୫) ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ମୃତ୍ୟୁ ହୋଇଛି। ପାଖରେ କାମ କରୁଥିବା ଲୋକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ତିହିଡ଼ି ଡାକ୍ତରଖାନାକୁ ଆଣିଥିଲେ ମଧ୍ୟ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ଚାନ୍ଦବାଲି ଶାସ୍ତ୍ରୀଘାଟ ନିକଟରେ ଓଳାଭର ବାସିନ୍ଦା ଦିନବଂଧୁ ବେଜଙ୍କ ପୁଅ ରମାକାନ୍ତ ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ଦେଉଳି ଗାଁରେ  ଘର ନିର୍ମାଣ ପାଇଁ ସରାଞ୍ଜମ କିଣୁଥିବା ବେଳେ ବଜ୍ରାଘାତ ହୋଇଥିଲା। ଫଳରେ ସେ ଘଟଣାସ୍ଥଳରେ ଟଲିପଡ଼ିଥିଲେ। ସେଠାରେ ଉପସ୍ଥିତ ଲୋକେ ତାଙ୍କୁ ରାସ୍ତା ଉପରୁ ଉଠାଇ ଦେଇ ଏକ ବାରଣ୍ଡାରେ ଶୁଆଇ ଦେଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି।

 

ସମ୍ବନ୍ଧିତ ଖବର