ପୁଲିସର ସଫଳତା: ପିଏଲ୍‌ଏଫ୍‌ଆଇର ଆଉ ୬ଜଣ ସଦସ୍ୟ ଗିରଫ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ସାମିଲ

ରାଉରକେଲା: ପିପୁଲ୍‌ ଲିବରେସନ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଲ୍‌ଏଫ୍‌ଆଇ) ବିରୋଧରେ ସୁନ୍ଦରଗଡ଼ ଜିଲ୍ଲା ପୁଲିସକୁ ବଡ଼ ଧରଣର ସଫଳତା ମିଳିଛି। ସୁନ୍ଦରଗଡ଼ ଜିଲ୍ଲା ପୁଲିସ ସୋମବାର ପୁଣି ଥରେ ପିଏଲଏଫ୍‌ଆଇର ୬ଜଣ ସଦସ୍ୟଙ୍କୁ ଗିରଫ କରିଛି। ପୁଲିସ ଅଧୀକ୍ଷକ ପିନାକ ମିଶ୍ରଙ୍କ ନେତୃତ୍ୱରେ ବୀରମିତ୍ରପୁର ପୁଲିସ ଓ କୁଆରମୁଣ୍ଡା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପିଏଲ୍‌ଏଫ୍‌ଆଇର ସଦସ୍ୟମାନଙ୍କୁ ଗିରଫ କରିଛି। ଏଥିରେ ଅବସରପ୍ରାପ୍ତ ସେନା କର୍ମଚାରୀ ସାମିଲ ଥିବା ବିଶେଷ ସୂତ୍ରରୁ ସୂଚନା ମିିଳିଛି। ପୁଲିସ ସୂତ୍ରରୁ ମିିଳିଥିବା ସୂଚନା ଅନୁସାରେ ବଡ଼ବିଲରୁ ଅବସରପ୍ରାପ୍ତ ଆର୍ମି କ୍ୟାପଟେନ୍‌ ଯଦୁମଣି ପାତ୍ର, କୁଆାଁରମୁଣ୍ଡା ଥାନାର କାଦେବାହାଲରୁ ସନ୍ଦୀପ ଏକ୍କା, ଜାମବାହାଲରୁ ବୁତରୁ ଖଡ଼ିଆ, ଗୋବିରାରୁ ରିବା ଖାଲକୋ, ବୀରମିତ୍ରପୁର ଥାନା ଅନ୍ତର୍ଗତ ଗାନ୍ଧୀରୋଡ଼ରୁ ସୁରଜ ସାହୁ ଓ କୁଲୁ ଓରଫ ବିଶାଳ ଠାକୁର ଗିରଫ ହୋଇଛନ୍ତି।

ସୂଚନାଯୋଗ୍ୟ, ପିଏଲ୍‌ଏଫ୍‌ଆଇ ଜୋନାଲ୍‌ କମିଟି ସଭ୍ୟ ଅର୍ଜୁନ ରାଣା ଏବଂ କୋଇଡ଼ା ବଡ଼ବିଲ୍‌ ଏରିଆ କମାଣ୍ଡର ସୂର୍ଯ୍ୟାଙ୍କ ସମେତ ୭ ଜଣ ରବିବାର ପୁଲିସ ହାତରେ ଧରାପଡ଼ିଥିଲେ। ସେମାନଙ୍କ ଠାରୁ ଗୋଟିଏ କାରବାଇନ୍‌, ତିନି ବନ୍ଧୁକ, ଦୁଇଟି ପିସ୍ତଲ୍‌ ସମେତ ୫୦ ରାଉଣ୍ଡ ଗୁଳି ଜବତ ହୋଇଛି। ଏହି ସଂଗଠନ ସହ ସମ୍ପୃକ୍ତ ସୁନ୍ଦରଗଡ଼ ଜିଲ୍ଲାର ୧୦ରୁ ଅଧିକ ଅପରାଧୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ଧରିବା ପାଇଁ ସୁନ୍ଦରଗଡ଼ ପୁଲିସ ପକ୍ଷରୁ ଚଢ଼ଉ ଚାଲିଛି। ବଛା ବଛା ସଦସ୍ୟ ଧରାପଡ଼ିଥିବାରୁ ପୁଲିସର ଏହି ଚଢ଼ଉ ପିଏଲ୍‌ଏଫ୍‌ଆଇ ସଂଗଠନ ପାଇଁ ଶକ୍ତ ଧକ୍କା ସଦୃଶ ହୋଇଛି।

କୁଆରମୁଣ୍ଡା ଫାଣ୍ଡି ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୁନ୍ଦରଗଡ଼ ଏସ୍‌ପି ପିନାକ ମିଶ୍ର କହିଛନ୍ତି, ଗତ ସେପ୍ଟେମ୍ବର ୨୯ ରାତିରେ କୁଆରମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ଖୁଖୁଣ୍ଡବାହାଲ ଜଙ୍ଗଲରେ ପିଏଲ୍‌ଏଫ୍‌ଆଇ ସଦସ୍ୟମାନେ ଏକଜୁଟ୍‌ ହୋଇ ଅପରାଧ ଯୋଜନା ପ୍ରସ୍ତୁତ କରୁଥିଲେ। ଏ ସମ୍ପର୍କରେ ଖବର ପାଇ ସୁନ୍ଦରଗଡ଼ ଏସ୍‌ପି ବୀରମିତ୍ରପୁର ଏସ୍‌ଡିପିଓ ପ୍ରକାଶ ପାତ୍ର, ଥାନା ଅଧିକାରୀ କୈଳାସ ଚନ୍ଦ୍ର ଆଚାର୍ଯ୍ୟ ଓ କୁଆରମୁଣ୍ଡା ଫାଣ୍ଡି ଅଧିକାରୀ ମନୋଜ କୁମାର ନାୟକଙ୍କୁ ନେଇ ଏକ ଟିମ୍‌ ଗଠନ କରି ସେମାନଙ୍କୁ ଧରିବା ପାଇଁ ଅତର୍କିତ ଚଢଉ କରିଥିଲେ।

ପୁଲିସ ଘଟଣାସ୍ଥଳରୁ ପିଏଲ୍‌ଏଫ୍‌ଆଇ ଝାଡ଼ଖଣ୍ଡ ଏବଂ ଓଡ଼ିଶା ଜୋନାଲ୍‌ କମିଟି ସଦସ୍ୟ ଅର୍ଜୁନ ରାଣା ଓରଫ କପିଳ ପାଠକ ଓରଫ ରାହୁଳ (୨୮)ଙ୍କ ସମେତ ୪ ଜଣଙ୍କୁ ଗିରଫ କରିଥିଲା। ଅର୍ଜୁନଙ୍କ ଘର ଆସାମ ରାଜ୍ୟର ଧେମଜୀ ଜିଲ୍ଲା କଚୁଟୋଲି ଅଞ୍ଚଳରେ। ତାଙ୍କ ଠାରୁ ୯ ଏମ୍‌ଏମ୍‌ କାରବାଇନ୍‌ ମେସିନ୍‌ ଗନ୍‌, ୪ ରାଉଣ୍ଡ ଜୀବନ୍ତ ଗୁଳି ଜବତ ହୋଇଥିଲା। କୋଇଡା ଏବଂ ବଡବିଲ୍‌ ଅଞ୍ଚଳର ପିଏଲ୍‌ଏଫଆଇ ଏରିଆ କମାଣ୍ଡର ସୂର୍ଯ୍ୟ ଓରଫ ଖ୍ରୀଷ୍ଟ ପାଉଲୁସ୍‌ ସୋଏ ଓରଫ ପାଉଲୁସ୍‌ ମୁଣ୍ଡା ଓରଫ କିରନ ସୋଏ ମଧ୍ୟ ଧରାପଡ଼ିଥିଲା। ତାଙ୍କ ଘର କୋଇଡ଼ାର କୁସୁମଡିହି ଗ୍ରାମରେ। ତାଙ୍କ ଠାରୁ ୯ ଏମ୍‌ଏମ୍‌ ପିସ୍ତଲ ଓ ୩ ରାଉଣ୍ଡ ଗୁଳି ଜବତ ହୋଇଛି।

ପିଏଲ୍‌ଏଫଆଇ କ୍ୟାଡର ସଦସ୍ୟ ଯୋଗେଶ୍ୱର ସିଂହ ଓରଫ ଭକୁଡୁ ପୁଲିସ ହାତରେ ଧରା ପଡିଥିଲା। ସେ ଝାଡ଼ଖଣ୍ଡ ଖୁଣ୍ଟି ଜିଲ୍ଲା ଗୁଫୁ ଗ୍ରାମର ବାସିନ୍ଦା। ତା’ ଠାରୁ ଗୋଟିଏ ଡିବିବିଏଲ ବନ୍ଧୁକ ଏବଂ ୮ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯାଇଛି। ଝାଡ଼ଖଣ୍ଡ ଖୁଣ୍ଟି ଜିଲ୍ଲା ହଡାଟ୍‌ଲାମା ଗ୍ରାମର ପିଏଲ୍‌ଏଫଆଇ ସଦସ୍ୟ ସୁନ୍ଦର ଓରିଆ ଓରଫ ସୁନିଲ୍‌ଙ୍କୁ ବି ପୁଲିସ ଗିରଫ କରିଥିଲା। ସୁନିଲ୍‌ ଠାରୁ ଗୋଟିଏ ଡିବିବିଏଲ୍‌ ବନ୍ଧୁକ ଓ ୯ ରାଉଣ୍ଡ ଜୀବନ୍ତ ଗୁଳି ମିଳିଥିଲା। ଗିରଫ ୪ ଜଣଙ୍କୁ ପଚରା ଉଚରା ବେଳେ ସେମାନଙ୍କୁ ସହଯୋଗ କରୁଥିବା ବହୁ ଯୁବକଙ୍କ ନାମ ଜଣାପଡ଼ିଥିଲା। ଏହି ସୂଚନା ଆଧାରରେ ପୁଲିସ ଚଢ଼ଉ କରି କୁଆରମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ଡୁମେରଜୋର ଗ୍ରାମରେ ଚଢ଼ଉ କରି ମାନୁ କୁଜୁରଙ୍କୁ ଗିରଫ କରିଥିଲେ। ତାଙ୍କ ଘରୁ ଗୋଟିଏ ଡିଡିବିଏଲ ବନ୍ଧୁକ ଏବଂ ୧୨ ରାଉଣ୍ଡ ଜୀବନ୍ତ ଗୁଳି ମିଳିଥିଲା। ମାନୁ ରାଉରକେଲା ଇସ୍ପାତ କାରଖାନାରେ କାମ କରୁଥିବା ଜଣାପଡ଼ିଛି। ଝାଡ଼ଖଣ୍ଡ ସୀମଡେଗା ଜିଲ୍ଲା ଅନ୍ତର୍ଗତ ଜରୋବାଡ଼ି ଅଞ୍ଚଳର ମାନୁଏଲ ଭେଙ୍ଗ୍ରା ଓରଫ ମୋନୁ ଏବଂ ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ଜଗଦୀଶପୁର ଗ୍ରାମର ରାଜ ମୋହନ କିସାନ ଓରଫ ଟିଙ୍କୁଙ୍କୁ ପୁଲିସ ଗିରଫ କରିଥିଲେ। ମାନୁଏଲ ଓ ରାଜ ମୋହନ ପିଏଲ୍‌ଏଫଆଇର ସହଯୋଗୀ ଭାବେ କାର୍ଯ୍ୟ କରୁଥିଲେ।

ଗତ କିଛି ବର୍ଷ ହେଲା ଝାଡ଼ଖଣ୍ଡ ଏବଂ ଓଡ଼ିଶା ଜୋନାଲ୍‌ କମିଟି ସଦସ୍ୟ ଅର୍ଜୁନ ରାଣାଙ୍କ ନେତୃତ୍ୱରେ ସୁନ୍ଦରଗଡ଼ ଜିଲ୍ଲାରେ ପିଏଲ୍‌ଏଫଆଇ ସଂଗଠନ କାୟା ବିସ୍ତାର କରିଥିଲା। ସଂଗଠନ ସଦସ୍ୟମାନେ ପୁଞ୍ଜିପତି, ଶିଳ୍ପପତି, ସରକାରୀ ଅଧିକାରୀଙ୍କ ଠାରୁ ମୋଟା ଅଙ୍କର ବଟି ଆଦାୟ କରୁଥିଲେ। କିଛି ଦିନ ପୂର୍ବେ କୁଆରମୁଣ୍ଡା ପୁଲିସ ପିଏଲ୍‌ଏଫ୍‌ଆଇର ୩ ଜଣ ଦୁର୍ଦାନ୍ତ ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସମ୍ବନ୍ଧିତ ଖବର