ଗଞ୍ଜାମ: ବନ୍ୟା ପାଣିରେ ଭାସିଗଲେ ୨ ପରିବାରର ୬ ଜଣ ଲୋକ

ଫୁଲିଲା ଋଷିକୁଲ୍ୟା ଓ ଜଳକା ନଦୀ

ଭଞ୍ଜନଗର: ସାମୁଦ୍ରିକ ଝଡ଼ ‘ତିତ୍‌ଲି’ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଓ ପରେ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଗୋଟିଏ ପରିବାରର ୬ ଜଣ ଭାସି ଯାଇଛନ୍ତି। ଇନ୍ଦିରା ଆବାସରେ ଆଶ୍ରୟ ନେଇଥିବା ବେଳେ ଅଡାଙ୍ଗି ନାଳରେ ପାଣି ଆସିବାରୁ ଗାଜଲବାଡି ପଞ୍ଚାୟତର ଭୂତପଙ୍କାଳ ଗାଁର ୬ ଜଣ ଲୋକ ଭାସି ଯାଇଛନ୍ତି। ଗୋଟିଏ ପରିବାରର ୪ ଜଣ ସଦସ୍ୟ ଥିବା ବେଳେ ଅନ୍ୟ ପରିବାରରୁ ୨ଜଣ ଲୋକଙ୍କୁ ପାଣି ଠେଲି ନେଇଛି। ସ୍ଥାନୀୟ ଲୋକମାନେ ପାଣିରେ ଭାସିଯାଇଥିବା ଲୋକଙ୍କୁ ଖୋଜୁଥିଲେ ମଧ୍ୟ ପାଉ ନାହାନ୍ତି। ରିପୋର୍ଟ ଲେଖାଯିବା ବେଳକୁ ସମସ୍ତେ ନିଖୋଜ ଅଛନ୍ତି।

ବିଜୟ ମଳିକ, ତାଙ୍କ ସ୍ତ୍ରୀ ରଜନୀ ମଳିକ, ପୁଅ ମଧୁ ମଳିକ ଓ ବୋହୂଙ୍କ ଏକ ଇନ୍ଦିରା ଆବସରେ ଆଶ୍ରୟ ନେଇଥିଲେ। ସେହିପରି ପାଖରେ ଗାଁର ପଡୋଶୀ ପ୍ରଫୁଲ୍ଲ ମଳିକ ଓ ନକୁଳ ମଳିକ ଛିଡ଼ା ହୋଇଥିଲେ।

‘ତିତ୍‌ଲି’ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଋଷିକୁଲ୍ୟା ଓ ଉତ୍ତର ଓଡ଼ିଶାର ଜଳକା ନଦୀ ଫୁଲି ଉଠିଛି। ପ୍ରବଳ ବର୍ଷା ଯୋଗୁଁ ନଦୀର ଜଳସ୍ତର ବଢ଼ିଛି। ଋଷିକୁଲ୍ୟା ନଦୀରେ ଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଆସ୍କାଠାରେ ଋଷିକୁଲ୍ୟାରେ ୧୩ ଫୁଟ ପାଣି ପ୍ରବାହିତ ହେଉଛି। ଆସ୍କା-ବ୍ରହ୍ମପୁର ଜାତୀୟ ରାଜପଥରେ ୩ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଥିବା ବେଳେ ଆସ୍କା-ସୋରୋଡା ଜାତୀୟ ରାଜପଥ ଉପରେ ମଧ୍ୟ ପାଣି ପ୍ରବାହିତ ହେଉଛି। ଫଳରେ ଯାତାୟତ ଏକ ପ୍ରକାରର ବାଧାପ୍ରାପ୍ତ ହୋଇଛି। ଧରାକୋଟ ବ୍ଲକର ରେଡି ଦାମୋଦରପଲ୍ଲୀ ଗାଁରେ ୫ ଫୁଟ ପାଣି ପଶିଛି। ଫଳରେ ଏହି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି।

ସମ୍ବନ୍ଧିତ ଖବର