କଟକ କ୍ୟାନସର ହସ୍‌ପିଟାଲରୁ ପୁଣି ୪ ଜଣ ରୋଗୀ ସମେତ ୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ

ଗତକାଲି ୨ ଜଣ କରୋନା ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଥିଲେ

କଟକ: ସ୍ଥାନୀୟ ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍‌ପିଟାଲରେ ପୁଣି ୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରେ ୪ ଜଣ ରୋଗୀ ଥିବା ବେଳେ ଅନ୍ୟ ଦୁଇ ଜଣ ହେଉଛନ୍ତି ଆଟେଣ୍ଡାଣ୍ଟ ଓ ଆହାର କେନ୍ଦ୍ରର କର୍ମଚାରୀ ବୋଲି ଜଣାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସତ୍ୟବ୍ରତ ଛୋଟରାୟ ଏହି ସୂଚନା ଦେଇଛନ୍ତି। ତେବେ କ୍ୟାନସର ହସ୍‌ପିଟାଲରେ ଏପର୍ଯ୍ୟନ୍ତ ୫ ଜଣ ରୋଗୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ୯ରେ ପହଞ୍ଚିଛି।

ଗତକାଲି ୨ ଜଣ କରୋନା ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଥିଲେ। ହସ୍‌ପିଟାଲର ଜଣେ ପୁରୁଷ ଓ ଜଣେ ମହିଳା ନର୍ସ କରୋନା ଭାଇରସରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ହସ୍‌ପିଟାଲର ନିର୍ଦ୍ଦେଶକ ଲଲାଟେନ୍ଦୁ ଷଡ଼ଙ୍ଗୀ ଏହି ସୂଚନା ଦେଇଥିଲେ।

କିଛି ଦିନ ତଳେ ଏଠାରେ ଗଂଜାମ ଜିଲ୍ଲାର ଜଣେ ରୋଗୀ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ସେହି ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୨ ଜଣ କରୋନା ଯୋଦ୍ଧା ଗତକାଲି  ପଜିଟିଭ ଚିହ୍ନଟ ହୋଇଥିଲେ । କ୍ୟାନ୍‌ସର ହସ୍‌ପିଟାଲରେ ଜଣେ ରୋଗୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ୫୨ ଜଣ କର୍ମଚାରୀଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ଯାଇଥିଲା। ନମୁନା ରିପୋର୍ଟ ଆସିବା ପରେ ୫୦ ଜଣ ନେଗେଟିଭ ଓ ୨ ଜଣ ପଜିଟିଭ ଥିବା ଜଣାପଡ଼ିଥିଲା । ପଜିଟିଭ ଜଣାପଡ଼ିବା ପରେ ସଂପୃକ୍ତ ୨ ନର୍ସଙ୍କୁ କୋଭିଡ-୧୯ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା।

ସୂଚନାଯୋଗ୍ୟ, କ୍ୟାନ୍‌ସର ହସ୍‌ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତି ଗତ ୨୪ ତାରିଖରେ କରୋନା ଭାଇରସ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। କର୍କଟ ରୋଗୀ ଜଣକ ହସ୍‌ପିଟାଲର ଜରୁରୀକାଳୀନ ଓ୍ଵାର୍ଡରେ ଭର୍ତ୍ତି ହୋଇଥିଲେ। ଗଂଜାମ ଜିଲ୍ଲାର ଏହି ରୋଗୀଙ୍କୁ ଗତ ୧୫ ତାରିଖରେ ଭର୍ତ୍ତି କରାଯାଇଥିଲା। ତାଙ୍କର କେମୋ ଚାଲିଥିବା ବେଳେ ଓ୍ଵାର୍ଡରେ ଅନ୍ୟ ୨ ଜଣ ରୋଗୀ ମଧ୍ୟ ଥିଲେ। କର୍କଟ ରୋଗୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କୁ ଭୁବନେଶ୍ୱରସ୍ଥିତ କିମ୍‌ସ କୋଭିଡ-୧୯ ହସ୍‌ପିଟାଲ ସ୍ଥାନାନ୍ତର କରାଯାଇଥିଲା। ଏଥି ସହିତ ରୋଗୀଙ୍କୁ ଭର୍ତ୍ତି କରାଯାଇଥିବା ଓ୍ଵାର୍ଡକୁ ସିଲ କରାଯିବା ସହ ସାନିଟାଇଜ୍‌ କରାଯାଇଥିଲା।

ସମ୍ବନ୍ଧିତ ଖବର