କରୋନାରେ ପୁଣି ୬ ଜଣଙ୍କ ମୃତ୍ୟୁ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ କରୋନା ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ସଂଖ୍ୟା ବଢି ଯାଇଛି । ଯାହାକି ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି। କେନ୍ଦୁଝର ଜିଲ୍ଲାରେ ଶନିବାର ପୁଣି ଗୋଟିଏ ଦିନରେ ୬ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ୪୪ ଜଣ ନୂତନ ସଂକ୍ରମତି ଚିହ୍ନଟ ହୋଇଛନ୍ତି । ତେବେ ଶନିବାର ମୃତ୍ୟୁବରଣ କରିଥିବା ୬ ଜଣଙ୍କ ମଧ୍ୟରେ ଘସିପୁରା ବ୍ଲକର ଜଣେ ୩୫ ବର୍ଷ ବୟସ୍କ ଯୁବକ, ହାଟଡିହି ବ୍ଲକର ୭୦ ବର୍ଷ ବୟସ୍କ ଜଣେ ବୃଦ୍ଧ, ଚମ୍ପୁଆ ବ୍ଲକର ୫୧ ବର୍ଷ ବୟସ୍କ ବ୍ୟକ୍ତି, ହରିଚନ୍ଦନପୁର ବ୍ଲକର ଜଣେ ୩୮ ବର୍ଷ ଓ ଜଣେ ୩୧ ବର୍ଷ ବୟସ୍କ ଯୁବକ ଏବଂ କେନ୍ଦୁଝର ସଦର ବ୍ଲକର ଜଣେ ୩୮ ବର୍ଷ ବୟସ୍କ ଯୁବକ ରହିଥିବା ପ୍ରଶାସନ ସୂଚନା ଦେଇଛି ।

ଏହି ୬ ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ ୧୦୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ସେହିପରି ଶନିବାର ଚିହ୍ନଟ ହୋଇଥିବା ୪୪ ଜଣ କରୋନା ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରେ ମୋଟ ୨୦ ହଜାର ୨୧୨ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ୧୯ ହଜାର ୮୮୯ ଜଣ ସୁସ୍ଥ ହୋଇଥିବା ବେଳେ ୨୧୭ ଜଣ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୬୬୭ ଜଣଙ୍କ କରୋନା ନମୁନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୪୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଶନିବାର ଚିହ୍ନଟ ହୋଇଥିବା ୪୪ ଜଣଙ୍କ ମଧ୍ୟରୁ ଯୋଡ଼ା ବ୍ଲକରୁ ଜଣେ, ଯୋଡ଼ା ‌ପୌରାଞ୍ଚଳରୁ ଜଣେ, କେନ୍ଦୁଝରଗଡ଼ ପୌରାଞ୍ଚଳରୁ ୩ ଜଣ, ସଦର ବ୍ଲକରୁ ୨ ଜଣ, ସାହାରପଡ଼ା ବ୍ଲକରୁ ୩ ଜଣ, ଆନନ୍ଦପୁର ବ୍ଲକରୁ ୪ ଜଣ, ଆନନ୍ଦପୁର ପୌରାଞ୍ଚଳରୁ ୬ ଜଣ, ବଡବିଲ ପୌରାଞ୍ଚଳରୁ ଜଣେ, ଘସିପୁରା ବ୍ଲକରୁ ୭ ଜଣ, ଘଟଗାଁ ବ୍ଲକରୁ ୫ ଜଣ, ହରିଚନ୍ଦନପୁର ବ୍ଲକରୁ ଜଣେ, ହାଟଡିହି ବ୍ଲକରୁ ୬ ଜଣ ଓ ଝୁମ୍ପୁରା ବ୍ଲକରୁ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ୪୪ ଜଣ ସଂକ୍ରମିତ ସ୍ଥାନୀୟ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି ବୋଲି ପ୍ରଶାସନ ସୂଚନା ଦେଇଛି।

ସମ୍ବନ୍ଧିତ ଖବର