ଗୋଟିଏ ଦିନରେ ୬ ପଜିଟିଭ୍ : ଯାଜପୁରରୁ ୪, ବାଲେଶ୍ବରରୁ ୨ ଚିହ୍ନଟ

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯ ହେଲା, ରାଜଧାନୀର ଆଉ ଜଣେ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ ଆଜି ଗୋଟିଏ ଦିନରେ ୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣ ଯାଜପୁରର ହୋଇଥିବା ବେଳେ ଅନ୍ୟ ୨ଜଣ ବାଲେଶ୍ବରର ବୋଲି ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି। କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୪ଜଣ ମହିଳା ଓ ୨ଜଣ ପୁରୁଷ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୯ରେ ପହଞ୍ଚିଛି।

ଯାଜପୁରରୁ ଚିହ୍ନଟ ୩ ମହିଳାଙ୍କ ବୟସ ୪୮, ୭୦ ଓ ୮୦ବର୍ଷ ହୋଇଥିବା ବେଳେ ଯୁବକଙ୍କ ବୟସ ୨୧ ବର୍ଷ। ପୂର୍ବରୁ କୋଲାକାତାରୁ ଫେରି କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଏମାନେ ପରିବାର ଲୋକ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସେମାନଙ୍କ ସଂସ୍ପର୍ଶରେ କେଉଁ କେଉଁମାନେ ଆସିଛନ୍ତି, ତାହାର ଅନୁସନ୍ଧାନ ଜାରି ରହିଛି। ଆଜି ୪ଜଣଙ୍କୁ ମିଶାଇ ଯାଜପୁର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି। ସେହିପରି ଅପରାହ୍‌ଣରେ ବାଲେଶ୍ବର ଜିଲ୍ଲାରୁ ଚିହ୍ନଟ ୨ ପଜିଟିଭ୍‌ ମଧ୍ୟରେ ୫୫ ବର୍ଷର ଜଣେ ମହିଳା ଓ ୩୬ବର୍ଷର ଜଣେ ଯୁବକ ରହିଛନ୍ତି। ଏହି ଦୁଇଜଣ ମଧ୍ୟ ପୂର୍ବରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ଫଳରେ ବାଲେଶ୍ବର ଜିଲ୍ଲାରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୦ ଛୁଇଁଛି। ଆଜି ଚିହ୍ନଟ ବ୍ୟକ୍ତିମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅପରପକ୍ଷରେ ଆଜି ରାଜଧାନୀ‌ରେ ଆଉ ଜଣେ କରୋନା ସଂକ୍ରମିତ ସୁସ୍ଥ ହେବା ସହ ତାଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରି ଦିଆଯାଇଛି। ରାଜଧାନୀରେ ସମୁଦାୟ ୪୬ ଜଣ ସଂକ୍ରମିତଙ୍କ ମଧ୍ୟରୁ ଆଜିକୁ ମିଶାଇ ୨୨ଜଣ ସୁସ୍ଥ ହୋଇସାରିଲେଣି। ଫଳରେ ରାଜ୍ୟରେ ସମୁଦାୟ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩୩ରେ ପହଞ୍ଚିଛି। ରାଜ୍ୟରେ ଏବେ ମଧ୍ୟ ୫୫ଜଣ ସକ୍ରିୟ କରୋନା ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ୨୨ତାରିଖ ମଧ୍ୟରାତ୍ର ସୁଦ୍ଧା ରାଜ୍ୟରେ ୧୫୯୮୪ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ଗତକାଲି କେବଳ ୨୨୦୯ ନମୁନା ପରୀକ୍ଷା କରାଯାଇଛି। ରାଜ୍ୟର ୧୦ଟି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସୀମିତ ରହିଛି। ସବୁଠାରେ ଆଗରେ ଖୋର୍ଧା ଜିଲ୍ଲା ରହିଥିବା ବେଳେ ଏବେ ୨୩ ଜଣ ଚିକିତ୍ସିତ ହେଉଛନ୍ତି। ଯାଜପୁର ଜିଲ୍ଲାର ଜଣେ ସୁସ୍ଥ ହୋଇଥିବା ବେଳେ ୧୧ଜଣ, ଭଦ୍ରକ ଜିଲ୍ଲାର ୨ଜଣ ସୁସ୍ଥ ହୋଇଥିବା ‌ବେଳେ ୯ଜଣ, ବାଲେଶ୍ବର ଜିଲ୍ଲାର ସମସ୍ତ ୧୦ଜଣ, ସୁନ୍ଦରଗଡ଼ର ୩ଜଣଙ୍କ ମଧ୍ୟରୁ ଜଣେ ଓ କେନ୍ଦ୍ରାପଡ଼ାର ୨ଜଣଙ୍କ ମଧ୍ୟରୁ ଜଣେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର