ଏମ୍‌ସ ଛାତ୍ରୀଙ୍କ ସମେତ ୪, ଆପୋଲୋ ହସ୍‌ପିଟାଲରୁ ଜଣଙ୍କ ସମେତ ଭୁବନେଶ୍ୱରରୁ ୬ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱରରେ କରୋନା: ୬ ଜଣ ନୂଆ ଆକ୍ରାନ୍ତ, ଜଣେ ସୁସ୍ଥ

ଭୁବନେଶ୍ୱର: ସ୍ଥାନୀୟ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍‌ସ)ରୁ ଆଜି ଜଣେ ଛାତ୍ରୀଙ୍କ ସମେତ ୪ ଜଣ କର୍ମଚାରୀ ଓ ଆପୋଲୋ ହସ୍‌ପିଟାଲର ଜଣେ କର୍ମଚାରୀଙ୍କ ସମେତ ଭୁବନେଶ୍ୱରରୁ ୬ ଜଣ ବ୍ୟକ୍ତି କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଭୁବନେଶ୍ବର ମହାନଗର ନିଗମ ଟୁଇଟ୍ କରି ଏହି ସୂଚନା ଦେଇଛି। ଏହା ସ୍ପଷ୍ଟ କରୁଛି ଯେ ରାଜଧାନୀ ଭୁବନେଶ୍ବରରେ ସ୍ବାସ୍ଥ୍ୟକର୍ମୀମାନେ ଅଧିକରୁ ଅଧିକ ସଂଖ୍ୟରେ କରୋନା ସଂକ୍ରମିତ ହେଉଥିବା ସାମ୍ନାକୁ ଆସିଛି। ବିଏମସି ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁସାରେ ଏମ୍‌ସର ଜଣେ ୩୭ ବର୍ଷିୟ ଓ ଅନ୍ୟ ଜଣେ ୩୦ ବର୍ଷିଅ ପୁରୁଷ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜଣେ ୩୧ ବର୍ଷୀୟ ମହିଳା କର୍ମଚାରୀ ଓ ଅନ୍ୟ ଜଣେ ୨୪ ବର୍ଷୀୟ ଛାତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି ।

ଅନ୍ୟ ପକ୍ଷରେ ଆପୋଲୋ ହସ୍‌ପିଟାଲରୁ ଜଣେ ୩୮ ବର୍ଷିଅ ପୁରୁଷ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ପୋଖରୀପୁଟ ଅଂଚଳର କରୋନା ପଜିଟିଭ ଚିହ୍ନଟ ୩୫ ବର୍ଷିଅ ଯୁବକ ଡିଏଭି ସ୍କୁଲ ନିକଟରେ ରହନ୍ତି। ସେ ନିକଟରେ କନ୍ଧମାଳରୁ ଫେରିଥିଲେ। ଅପରପକ୍ଷେ ଭୁବନେଶ୍ୱରରୁ ଆଜି ଜଣେ ୪୬ ବର୍ଷିଅ ପୁରୁଷ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ସେ ହେଉଛନ୍ତି ଜୟଦେବ ବିହାରସ୍ଥିତ ବିଷ୍ଣୁପ୍ରିୟା ଆପାର୍ଟମେଣ୍ଟର ବାସିନ୍ଦା।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ଗତ ମାର୍ଚ୍ଚ ୧୫ ତାରିଖରେ ପ୍ରଥମ ଥର ପାଇଁ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଥିଲେ। ସେହିଦିନ ଠାରୁ ଏଯାଏଁ ୯୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ଏଥିରୁ ୫୪ ଜଣ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏବେ ୪୨ ଜଣଙ୍କର ଚିକିତ୍ସା ଜାରି ରହିଛି।

ସମ୍ବନ୍ଧିତ ଖବର