ରାଜ୍ୟର ୩ ଜିଲ୍ଲାରେ ୬ ନୂଆ କୋଭିଡ୍‌ ହସ୍ପିଟାଲ

ଏସ୍‌ସିବିକୁ ମିଶାଇ କଟକରେ ୩
କୋରାପୁଟ୍‌ ମେଡିକାଲ କଲେଜ ଓ ରାଜଧାନୀରେ ୨ଟି
ସମ୍ପ୍ରସାରଣ ହେବ ଆଦିତ୍ୟ ଅଶ୍ବିନୀ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ରାଜ୍ୟ ସରକାର ଅତିରିକ୍ତ କୋଭିଡ୍‌ ହସ୍ପିଟାଲ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏସ୍‌ସିବି ଓ ସରକାରୀ ସହଭାଗିତାରେ ୨ଟି ଘରୋଇ ହସ୍ପିଟାଲକୁ ମିଶାଇ କଟକରେ ୩ଟି, କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ଭୁବନେଶ୍ବରରେ ୨ଟି କୋଭିଡ୍‌ ହସ୍ପିଟାଲ ପ୍ରତିଷ୍ଠା କରାଯିବ। ଏହା ବ୍ୟତୀତ ଭୁବନେଶ୍ବରସ୍ଥିତ ଆଦିତ୍ୟ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲ୍‌ରେ ଶଯ୍ୟା ସମ୍ପ୍ରସାରଣ କରାଯିବ।

କଟକ ଏସ୍‌ସିବିର ମେଡିସିନ୍ ବିଲ୍ଡିଂରେ ୧୮୬ ସାଧାରଣ ଶଯ୍ୟା ଓ ୧୪ଟି ଏମ୍‌ଆଇସିୟୁକୁ ମିଶାଇ ୨ଶହ ଶଯ୍ୟା ରହିବ। ଏହାସହ ନୂତନ ୨୫ଟି ଆଇସିୟୁ ଶଯ୍ୟା ଓ ପୂର୍ବରୁ ଥିବା ୧୪ଟି ଆଇସିୟୁକୁ ମିଶାଇ ସମୁଦାୟ ୩୯ଟି ଆଇସିୟୁ ଶଯ୍ୟା ରୋଗୀଙ୍କ ପାଇଁ ଉପଲବ୍ଧ ହେବ। ତେବେ ଟ୍ରମା ୟୁନିଟ୍‌ରେ ଥିବା ୭୦ଟି ଶଯ୍ୟାକୁ ମେଡିସିନ୍ ୱାର୍ଡ ପାଇଁ
ବ୍ୟବହାର କରାଯିବ। ଏହାସହ ପୁରୁଣା ମେଡିସିନ୍ ବ୍ଲକ୍‌ରେ ଥିବା ୨୫ଟି ଶଯ୍ୟା ଓ ଆରଏସ୍‌ଆଇସିର ୭୦ଟି ଶଯ୍ୟାକୁ ମିଶାଇ ସମୁଦାୟ ୯୫ଟି ଶଯ୍ୟା ମେଡିସିନ୍ ବିଭାଗ ବ୍ୟବହାର କରିପାରିବ। ଟ୍ରମା ୟୁନିଟ୍‌ରେ ଯେଉଁ ରୋଗୀମାନେ ରହିଛନ୍ତି, ସେମାନଙ୍କ ନିଜ ନିଜର ବିଭାଗୀୟ ୱାର୍ଡକୁ ନେବା ପାଇଁ କୁହାଯାଇଛି। ଟ୍ରମାରେ ଥିବା ୧୪ଟି ଆଇସିୟୁକୁ ମେଡିସିନ୍ ବିଭାଗ ଆଇସିୟୁ ବ୍ୟବହାର କରିବା ପାଇଁ ଅନୁମତି ଦିଆଯାଇଛି। ସେହିପରି ଶବ ବ୍ୟବଚ୍ଛେଦ ବିଲ୍ଡିଂ ଏବଂ ମହିଳା ଓ ପ୍ରସୂତି ବିଭାଗର ପ୍ରଥମ ମହଲାକୁ ଓବେଷ୍ଟ୍ରିକ୍‌ ରୋଗୀଙ୍କ କୋଭିଡ୍‌ ୱାର୍ଡରେ ପରିଣତ କରାଯିବ। ଏଠାରେ ୩୦ଟି ସାଧାରଣ ଶଯ୍ୟା ସହ ୧୦ଟି ଲେବର୍ ଟେବୁଲ, ୨ଟି ଅସ୍ତ୍ରୋପଚାର ଟେବୁଲ ସଂରକ୍ଷିତ ରହିବ। ଏହାବାଦ୍ ହସ୍ପିଟାଲ ବାଇଓ ମେଡିକାଲ ବର୍ଜ୍ୟ ପାଇଁ ଆବଶ୍ୟକ ଗାଡ଼ି, ପରିମଳ ବ୍ୟବସ୍ଥା ଓ ସଫାସୁତରା ପାଇଁ ୨୧ଜଣ, ୨ଜଣ ପୁଲିସ କର୍ମଚାରୀ ଓ ଅନ୍ୟାନ୍ୟ ବ୍ୟବସ୍ଥା କରିବା ଲାଗି ମେଡିକାଲର ଡିନ୍ ତଥା ଅଧ୍ୟକ୍ଷଙ୍କୁ ଚିଠି ଜାରି କରାଯାଇଛି।

ସେହିପରି କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ସର୍ଜରି ୱାର୍ଡର ଗୋଟି ଭାଗରେ ୫ ଆଇସିୟୁ ଓ ୬୫ ଶଯ୍ୟାକୁ ମିଶାଇ ସମୁଦାୟ ୭୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପ୍ରତିଷ୍ଠା କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଆବଶ୍ୟକ ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ ରାଜ୍ୟ ଔଷଧ ନିଗମ ପକ୍ଷରୁ ଯୋଗାଇ ଦିଆଯିବ।

କ୍ୟାପିଟାଲ ହସ୍ପିଟାଲରେ ପ୍ରାଥମିକ ପର୍ଯ୍ୟାୟ‌ରେ ୩-୫ ଆଇସିୟୁ ଶଯ୍ୟା ସଂରକ୍ଷିତ ରଖିବା ଲାଗି କୁହଯାଇଛି। ଆଇସିୟୁ ପୃଥକୀକରଣ କାର୍ଯ୍ୟ ପୂର୍ତ ବିଭାଗକୁ ଦିଆଯାଇଛି। ଫଳରେ ଅଣ କରୋନା ଆଇସିୟୁକୁ ସଂକ୍ରମଣ ବ୍ୟାପିବ ନାହିଁ। ଆଗକୁ ଅଧିକ ସଂଖ୍ୟକ ସାଧାରଣ ଓ ଆଇସିୟୁ ଶଯ୍ୟା ପ୍ରତିଷ୍ଠା କରିବା ଲାଗି କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକଙ୍କୁ କୁହାଯାଇଛି। ଏହାସହ ରାଜଧାନୀରେ ଆଦିତ୍ୟ ଅଶ୍ବିନୀ ହସ୍ପିଟାଲରେ ଅତିରିକ୍ତ ୨୫ଆଇସିୟୁ ଶଯ୍ୟା ପ୍ରତିଷ୍ଠା କରିବା ଲାଗି ଅନୁମତି ଦିଆଯାଇଛି। ପୂର୍ବରୁ ହସ୍ପିଟାଲରେ ୩୦ ଆଇସିୟୁ ଓ ୨୧ଏଚ୍‌ଡିୟୁ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଥିଲା। ତେବେ ୨୧ ଏଚ୍‌ଡିୟୁକୁ ଆଇସିୟୁରେ ପରିବର୍ତନ କରିବା ସହ ୪ଟି ଅତିରିକ୍ତ ନୂତନ ଆଇସିୟୁକୁ ଆସନ୍ତା ୭ଦିନ ଭିତରେ ପ୍ରତିଷ୍ଠା କରିବା ଲାଗି କୁହାଯାଇଛି। ଆଇସିୟୁ ଦର ଦିନକୁ ୫ହଜାର, ଅନ୍ୟାନ୍ୟ ଖର୍ଚ ୧୨ହଜାର, ଯଦି ଭେଣ୍ଟିଲେଟର ବ୍ୟବହାର ହୁଏ ତାହାଲେ ଦିନକୁ ୧୩ହଜାର ଟଙ୍କା ସରକାର ଧାର୍ଯ୍ୟ କରିଛନ୍ତି। ଏହାବାଦ୍ କିଡ୍‌ସରେ ସାଧାରଣ ଶଯ୍ୟା ୬୬, ମାତୃ ଶଯ୍ୟା ୪, ଏନ୍‌ଆଇସିୟୁ ୪, ୧୦ ଭେଣ୍ଟିଲେଟର୍‌ ସହ ୩୪ ଆଇସିୟୁ, ଗୋଟିଏ ଲେଖାଏଁ ଓଟି ଓ ଲେବର ରୁମ୍ ସୁବିଧା ରହିବ। ସାଧାରଣ ଶଯ୍ୟା ଦର ସରକାରଙ୍କ ପକ୍ଷରୁ ଦିନକୁ ୩ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ଆଇସିୟୁ ୫ହଜାର, ଏନ୍‌ଆଇସିୟୁ ସାଢ଼େ ୪ହଜାର, ଓଟି ଦିନକୁ ୧୫ହଜାର, ଲେବର ରୁମ ଦିନକୁ ୧୦ହଜାର, ସାଧାରରଣ ଶଯ୍ୟାରେ ଅନ୍ୟାନ୍ୟ ଖର୍ଚ ୧୭୫୦ ଟଙ୍କା ଥିବା ବେଳେ ଆଇସିୟୁ ଓ ଏନ୍‌ଆଇସିୟୁରେ ଏହା ଦିନକୁ ୧୨ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି।

କଟକରେ ସନ୍ ହସ୍ପିଟାଲରେ ୧୦୫ ସାଧାରଣ ଶଯ୍ୟା, ପ୍ରାଥମିକ ପର୍ଯ୍ୟାୟ‌ରେ ୩୦ଟି ଆଇସିୟୁ, ୨୦ଟି ଏଚ୍‌ଡିୟୁ ଉପଲବ୍ଧ ରହିବ। ଅନ୍ୟ ଘରୋଇ ହସ୍ପିଟାଲ ପାଇଁ ସାଧାରଣ ଓ ଆଇସିୟୁ ଶଯ୍ୟା ଦର ସନ୍‌ରେ ମଧ୍ୟ ଲାଗୁ ହେବ। ତେବେ ଏଚ୍‌ଡିୟୁ ପାଇଁ ଦିନକୁ ସାଢ଼େ ୩ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ଏହାସହ ରିଙ୍ଗରୋଡ୍‌ସ୍ଥିତ ସୃଷ୍ଟି ହସ୍ପିଟାଲରେ ୬୦ଟି ସାଧାରଣ ଶଯ୍ୟା, ୧୫ ଆଇସିୟୁ ଓ ୨ଟି ଡାଏଲିସିସ୍ ୟୁନିଟ୍‌ ରହିବ। ଡାଏଲିସିସ୍ ପାଇଁ ଦିନକୁ ଅଢ଼େଇ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ସମସ୍ତ ଖର୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଭରଣା କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର