ଦୁବାଇରୁ ଫେରିଲେ ୬; ଜଙ୍ଗ‌ଲରେ ଲୁଚି ରହିଛନ୍ତି ୧୨ ଶ୍ରମିକ

ପରିବାର ସଦସ୍ୟ ପୁଣି ପ୍ରଶାସନ ଦ୍ବାରସ୍ଥ

ଛତ୍ରପୁର : ଦୁବାଇର ଏକ ଜଙ୍ଗଲରେ ଲୁଚି ରହିଛନ୍ତି ୧୨ ଜଣ ଓଡ଼ିଆ ଶ୍ରମିକ। କମ୍ପାନି ମାଲିକ ଓ ତାଙ୍କ ଦ୍ବାରା ନିୟୋଜିତ ଲୋକଙ୍କ ଭୟରେ ସେମାନେ ଏହିଭଳି ପରିସ୍ଥିତି ମଧ୍ୟଦେଇ ଗତି କରୁଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଆଜି ପରିବାର ଲୋକ ଗଞ୍ଜାମ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି। ତେବେ, ସେଠାରେ ଫସିଥିବା ୧୮ ଜଣ ଶ୍ରମିକଙ୍କ ମଧ୍ୟରୁ ୬ ଜଣ ନିଜର ଜନ୍ମମାଟିକୁ ଫେରିଆସିଛନ୍ତି।

ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଖଲ୍ଲିକୋଟ, ଛତ୍ରପୁର ଓ ବେଗୁନିଆପଡା ଅଞ୍ଚଳରେ ଏହି ଶ୍ରମିକମାନଙ୍କ ଘର। ଗତ ନଭେମ୍ବର ୪ ତାରିଖ ଦିନ ମାସିକ ୩୫ ହଜାର ଲେଖାଏଁ ଦରମା ଦେବାକୁ ପ୍ରତିଶ୍ରୁତି ଦେଇ ଜଣେ ଠିକାଦାର ସେମାନଙ୍କୁ ଦୁବାଇ ନେଇ ଯାଇଥିଲେ। ପ୍ରତି ଶ୍ରମିକଙ୍କୁ ବି ଗସ୍ତ ଖର୍ଚ୍ଚ ବାବଦକୁ ୬୦ ହଜାର ଲେଖାଁଏ ଦେବାକୁ ପଡ଼ିଥିଲା।

ମାତ୍ର, ଦୁବାଇରେ ପହଞ୍ଚିବା ପରେ ଶ୍ରମିକଙ୍କ ଦୁଃଖ ବଢିଥିଲା। କାମ ଦିଆଗଲା ନାହିଁ। ଯେତିକି କାମ କଲେ ତାହାର ପାରିଶ୍ରମିକ ମିଳିଲା ନାହିଁ। ‌ଶ୍ରମିକମାନେ ସେଠାରୁ ଭିଡିଓ ଜାରୀ କରି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଗଞ୍ଜାମ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ୬ ଜଣ ଶ୍ରମିକ ଗତ ୨୭ ତାରିଖରେ ଘରକୁ ଫେରିଛନ୍ତି। ଅନ୍ୟ ୧୨ ଜଣ ଶ୍ରମିକ ବର୍ତ୍ତମାନ ସୁଦ୍ଧା ସେଠାରେ ଫସି ରହିଛନ୍ତି। ବିଗତ ୪ ମାସ ହେଲା ସେମାନଙ୍କୁ ଦରମା ଦିଆଯାଇ ନାହିଁ। ଭୋକ ଉପାସରେ ଦିନ କାଟୁଥିବା ସେମାନ ପୁଣି ପରିବାରଙ୍କୁ ଜଣାଇଛନ୍ତି।

ଏହା ଜାଣିବା ପରେ ଶ୍ରମିକମାନଙ୍କ ପରିବାର ସଦସ୍ୟ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପୁଣି ଆଜି ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ଶ୍ରମ କମିଶନରଙ୍କୁ ଏ ସଂକ୍ରାନ୍ତରେ ଏକ ଚିଠି ଲେଖାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।

ସମ୍ବନ୍ଧିତ ଖବର