ଭୁବନେଶ୍ବର : ରାଜ୍ୟରେ ଆଉ ୬ଜଣ ‘ଓମିକ୍ରନ୍’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୫ଜଣ ଓଡ଼ିଶାର ହୋଇଥିବା ବେଳେ ଅନ୍ୟ ଜଣେ କୋଲାକାତାର। ସେହିଭଳି ରାଜ୍ୟରେ ଚିହ୍ନଟ ନୂତନ ଓମିକ୍ରନ୍ ଆକ୍ରାନ୍ତଙ୍କ ମଧ୍ୟରୁ ୪ଜଣ ବିଦେଶରୁ ଫେରିଥିବା ବେଳେ ଅନ୍ୟ ଜଣେ ବିଦେଶକୁ ଯାଇ ନାହାନ୍ତି। ଏହାସତ୍ତ୍ବେ ସଂପୃକ୍ତ ବ୍ୟକ୍ତି ଜଣକ କରୋନାର ନୂଆ ପ୍ରଜାତିରେ ଆକ୍ରାନ୍ତ ହେବା ଓମିକ୍ରନ୍ର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ନେଇ ଆଶଙ୍କା ପ୍ରକାଶ ପାଇଲାଣି। ରାଜ୍ୟରେ ବର୍ତମାନ ସୁଦ୍ଧା ୧୪ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ଯେଉଁଭଳି ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି, ତାହା ରାଜ୍ୟ ପାଇଁ ନିଶ୍ଚିତ ଭାବେ ଚିନ୍ତାର ବିଷୟ ବୋଲି ବିଶେଷଜ୍ଞମାନେ କହୁଛନ୍ତି।
ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ୫ ଆକ୍ରାନ୍ତଙ୍କ ମଧ୍ୟରୁ ୪ଜଣ ପୁରୁଷ ଓ ଜଣେ ମହିଳା। ସେମାନଙ୍କ ବୟସ ୨୨-୪୪ବର୍ଷ ଭିତରେ। ୩ଜଣ ଦୁବାଇରୁ ଫେରିଥିବା ବେଳେ ଅନ୍ୟ ଜଣେ କଙ୍ଗୋରୁ ଆସିଛନ୍ତି। ଏଥିରେ ଜଗତସିଂହପୁର, ଖୋର୍ଧାରୁ ୨ ଲେଖାଏ ଓ ଜଣେ ଭଦ୍ରକର ରହିଛନ୍ତି। ପଞ୍ଚମ ବ୍ୟକ୍ତି ଜଣଙ୍କର ବିଦେଶ ଫେରନ୍ତା ହିଷ୍ଟ୍ରି ନାହିଁ। ରାଜଧାନୀର ଏହି ବ୍ୟକ୍ତି ଜଣକ କିଛିଦିନ ଭିତରେ ରାୟପୁର ଓ ହାଇଦ୍ରାବାଦ ଯାଇଥିଲେ। ଓମିକ୍ରନ୍ରେ ଆକ୍ରାନ୍ତ ବ୍ୟକ୍ତିମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇଛି। ତହିଁରୁ ଜଣେ ପଜିଟିଭ୍ ଆସିଥିବା ବେଳେ ତାଙ୍କ ନମୁନା ଜିନୋମ୍ ସିକ୍ବେନ୍ସିଂ ପାଇଁ ଆଇଏଲଏସ୍କୁ ପଠାଯାଇଛି। ଆକ୍ରାନ୍ତମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ଦୁଇ ଜଣ ହସ୍ପିଟାଲରେ ରହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଅପରପକ୍ଷରେ ପଶ୍ଚିମବଙ୍ଗରୁ ଆସିଥିବା ବ୍ୟକ୍ତି ଜଣକ ପୁରୀକୁ ଦର୍ଶନ ପାଇଁ ଆସିଥିଲେ।
ସେଠାରେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ରାଜ୍ୟ ସରକାର ଏବେ ବିଦେଶ ଫେରନ୍ତାଙ୍କ ବାଦ୍ ଅନ୍ୟ ପଜିଟିଭ୍ ନମୁନାକୁ ଜିନୋମ ସିକ୍ବେନ୍ସିଂ ପାଇଁ ପଠାଇବାକୁ ନିର୍ଦେଶ ଦେଇଛନ୍ତି। ଆଇଏଲଏସ୍ରେ ଜିନ୍ ଅନୁଶୀଳନ ପରେ ସେ ଓମିକ୍ରନ୍ରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ମାତ୍ର ସେ କୋଲକାତାକୁ ଫେରି ଯାଇଥିବା ସୂଚନା ମିଳିଛି। ଗତ ୨୧ ତାରିଖରେ ରାଜ୍ୟରେ ପ୍ରଥମେ ଦୁଇ ବିଦେଶ ଫେରନ୍ତା ଓମିକ୍ରନ୍ରେ ଆକ୍ରାନ୍ତ ଥିବା ଘୋଷଣା ହୋଇଥିଲା। ୯ଦିନ ଭିତରେ ଏହି ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚି ଯାଇଛି। ମାତ୍ର ଏବେ ବି ଅନେକ ବିଦେଶ ଫେରନ୍ତାଙ୍କୁ ଚିହ୍ନଟ କରି ଅଷ୍ଟମ ଦିନରେ ସେମାନଙ୍କ ନମୁନା ସଂଗ୍ରହ ହୋଇ ନାହିଁ। ତେଣୁ ପ୍ରକୃତ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ଅଧିକ ବୋଲି ଆଶଙ୍କା କରାଯାଉଛି।
ବରିଷ୍ଠ ଚିକିତ୍ସକ ଡା.ନିରୋଜ ମିଶ୍ର କହିଛନ୍ତି, ଦିଲ୍ଲୀ, ମୁମ୍ବାଇରେ ଏବେ ତୃତୀୟ ଲହର ଆରମ୍ଭ ହୋଇ ସାରିଛି। ଓଡ଼ିଶାରେ ତୃତୀୟ ଲହର ଆରମ୍ଭ ହେବା ଲାଗି ଆଉ ୧୦ଦିନ ଲାଗିପାରେ। ଡେଲ୍ଟା ପ୍ରଜାତି ତୁଳନାରେ ଓମିକ୍ରନ୍ରେ ଆକ୍ରାନ୍ତଙ୍କ ସଂଖ୍ୟା ୨/୩ଦିନରେ ଦ୍ବିଗୁଣିତ ହେଉଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବ। ମାତ୍ର ଯେତିକି ଆକ୍ରାନ୍ତ ଚିହ୍ନଟ ହେବେ ତାହାର ୩୦-୪୦ ପ୍ରତିଶତ ସଂକ୍ରମିତ ହୋଇପାରନ୍ତି। ଓମିକ୍ରନ୍ ଆକ୍ରାନ୍ତଙ୍କ କ୍ଷେତ୍ରରେ ଲୋକମାନେ କମ୍ ଗୁରୁତର ହେଉଥିବାରୁ ଲୋକମାନେ ଭୟଭୀତ ହେବା ଉଚିତ୍ ନୁହେଁ। ଅଯଥା ଗହଳିକୁ ଦୂରେଇବା ସହିତ କୋଭିଡ ନିୟମାବଳୀକୁ ପାଳନ ଜାରି ରଖିବା ଉଚିତ୍ ବୋଲି ଡା.ମିଶ୍ର କହିଛନ୍ତି।
ରାଜ୍ୟରେ କରୋନାର ଦୈନିକ ସଂକ୍ରମଣରେ ଲଗାତାର ଦ୍ବିତୀୟ ଦିନ ଲାଗି ବୃଦ୍ଧି ଜାରି ରହିଛି। ୨୮ତାରିଖ ତୁଳନାରେ ରାଜ୍ୟରେ ଗତ ୨୪ଘଣ୍ଟାରେ ସଂକ୍ରମଣରେ ସାମାନ୍ୟ ବୃଦ୍ଧି ନଜରକୁ ଆସିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୨୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କିଛି ଜିଲ୍ଲାରେ ପୁଣିଥରେ ସଂକ୍ରମଣ ଦୁଇ ଅଙ୍କ ଛୁଇଁବାକୁ ଆରମ୍ଭ କଲାଣି।
ଓମିକ୍ରନ୍ ଯୋଗୁଁ ରାଜ୍ୟରେ ଏବେ ତୃତୀୟ ଲହର ସଂକେତ ମିଳିଲାଣି। ୧୫ଦିନ ତଳେ ସଂକ୍ରମଣ ୨ଶହ ତଳେ ରହୁଥିବା ବେଳେ ଏବେ କ୍ରମାଗତ ଭାବେ ୨ଶହ ଉପରେ ରହୁଛି। ଦିନକରେ ୨୨୫ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଧାରୁ ସର୍ବାଧିକ ୮୭ଜଣ ରହିଛନ୍ତି। ଏହାବାଦ୍ ସମ୍ବଲପୁର ୨୩, ସୁନ୍ଦରଗଡ଼ ୧୩, ମୟୂରଭଞ୍ଜ ୧୦, କଟକ ୧୧ ଓ ଷ୍ଟେଟ୍ ପୁଲରୁ ୨୦ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ୯ଟି ଜିଲ୍ଲାରୁ ଜଣେ ହେଲେ ବି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ରାଜ୍ୟର ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୫୪ହଜାର ୬୦୬କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ଜଣେ ସଂକ୍ରିମତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ୮୪୫୮ଜଣଙ୍କର କରୋନାରେ ମୃତ୍ୟୁ ହେଲାଣି। ରାଜ୍ୟର ଏକମାତ୍ର ଜିଲ୍ଲାଭାବେ କନ୍ଧମାଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଶୂନ ରହିଛି।