ଓଡ଼ିଶାରୁ ୬ ଜଣଙ୍କୁ ପଦ୍ମ ସମ୍ମାନ

ସୁଦର୍ଶନଙ୍କୁ ପଦ୍ମବିଭୂଷଣ
ରଜତ କର, ନନ୍ଦ ପୃଷ୍ଟି, ଶାନ୍ତି ଦେବୀ, ପୂର୍ଣ୍ଣମାସୀ, କୃଷ୍ଣମୋହନଙ୍କୁ ପଦ୍ମଶ୍ରୀ
ବାଲସୁବ୍ରମଣ୍ୟମ, ଆବେଙ୍କୁ ପଦ୍ମବିଭୂଷଣ

ଭୁବନେଶ୍ବର : ସାଧାରଣତନ୍ତ୍ର ଦିବସ ପାଳନର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଦେଶରେ ମୋଟ୍‌ ୧୧୯ ଜଣଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଓଡ଼ିଶାରେ ୬ ଜଣ ବିଶିଷ୍ଟ ବ୍ୟକ୍ତି ପଦ୍ମ ପୁରସ୍କାର ତାଲିକାରେ ଅଛନ୍ତି। ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁଙ୍କୁ ଭାରତର ଦ୍ବିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମବିଭୂଷଣ’ ପାଇଁ ମନୋନୀତ କରାଯାଇଛି। ତାଙ୍କ ସହ ଚଳିତ ବର୍ଷ ୫ ଜଣ ଓଡ଼ିଆ‌ ‘ପଦ୍ମଶ୍ରୀ’ ପାଇବେ। ସେମାନେ ହେଲେ ସାହିତ୍ୟ ଓ ଶିକ୍ଷା ପାଇଁ ରଜତ କୁମାର କର ଓ ନନ୍ଦ ପୃଷ୍ଟି, ସମାଜସେବା

ପାଇଁ ଶାନ୍ତି ଦେବୀ, କଳା ପାଇଁ ପୂର୍ଣ୍ଣମାସୀ ଯାନୀ, ଚିକିତ୍ସା ପାଇଁ ଡାକ୍ତର କୃଷ୍ଣମୋହନ ପାଠୀ। ଆସନ୍ତା ଏପ୍ରିଲ୍‌/ମେ’ ମାସରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ କରିବେ।

ପଦ୍ମବିଭୂଷଣ ସମ୍ମାନ ପାଇଁ ମନୋ‌ନୀତ ହୋଇଥିବା ସୁଦର୍ଶନ ସାହୁ ୧୯୮୮ ମସିହାରେ ପଦ୍ମଶ୍ରୀ ସମ୍ମାନ‌େର ଭୂଷିତ ହୋଇଛନ୍ତି। ୧୯୩୯ ମସିହାରେ ପୁରୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଶ୍ରୀ ସାହୁ ଜଣେ ସ୍ଥପତି ଭାବେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ବେଶ୍‌ ଖ୍ୟାତି ଅର୍ଜନ କରିଛନ୍ତି। ତାଙ୍କ ଦ୍ବାରା ପ୍ରତିଷ୍ଠିତ ପୁରୀରେ ‘ସୁଦର୍ଶନ କ୍ରାଫ୍ଟ ମ୍ୟୁଜିୟମ୍‌’ ଓ ଭୁବନେଶ୍ବରରେ ‘ସୁଦର୍ଶନ ଆର୍ଟ ଆଣ୍ଡ୍‌ କ୍ରାଫ୍ଟ୍‌ ଭିଲେଜ୍‌’ ଓଡ଼ିଶାର ସମୃଦ୍ଧ କଳା ଓ ସ୍ଥାପତ୍ୟକୁ ବିଶ୍ବ ଦରବାରରେ ପରିଚିତ କରାଉଛି। ଏହି ଅନୁଷ୍ଠାନରୁ ତାଲିମ୍‌ ନେଇଥିବା ବହୁ ଛାତ୍ରଛାତ୍ରୀ ସ୍ଥାପତ୍ୟ କ୍ଷେତ୍ରରେ ବେଶ୍‌ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ପଦ୍ମବିଭୂଷଣ ପୁରସ୍କାର ପାଇବାରେ ଶ୍ରୀ ସାହୁ ହେଲେ ଚତୁର୍ଥ ଓଡ଼ିଆ। ତାଙ୍କ ପୂର୍ବରୁ ସ୍ବର୍ଗତ କେଳୁଚରଣ ମହାପାତ୍ର, ସୀତାକାନ୍ତ ମହାପାତ୍ର ଓ ରଘୁନାଥ ମହାପାତ୍ର ଏହି ପୁରସ୍କାର ପାଇଥିଲେ।

ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଥିବା ରଜତ କୁମାର କର ଜଣେ ଶିକ୍ଷାବିତ୍‌ ଓ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଭାବେ ପରିଚିତ। ଦୀର୍ଘ ୬୦ ବର୍ଷ ଧରି ସେ ଟିଭି ଓ ରେଡିଓରେ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରି ଓଡ଼ିଶାର ଜନମାନସରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି। ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଜଣେ ସୁବକ୍ତା ଭାବେ ତାଙ୍କର ଖ୍ୟାତି ରହିଛି।

ସେହିପରି ନନ୍ଦ ପୃଷ୍ଟିଙ୍କ ଘର ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍‌ର କନ୍ତିରା ଗ୍ରାମରେ। ସେ ଦୀର୍ଘ ବର୍ଷ ଧରି ବିନା ପାରିଶ୍ରମିକରେ ପିଲାମାନଙ୍କୁ ପାଠ ପଢ଼ାଇ ଆସୁଛନ୍ତି। ସେ ନିଜେ ସପ୍ତମ ଶ୍ରେଣୀ ଯାଏ ପାଠ ପଢ଼ିଥିଲେ ମଧ୍ୟ ସମାଜର ଗରିବ ଓ ଅବହେଳିତ ପିଲାମାନଙ୍କୁ ଶିକ୍ଷାଦାନ କରି ନିରକ୍ଷରତା ଦୂର କରିବା ତାଙ୍କର ଲକ୍ଷ୍ୟ।

ରାୟଗଡ଼ା ଜିଲ୍ଲାର ବିଶିଷ୍ଟ ସମାଜସେବୀ, ଗାନ୍ଧୀବାଦୀ ନେତ୍ରୀ, ସେବା ସମାଜର ପ୍ରତିଷ୍ଠାତା ଶାନ୍ତି ଦେବୀ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ‌େହାଇଛନ୍ତି। ସେ ଦୀର୍ଘ ସାତ ଦଶନ୍ଧି ଧରି ଅବିଭକ୍ତ କୋରାପୁଟରେ ସମାଜସେବା, ଭୂଦାନ ଓ ସତ୍ୟାଗ୍ରହ ଆନ୍ଦୋଳନ କ୍ଷେତ୍ରରେ ସକ୍ରିୟ ଅଛନ୍ତି।

କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚାରିପଡ଼ା ଗ୍ରାମର ପ୍ରଖ୍ୟାତ ଲୋକକବି ତଥା ସନ୍ନ୍ୟାସିନୀ ପୂର୍ଣ୍ଣମାସୀ ଯାନୀ ଓରଫ ଟାଡ଼ିସରୁ ବାଇ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ପୂର୍ଣ୍ଣମାସୀ ସମ୍ପୂର୍ଣ୍ଣ ନିରକ୍ଷର ଥିଲେ ମଧ୍ୟ ସମସ୍ତ ପୁରାଣ, ଶାସ୍ତ୍ର, ପୋଥି ତାଙ୍କ ମୁହଁରେ ଅଛି। ଏଯାବତ ତାଙ୍କ ମୁଖନିସୃତ ପ୍ରାୟ ୧୦ ହଜାର ଭଜନ, ଜଣାଣ ଲିଖିତ ଓ ରେକର୍ଡିଂ କରି ରଖାଯାଇଛି।

ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ବ୍ରହ୍ମପୁରର ଡାକ୍ତର କୃଷ୍ଣମୋହନ ପାଠୀ ଜଣେ ଖ୍ୟାତିସମ୍ପନ୍ନ ଅସ୍ଥିଶଲ୍ୟ ବିଶେଷଜ୍ଞ। ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ। ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇ ସେ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଛନ୍ତି।

Medium

ବାଲସୁବ୍ରମଣ୍ୟମ, ଆବେଙ୍କୁ ପଦ୍ମବିଭୂଷଣ
ନୂଆଦିଲ୍ଳୀ : ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିନଜୋ ଆବେ, ଗାୟକ ସ୍ବର୍ଗତଃ ଏସ୍‌ପି ବାଲସୁବ୍ରମଣ୍ୟମ ଏବଂ ଓଡ଼ିଶାର ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁଙ୍କୁ ମିଳିବ ପଦ୍ମବିଭୂଷଣ। ସାଧାରଣତନ୍ତ୍ର ଦିବସ ଅବସରରେ ଆଜି ଏହି ପୁରସ୍କାର ସଂପର୍କରେ ଘୋଷଣା କରାଯାଇଛି। ବିଭିନ୍ନ କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ପାଇଁ ଏବର୍ଷ ୧୦୯ ଜଣଙ୍କ ନାମ ପଦ୍ମ ପୁରସ୍କାର ତାଲିକାରେ ରହିଛି। ସେମାନଙ୍କ ମଧ୍ୟରୁ ଦ୍ବିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମବିଭୂଷଣ ପାଇଁ ୭ ଜଣ ନାମ ଘୋଷଣା କରାଯାଇଥିବା ବେଳେ ୧୦ ଜଣଙ୍କୁ ପଦ୍ମଭୂଷଣ ଏବଂ ୧୦୨ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହି ତାଲିକାରେ ୨୯ ଜଣ ମହିଳାଙ୍କ ନାମ ଥିବା ବେଳେ ୧୦ ଜଣ ହେଉଛନ୍ତି ବିଦେଶୀ/ପ୍ରବାସୀ ଭାରତୀୟ। ୧୬ ଜଣଙ୍କୁ ଏହି ସମ୍ମାନ ମରଣୋତ୍ତର ପ୍ରଦାନ କରାଯାଇଛି।

ଆବେ, ବାଲସୁବ୍ରଣ୍ୟମ ଏବଂ ସୁଦର୍ଶନଙ୍କ ସମେତ ଡାକ୍ତର ମାନପ୍ପା ହେଗଡେ, ନରିନ୍ଦର ସିଂହ କପାନି, ମୌଲାନା ୱହିଦୁଦ୍ଦିନ ଖାନ୍ ଏବଂ ବିବି ଲାଲଙ୍କୁ ପଦ୍ମବିଭୂଷଣରେ ସମ୍ମାନିତ କରାଯାଇଛି। ସେହିଭଳି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ, ଲୋକସଭାର ପୂର୍ବତନ ବାଚସ୍ପତି ସୁମିତ୍ରା ମହାଜନ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାଶ୍ବାନ, କେଶୁଭାଇ ପଟେଲ, ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପ୍ରମୁଖ ସଚିବ ନୃପେନ୍ଦ୍ର ମିଶ୍ରଙ୍କୁ ପଦ୍ମଭୂଷଣ ପ୍ରଦାନ କରାଯିବ। ଏହାସହିତ କଲବେ ସାଦିକ, ରଜନିକାନ୍ତ ସ୍ରଫ୍, ତରଲୋଚନ ସିଂହ, ଚନ୍ଦ୍ରଶେଖର କମ୍ବାରା ଏବଂ କେଏନ୍ ଶାନ୍ତା କୁମାରୀ ଚିତ୍ରାଙ୍କୁ ମଧ୍ୟ ପଦ୍ମଭୂଷଣରେ ସମ୍ମାନିତ କରାଯାଇଛି।

ସମ୍ବନ୍ଧିତ ଖବର