ଭୁବନେଶ୍ବର: କ୍ରେଡିଟ୍ କାର୍ଡ ମାଧ୍ୟମରେ ୮କୋଟି ଟଙ୍କାର ଠକେଇ ହୋଇଛି। ଏହି ଠକେଇ ମାମଲାରେ ସାଇବର ଥାନା ପୁଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ରାକେଶ କୁମାର ନାମକ ଜଣେ ବ୍ୟକ୍ତିଙ୍କ ଦ୍ବାରା ସାଇବର ଥାନାରେ ଅଭିଯୋଗ ହେଲା ପରେ ପୁଲିସ ଠକେଇ ଘଟଣା ସାମ୍ନାକୁ ଆଣିଛି।

Advertisment

ପୁଲିସ କହିଛି ଯେ, ଅଭିଯୋଗକାରୀ ରାକେଶ ଋଣ ପାଇଁ ଆବେଦନ କରିବା ସମୟରେ ତାଙ୍କ ନାଁରେ କ୍ରେଡିଟ କାର୍ଡ ଥିବା ଜାଣିବାକୁ ପାଇଥିଲେ। ଏନେଇ ସେ ସାଇବର ଥାନାର ଦ୍ୱାରସ୍ଥ ହୋଇଥଲେ। ତାଙ୍କର ନାମକୁ ବ୍ୟବହାର କରି ଠକମାନେ ଠକେଇ କରିଥିବା ଅଭିଯୋଗ କରିଥିଲେ।

ସାଇବର ପୁଲିସ ଦ୍ବାରା ତଦନ୍ତ ବେଳେ ଜଣାପଡ଼ିଲା ଯେ, ଅଭିଯୁକ୍ତ ଜଣଙ୍କ ହସ୍ପିଟାଲ ବିଲିଂ ଏଜେଂଟଙ୍କ ସହ ମିଶି ଯୋଜନାବଦ୍ଧ ଭାବେ ଠକେଇ କରୁଥିଲେ। ହସ୍ପିଟାଲ ଗୁଡ଼ିକରେ ପେସେଣ୍ଟ ବିଲିଂ କରିବା ସମୟରେ ବିଲିଂ ଏଜେଂଟ ଠକ ନିକଟରେ ଥିବା କ୍ରେଡିଟ କାର୍ଡ ମାଧ୍ୟମରେ ସ୍ୱାଇପ କରି ପେମେଂଟ ନେଉଥିଲେ। ହେଲେ ଏହି ଟଙ୍କା ସବୁ ଠକ ଅଭିଯୁକ୍ତର ଆକାଉଣ୍ଟକୁ ଯାଉଥିଲା। ଏଭଳି କରି ଲୋକଙ୍କୁ ଚୁନା ଲଗାଉଥିଲା ଠକ। ଗିରଫ ପରେ ସାଇବର ଥାନା ପୁଲିସ ଅଭିଯୁକ୍ତ ନିକଟରୁ ୭ଲକ୍ଷ ଟଙ୍କା ସହିତ ୪୫୦ଟି କ୍ରେଡିଟ୍ ଓ ଡେବିଟ୍ କାର୍ଡ, ୬ଟି ମୋବାଇଲ, ପାସବୁକ ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ପୁଲିସ ଏହି ଘଟଣାର‌େ ଅଧିକ ତଦନ୍ତ କରୁଛି।