ନାବାଳିକାକୁ ପ୍ରେମ ପରେ ଅପହରଣ ଉଦ୍ୟମ: ୬ ଗିରଫ, ୩ ବାଇକ୍ ଜବତ

ପଦ୍ମପୁର: ଇନଷ୍ଟାଗ୍ରାମରେ ପ୍ରେମ। ସଂପର୍କ ନିବିଡ ପରେ ନାବାଳିକାକୁ ଅପହରଣ ଉଦ୍ୟମ। ମାମଲାରେ ପଦ୍ମପୁର ପୁଲିସ୍ ୬ ଜଣଙ୍କୁ ଗିରଫ କରିବା ସହ ୩ ନାବାଳକଙ୍କୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡକୁ ପଠାଇଛି। ଅପହରଣରେ ସଂପୃକ୍ତ ୩ ବାଇକକୁ ପୁଲିସ୍ ଜବତ କରିଥିବା ବେଳେ ମାମଲାର ଖୋଳତାଡ଼ ଆରମ୍ଭ କରିଛି। ଗିରଫଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ କଳାହାଣ୍ଡି ଜିଲ୍ଲା କୋକସରା ଅଞ୍ଚଳର ସନ୍ତୋଷ ସାହୁ ଥିବା ବେଳେ  ମୀନକେତନ ବେହେରା, ବିଶ୍ବନାଥ ସାହୁ, ଜୟସେନ ଲାୟା, ରଘୁନାଥ ବାଗ ଓ ସଞ୍ଜୟ ବେହେରାଙ୍କ ଘର ରାୟଗଡ଼ା ଜିଲ୍ଲାରେ ବୋଲି ଜଣା ପଡିଛି।

କଳାହାଣ୍ଡି ଜିଲ୍ଲା କୋକସରା ଅଞ୍ଚଳର ସନ୍ତୋଷ ରାୟଗଡ଼ା ଜିଲ୍ଲା ପଦ୍ମପୁର ବୃନ୍ଦାବନ ସାହିର ଜଣେ ନାବାଳିକା ସହ ଇନଷ୍ଟାଗ୍ରାମରେ ଯୋଡି ହୋଇଥିଲେ। ପ୍ରଥମେ ଉଭୟେ ଭଲ ସାଙ୍ଗ ହେବା ପରେ ପ୍ରେମ ନିବେଦନ କରି ସନ୍ତୋଷ ସଫଳ ହୋଇଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ନିବିଡ ହେବା ପରେ ନାବାଳିକାକୁ ଅପହରଣ ଉଦ୍ୟମ କରିଥିଲେ ପ୍ରେମିକ ସନ୍ତୋଷ। ଶନିବାର ସଂଧ୍ୟା ୮ଟାରେ ସନ୍ତୋଷ ନିଜ ୮ ସହଯୋଗୀଙ୍କ ସହ ନାବାଳିକାକୁ ଅପହରଣ କରିବା ପାଇଁ ପଦ୍ମପୁର ବୃନ୍ଦାବନ ସାହିରେ ପହଞ୍ଚିଥିଲେ। ପରିବାର ଲୋକ ଘଟଣା ସଂପର୍କରେ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ। ପଦ୍ମପୁର ଥାନା ଅଧିକାରୀ ରାଜେଶ ବଳିଆରସିଂ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯୁବକଙ୍କୁ ଠାବ କରିବା ପରେ ଥାନାକୁ ନେଇ ପଚରା ଉଚରା କରିଥିଲେ। ପଚରା ଉଚରା ସମୟରେ ଯୁବକ ଜଣଙ୍କ ଯୁବତୀକୁ ଭଲ ପାଉଥିବା ଏବଂ ତାକୁ ଉଠାଇ ନେବା ପାଇଁ ଆସିଥିବା ପ୍ରକାଶ କରିଥିଲା। ଫଳରେ ପୁଲିସ୍ ୬ ଯୁବକଙ୍କ ଗିରଫ କରିବା ସହିତ ୩ ନାବାଳକଙ୍କୁ ଜୁଭେନାଇକୁ ଜଷ୍ଟିସ୍ ବୋର୍ଡକୁ ପଠାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ତଦନ୍ତକାରୀ ଅଧିକାରୀ ତଥା ପଦ୍ମପୁର ଥାନା ଅଧିକାରୀ ରାଜେଶ ବଳିଆରସିଂ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର