ଜୟପୁର: ଗଂଜେଇ ବିକ୍ରେତା ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ୪ଜଣ ଛାତ୍ର ଓ ଘରୋଇ ଇଂଜନିୟରିଂ କଲେଜର ଜଣେ ଛାତ୍ର ଏଭଳି ୫ଜଣ ଛାତ୍ରଙ୍କୁ କର୍ଣ୍ଣାଟକର ବେଙ୍ଗାଲୁରୁ କମିସନରେଟ ପୁଲିସର ଜୟନଗର ସର୍କିଲ ସିଦ୍ଧାପୁର ପୁଲିସ ଟିମ୍ ଜୟପୁରର ପାରାବେଡ଼ାରେ ରହୁଥିବା ଏକ ଭଡ଼ା ଘରୁ ଉଠାଇ ନ‌େଇଛି। ଜୟପୁର ଟାଉନଥାନା ପୁଲିସ ଓ ଏସଡିପିଓଙ୍କ ସହାୟତାରେ ଏହି ଅଭିଯୁକ୍ତ ଗଂଜେଇ ବିକ୍ରେତାଙ୍କୁ ଧରାଯାଇଛି। ଏମାନେ ହେଲେ ପାଇକସାହିର ରାଜା ମଣ୍ଡଳ(୨୨), ନୂଆସାହି ଚତୁର୍ଥ ଲାଇନର ହିମାଂଶୁ ଶେଖର ନାୟକ(୨୦), ପାରାବେଡ଼ାର ଶିବ ଦତ୍ତ (୧୯), ନଡ଼ିଆବାଡ଼ (ପଡ଼ାଲ) ସାହିର କେ.ଅମରନାଥ ଓ ଉମରକୋଟର ସୋହମ। ଏମାନଙ୍କ ମଧ୍ୟରେ ଜୟପୁର ବ୍ଲକର ଅନ୍ତା ପଂଚାୟତର ସମିତିସଭ୍ୟ ରାଜା ବୋଲି ସୂଚନା ମିଳିଛି। ଏହି ୫ଜଣ ଅଭିଯୁକ୍ତଙ୍କୁ କୋର୍ଟକୁ ଚାଳାଣ କରିଥିବା ସୂଚନା ମିଳିଛି।

Advertisment

ସୂଚନା ଅନୁଯାୟୀ, ଗତ ସେପ୍ଟମ୍ବର ୧୨ତାରିଖରେ କର୍ଣ୍ଣାଟକର ବେଙ୍ଗାଲୁରୁ କମିସନରେଟ ପୁଲିସର ଜୟନଗର  ପୁଲିସ ସର୍କିଲର ସିଦ୍ଧାପୁର ଥାନା ଅଂଚଳରେ ଜଣେ  ଯୁବକ ଗଂଜେଇ ବିକ୍ରୀ କରୁଥିବା ବେଳେ ପୁଲିସ ହାତରେ ଧରାପଡ଼ିଥିଲେ। ‌ଉକ୍ତ ଅଭିଯୁକ୍ତଙ୍କୁ ଧରି ପୁଲିସ ପଚାରାଉଚାରା କରିବା ବେଳେ ତାଙ୍କୁ ଓଡିଶାର ଜୟପୁର ସହରରୁ ଗଂଜେଇ ଆଣି ପହଚାଂଉଥିବା ଏବଂ  ଅଭିଯୁକ୍ତଙ୍କ ମୋବାଇଲ ନମ୍ବର ‌ଦେଇଥିଲେ। ଅଭିଯୁକ୍ତଙ୍କ ମୋବାଇଲ ନମ୍ବରକୁ ପୁଲିସ ଟ୍ରାକିଂ କରିଥିଲା । ମୋବାଇଲଫୋନକୁ ଟ୍ରାକିଂ କରି ଅଭିଯୁକ୍ତଥିବା ସ୍ଥାନକୁ ଚିହ୍ନଟ କରିଥିଲେ।  ସିଦ୍ଧାପୁର ପୁଲିସ ମୂଳ ଉତ୍ସକୁ ଖୋଜି ବାହାର କରି ୨ଟି ଟିମ୍ ଜୟପୁରକୁ ଆସିଥିଲେ। ଗଂଜେଇ କିଣି ନେବାର ବାହାନା କରି ଗ୍ରାହକ ସାଜି ମୁଖ୍ୟଅଭିଯୁକ୍ତଙ୍କ ସହ କଥାବାର୍ତ୍ତା କରିଥିଲେ। ପରେ ପାରାବେଡ଼ାରେ ଥିବା ସେହି ଘର ଉପରେ ଚଢ଼ାଉ କରି ୫ଜଣଙ୍କୁ ଉଠାଇ ନେଇଥିଲେ। କେସନଂ ୨୩୮/୨୦୨୩, ଦଫା ୨୦ବି ଏନଡିପିଏସ୍ ଆକ୍ଟ ଅନୁଯାୟୀ ଏହି ୫ଜଣଙ୍କୁ ଉଠାଯାଇଥିବା ସିଦ୍ଧାପୁର ପୁଲିସ କହିଛି।

କୋରାପୁଟ ଜିଲ୍ଲାରୁ ଗଂଜେଇ ଦେଶର ବିଞାନ ଓପ୍ରଯୁକ୍ତି ବିଦ୍ୟାର ସହର ବାଙ୍ଗାଲୁରକୁ ଚାଳାଣ ହେଉଥିବା ଏହି ଘଟଣା ପରେ ସ୍ପଷ୍ଟ ହୋଇଛି। ଅଭିଯୁକ୍ତ ମାନେ ନିୟମିତ ଭାବେ ଗଂଜେଇ ଚାଲାଣ କରି ଆସୁଥିଲେ। ଏମାନେ ଏୟାର ବ୍ୟ‌ାଗରେ ଅଳ୍ପ ଅଳ୍ପ ଗଂଜେଇ ନେଇ ‌ଟ୍ରେନରେ ପହଚାଂଇ ଆସୁଥି‌ଲେ। ଏଠାରେ କମ୍ ଦର ଥିବା ବେଳେ ସେଠାରେ ଚଢ଼ାଦର ଏମାନଙ୍କୁ ମିଳୁଥିଲା। ଛାତ୍ର ହୋଇଥିବାରୁ ନିଜ ପରିଚୟପତ୍ର ଏମାନଙ୍କୁ ଏସବୁ କରିବାରେ ସହାୟତା ମିଳି ପାରୁଥିଲା। ଏବଂ କେହି ସଂଦେହ ବି କରି ପାରୁନଥିଲେ। ଏଭଳିକି ଏଥି ପୂର୍ବରୁ ବି ବହୁବାର ଏଭଳି ଚାଳାଣ କରିଥିବା ପୁଲିସ ତଦନ୍ତ ବେଳେ ଜାଣି ପାରିଛି। କୋରାପୁଟ ଜିଲ୍ଲାର ଏତେ ସବୁ ଥାନା ଦେଇ ଏତେ ପରିମାଣର ଗଂଜେଇ ପୁଲିସର ନାକତଳୁ ନେଇ ଗଲେ କିନ୍ତୁ କୋରାପୁଟ ପୁଲିସ କିଭଳି ଜାଣି ପାରିଲେ ନାହିଁ ତାହାକୁ‌ ନେଇ  ସାଧାରଣରେ ଚର୍ଚ୍ଚା ହେଉଛି।