ନାରଙ୍ଗପୁରର ୬ ପୋଖରୀ ଶୁଖିଲା, ପାଣି ପାଇଁ ହାହାକାର

ଆନନ୍ଦପୁର : ଘସିପୁରା ବ୍ଲକ୍‌ରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ରେ ମଣିଷ ବଦଳରେ ମେସିନ କରୁଛି କାମ। ବରିପାଳ ପଞ୍ଚାୟତ ନାରଙ୍ଗପୁର ଗ୍ରାମରେ ମନରେଗାରେ ମେସିନରେ ‌ପୋଖରୀ ଖୋଳା ଯାଉଛି। ଏକାସାଙ୍ଗରେ ୬ଟି ପୋଖରୀକୁ ଶୁଖାଇ ଦିଆଯାଇଥିବାରୁ ପାଣିପାଇଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତିଙ୍କ ପାଇଁ ଗ୍ରାମବାସୀ ମୁହଁ ଖୋଲୁ ନଥିବାବେଳେ ଏହାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଗ୍ରାମରେ ଏକାସାଙ୍ଗରେ ସମସ୍ତ ପୋଖରୀ ଶୁଖାଇବାକୁ କିଏ ଅନୁମତି ଦେଲା ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଗ୍ରାମର ହାତୀବାରି, ଜାମୁଗଡ଼ିଆ, ବାଙ୍କସା, କୁମାରଗଡ଼ିଆ, ତଳଆହାର, ମହେଶ ପୋଖରୀକୁ କିଛିଦିନ ତଳେ ପମ୍ପ ଲଗାଇ ଶୁଖାଇ ଦିଆଯାଇଛି। ମନରେଗା ‌ଯୋଜନାରେ ପୋଖରୀ ଖନନପାଇଁ ଏଭଳି କରାଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ସମସ୍ତ ପୋଖରୀକୁ ମେସିନ ଲାଗାଇ ଖୋଳାଯାଉଛି। ନିର୍ମାଣ ଆରମ୍ଭରୁ ସୂଚନା ଫଳକ ‌ଲଗାଯିବାର ନିୟମ ରହିଥିବାବେଳେ ଏହାର ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ଏପଟେ ସମସ୍ତ ପୋଖରୀକୁ ଶୁଖାଇ ଦିଆଯିବାରୁ ଗ୍ରାମରେ ଜଳାଭାବ ଦେଖାଦେଇଛି। ଗ୍ରାମବାସୀ ସ୍ନାନଶୌଚ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗୃହପାଳିତ ପଶୁମାନେ ପିଇବାକୁ ପାଣି ଟୋପେ ପାଉନାହାନ୍ତି। ଏନେଇ ଘସିପୁରା ଏବିଡିଓ ମେନକା ମାରାଣ୍ଡିଙ୍କୁ ପଚାରିବାରୁ, ସେ ଏ ସମ୍ପର୍କରେ ଅବଗତ ନାହାନ୍ତି। ସମ୍ପୃକ୍ତ ପଞ୍ଚାୟତର ପିଇଓଙ୍କୁ ଯୋଗାଯୋଗ କରିବାକୁ କହିଥିଲେ।

ସମ୍ବନ୍ଧିତ ଖବର