ବ୍ରହ୍ମପୁର: ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଆଜି ଏକ ପିକ୍‌ଅପ୍‌ ଭ୍ୟାନ୍‌ରୁ ୬ଶହ କେଜି ଗଂଜେଇ ଜବତ କରାଯାଇଛି। ଅବକାରୀ ଆଇଆଇସି ହୃଦୟଚନ୍ଦ୍ର ସାମନ୍ତଙ୍କ ନେତୃତ୍ବରେ ଏକ ଟିମ୍ ଆଜି ସକାଳେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଲଙ୍ଗଳଦେଇ ଠାରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ (ଓଡି୦୭ଏଲ୍‌ ୧୧୦୨)କୁ ଅଟକାଇ ଯାଞ୍ଚ କଲାବେଳେ ସେଥିରେ ଗଂଜେଇ ଭର୍ତ୍ତି ହୋଇଥିବା ଦେଖିବାକୁ ପାଇଥିଲା। ଗଂଜେଇ ସହ ଗାଡ଼ିକୁ ଜବତ କରି ଚାଳକକୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତ ଜଣକ ହେଲା ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ଗ୍ରାମର ହରିଶ ବାରିକ୍ (୩୫)। ଜବତ ଗଂଜେଇ ଓଜନ କରିବାରୁ ଏହାର ପରିମାଣ ୬ଶହ କେଜି ଜଣାପଡ଼ିଥିଲା, ଯାହାର ଆନୁମାନିକ ମୂଲ୍ୟ ୬୮ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ମୋହନା ଅଂଚଳରୁ ଏହି ଗଂଜେଇ ସଂଗ୍ରହ କରି ଯୁବକ ଜଣକ ବାହାର ଜିଲ୍ଲାକୁ ଚାଲାଣ କରିବା ପାଇଁ ଆଣୁଥିବା ଜେରା ବେଳେ ସ୍ବୀକାର କରିଥିବା ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି। ଏନେଇ ଏକ ମାମଲା ରୁଜୁ ‌କରି ଗିରଫ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି।

Advertisment

ଚଳିତ ଆର୍ଥିକ ବର୍ଷରେ ଗତ ଏପ୍ରିଲ୍‌ରୁ ଆଜିସୁଦ୍ଧା ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ୫୮ଟି ଏନ୍‌ଡିପିଏସ୍‌ ମାମଲା ରୁଜୁ ହୋଇଥିବା ବେଳେ ମୋଟ ୩୦୧୫କେଜି ଗଂଜେଇ ଜବତ ହୋଇଛି। ଏହି ଗଂଜେଇ ଚୋରା ଚାଲାଣରେ ବ୍ୟବହାର ହୋଇଥିବା ୩ଟି ଟ୍ରକ୍, ୨ଟି ପିକ୍‌ଅପ୍, ୧୫ଟି କାର୍‌, ୪ଟି ଅଟୋ, ୪ଟି ସ୍କୁଟି ଓ ୨୫ଟି ବାଇକ୍‌କୁ ମଧ୍ୟ ଜବତ୍ କରାଯାଇଥିବା ନେଇ ଅବକାରୀ ଅତିରିକ୍ତ କମିସନର ଡମ୍ବରୁଧର ଖଣ୍ଡା ସୂଚନା ଦେଇଛନ୍ତି।