ରାଉରକେଲା : ଅଟକିଛି ୬ ରେଳ ଲାଇନ ସଂଯୋଗୀକରଣ

ରକ୍ସି-ବାଂଶପାଣି ପାଇଁ ବ୍ୟୟ ଅଟକଳ ୧୭୪୬.୨୯ କୋଟି
କିରିବୁରୁ-ବଡବିଲ୍‌ ପାଇଁ ବ୍ୟୟ ଅଟକଳ ୭୦୫.୧୭ କୋଟି
ତାଳଚେର-ବିମଳାଗଡ ପାଇଁ ବ୍ୟୟ ଅଟକଳ ୧୯୨୮ କୋଟି
କଲୁଙ୍ଗା-ଲାଠିକଟା ପାଇଁ ବ୍ୟୟ ଅଟକଳ ୧୫୦ କୋଟି

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ଅର୍ଥନୈତିକ ବିକାଶରେ ବାଧକ ସାଜିଛି ପ୍ରସ୍ତାବିତ ରେଳ ଲାଇନ ସଂଯୋଗକୀକରଣରେ ଅହେତୁକ ବିଳମ୍ବ। ଗୋଟିଏ କି ଦୁଇଟି ନୁହେଁ, ମୋଟ୍‌ ୬ଟି ରେଳ ଲାଇନ ସଂଯୋଗୀକରଣ ସର୍ଭେରେ ଅଟକିଛି। ରେଳଲାଇନ ପାଇଁ ରେଲୱେ ବୋର୍ଡ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାରଙ୍କ ସବୁଜ ସଙ୍କେତ ନମିଳିବା ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଇଚ୍ଛାଶକ୍ତିର ଅଭାବରୁ ବର୍ଷ ବର୍ଷ ଧରି ଏସବୁ ପ୍ରକଳ୍ପ ଆଗେଇ ପାରୁନାହିଁ। ଆଜି ପର୍ଯ୍ୟନ୍ତ ଟଙ୍କାଟିଏ ଖର୍ଚ୍ଚ ବି ହୋଇ ନାହିଁ।

ରକ୍ସି-ବାଂଶପାଣି ଭାୟା କୋଇଡା (୫୭.୫ କି.ମି.) ପାଇଁ ୧୭୪୬.୨୯ କୋଟି, କିରିବୁରୁ- ବଡ଼ବିଲ (୨୪.୨ କି.ମି.) ୭୦୫.୧୭ କୋଟି, କଲୁଙ୍ଗା- ଲାଠିକଟା ( ପ୍ରାୟ ୧୫ କି.ମି. ) ପାଇଁ ୧୫୦ କ‌ୋଟି ବ୍ୟୟ ବରାଦ ହୋଇଥିଲା। ୨୦୧୮ ମେ ୨ରେ ସର୍ଭେ କରାଯାଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସାରିବାକୁ ରେଳ ବୋର୍ଡକୁ ପ୍ରସ୍ତାବ ମଧ୍ୟ ଦିଆଯାଇଥିଲା। ଗତ ୨୦୧୮ ମେ’ ୩ରେ କୋଇଡା- ବଡ଼ବିଲ୍‌ ଲାଇନ ସର୍ଭେ କରି ରେଲୱେ ବୋର୍ଡକୁ ପ୍ରସ୍ତାବ ଦିଆଯାଇଥିଲା। ଅନୁରୂପ ଭାବେ ଝାରସୁଗୁଡା-ଅମ୍ବିକାପୁର, କିରିବୁରୁ-ଗୋଆ ରେଳ ଲାଇନ ପାଇ ସର୍ଭେ କରାଯାଇଥିଲା। ନିର୍ମାଣ ପାଇଁ ରେଲୱେ ବୋର୍ଡ ପକ୍ଷରୁ ସବୁଜ ସଙ୍କେତ ମିଳିଥିବା କୁହାଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଯେତେ ଶୀଘ୍ର ଜମି ଅଧିଗ୍ରହଣ ପାଇଁ ଅନୁମତି ମିଳିବ, ସେତେ ଶୀଘ୍ର କାମ ଆରମ୍ଭ ହେବ। ୨୦୨୩-୨୪ ସୁଦ୍ଧା ଏସବୁ ରେଳ ଲାଇନ କାମ ଶେଷ ହୋଇ ପାରିବା କଥା। କିନ୍ତୁ ଏସବୁ ପ୍ରକଳ୍ପ କେମିତି ଆରମ୍ଭ ହେବ କାହାରି ପକ୍ଷରୁ ଉଦ୍ୟମ ହେଉନି।

ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ ପ୍ରସ୍ତାବିତ ରେଳ ଲାଇନ ସଂଯୋଗୀକରଣ କାମ କେବଳ ପ୍ରସ୍ତାବରେ ଅଟକିଛି। ଫଳସ୍ବରୂପ ଜିଲ୍ଲାର ଖଣିଜ ପରିବହନ ପାଇଁ ସମ୍ପୃକ୍ତ ଅଞ୍ଚଳରେ ଦୈନନ୍ଦିନ ଟ୍ରାଫିକ୍‌ ସମସ୍ୟା ଜଟିଳ ହେଉଛି।‌ ସେପଟେ ସୁନ୍ଦରଗଡ ଜିଲ୍ଲାରେ ରାଜ୍ୟର ଷ୍ଟିଲ ହବ୍‌ ହେବାକୁ ଯାଉଛି। ବନ୍ଦ ପଡିଥିବା ଖଣିଗୁଡ଼ିକ ନିଲାମ ହୋଇ ପୁଣି ସେଠାରୁ ଲୌହ ପଥର ଉତ୍ତୋଳନ ଆରମ୍ଭ ହେବ। ଏସବୁ ଦୃଷ୍ଟିକୋଣରୁ ୬ ପ୍ରକଳ୍ପର ନିହାତି ଆବଶ୍ୟକତା ରହିଛି। ତାଳଚେର- ବିମଳାଗଡ ରେଳ ଲାଇନ କାମ ମଧ୍ୟ କଚ୍ଛପ ଗତିରେ ଚାଲିଛି। ୧୯୨୮ କୋଟି ଟଙ୍କାର ୧୫୪ କି.ମି. ତାଳଚେର- ବିମଳାଗଡ ରେଳ ପ୍ରକଳ୍ପ ପାଇଁ ଏଯାବତ୍‌ ଖର୍ଚ୍ଚ ‌ହୋଇଛି ୮୩୯ କୋଟି। ତାଳଚେରରୁ ସୋନାଖଣି ପର୍ଯ୍ୟନ୍ତ କେବଳ ୨୦ କି.ମି. ନିର୍ମାଣ କାମ ଶେଷ ହୋଇଛି। ସୋନାଖଣି ଠାରୁ ପରବର୍ତ୍ତୀ ପର୍ଯ୍ୟାୟ ୨୩.୫ କି.ମି. ପର୍ଯ୍ୟନ୍ତ କାମ ଜମି ଅଧିଗ୍ରହଣ ପାଇଁ ଆଗେଇ ପାରୁନି। ଆବଶ୍ୟକ ୯୧୬ ଏକର ଜମିକୁ ରାଜ୍ୟ ସରକାର ଅଧିଗ୍ରହଣ କରି ଆଇନ ଆଇନ ମୁତାବକ ରେଳ ବିଭାଗକୁ ହସ୍ତାନ୍ତର କରି ନାହାନ୍ତି। ତାହା ସତ୍ବେ ୨୦୨୦-୨୧ ବର୍ଷରେ ୧୪୦ କ‌ୋଟି ମଞ୍ଜୁର କରାଯାଇଥିଲା।

ଚଳିତ ବଜେଟ୍‌ରେ ପୁଣି ୧୦ କ‌ୋଟି ଟଙ୍କା ମଞ୍ଜୁର ହୋଇଛି। ଲାଠିକଟା- କଲୁଙ୍ଗା ଷ୍ଟେସନ ଯୋଡି କୌଣସି ସ୍ଥାନରେ ରେଲୱେ ସାଇଡିଂ ନିର୍ମାଣ କରାଗଲେ ସ୍ମାର୍ଟ ସିଟି ରାଉରକେଲାର ଟ୍ରାଫିକ ସମସ୍ୟା ଅନେକାଂଶରେ ଦୂର ହୋଇପାରନ୍ତା। ରେଳ ବିଭାଗ ଜିଲ୍ଲାରୁ କୋଟି କୋଟି ଟଙ୍କା ରାଜସ୍ବ ପାଇପାରନ୍ତା। ନିଯୁକ୍ତିର ସୁଯୋଗ ସୃଷ୍ଟି ହୁଅନ୍ତା। ଏସବୁ ରେଳ ପ୍ରକଳ୍ପ କାମ ନ ଆଗେଇଲେ ଜିଲ୍ଲାର ଆର୍ଥିକ ବିକାଶ ଯେତିକି ବାଧାପ୍ରାପ୍ତ ହେବ, ତା’ ଠାରୁ ଢ଼େର ଅଧିକ ଟ୍ରାଫିକ ସମସ୍ୟା ସୃଷ୍ଟି କରିବ। ଜିଲ୍ଲାର ଅର୍ଥନୈତିକ ବିକାଶ ଦୃଷ୍ଟିୁ ରାଜ୍ୟ ସରକାର ରେଲୱେ ବୋର୍ଡକୁ ଚିଠି ଲେଖି ଜମି ଅଧିଗ୍ରହଣ ଅନୁମତି ପାଇଁ ସବୁଜ ସଙ୍କେତ ଦେବାର ଆବଶ୍ୟକତା ରହିଛି। ନହେଲେ ଆଗାମୀ କିଛି ବର୍ଷ ମଧ୍ୟରେ ଜିଲ୍ଲାର ପରିବହନ କ୍ଷେତ୍ରରେ ଭୟଙ୍କର ଟ୍ରାଫିକ୍‌ ସମସ୍ୟା ଉପୁଜିବ।

ସମ୍ବନ୍ଧିତ ଖବର