ପୁଲିସ ସହ ଧସ୍ତାଧସ୍ତି, ଧରାପଡ଼ିଲେ ୬ ଡକାୟତ

ବନ୍ଧୁକ, ଗୁଳି, ଗାଡ଼ି ଓ ମୋବାଇଲ୍ ଫୋନ୍ ଜବତ

କଟକ : ମହାନଦୀ କୂଳ ହାଡ଼ିଆ ପଠାରେ ଡକାୟତି ଷଡ଼ଯନ୍ତ୍ର କରୁଥିବା ଏକ ଗ୍ୟାଙ୍ଗ୍‌ର ୬ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ପୁଲିସ କାବୁ କରିଛି। ସେମାନଙ୍କ ନିକଟରୁ ବନ୍ଧୁକ, ଗୁଳି, ଗାଡ଼ି ଓ ମୋବାଇଲ୍ ଫୋନ୍ ଇତ୍ୟାଦି ଜବତ କରାଯାଇଛି। ପୁଲିସ ସହ ଧସ୍ତାଧସ୍ତ‌ିରେ ଧରା ପଡ଼ିଥିବା ଏହି ଅପରାଧୀମାନେ କଟକ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅପରାଧ ଘଟାଉଥିବା ପୁଲିସ ସୂଚନା ଦେଇଛି। ଧରା ପଡିଥିବା ଅଭିଯୁକ୍ତମାନେ ହେଲେ ଯାଜପୁର ମଙ୍ଗଳପୁରର ବିଟୁ ଓରଫ ବିଶ୍ଵଜିତ ଦାସ(୩୨), କଟକ ସଦରର ସଂଜୟ ସାମଲ(୩୦), ଜଗତପୁରର ଟିକିନା ଓରଫ ପ୍ରଶାନ୍ତ ବାରିକ(୪୧), ନିଆଳିର କଇଁ ଓରଫ ଶୁଭଦର୍ଶନ ଦାସ(୨୪), ଭଦ୍ରକ ଧୂଷୁରୀର ବୁଟୁ ନାୟକ(୩୫) ଓ ଜଗତସିଂହପୁର ରଘୁନାଥପୁରର ରାଜା ଓରଫ ରାଜେଶ ଖଟୁଆ (୩୫)।

ରାଜା ପୂରା ଗ୍ୟାଙ୍ଗକୁ ନିୟନ୍ତ୍ରଣ କରୁଥିବା ବେଳେ ଅନ୍ୟମାନେ ତାକୁ ସହଯୋଗ କରୁଥିଲେ। ରାଜା ଏଭଳି ଦୁଇ, ତିନିଟି ଗ୍ୟାଙ୍ଗକୁ ନିୟନ୍ତ୍ରଣ କରୁଥିବା ପୁଲିସ ଜାଣିବାକୁ ପାଇଛି। ପୁଲିସ ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ୯ ଏମ୍‌ଏମ୍‌ ପିସ୍ତଲ, ୭.୬୫ ଅଟୋ ପିସ୍ତଲ, ଦେଶୀ ସିକ୍ସର ରିଭଲଭର୍‌, ଦେଶୀ ରିଭଲଭର୍‌, ଦେଶୀ ସିଙ୍ଗଲ୍‌ ସର୍ଟ ପିସ୍ତଲ, ୩୦ଟି ଅଫୁଟା ଗୁଳି, ହୋଣ୍ଡା ଆକ୍ଟିଭା ସ୍କୁଟର, ୟାମା ଆର୍‌ ୧୫ ବାଇକ୍ ଓ ୬ଟି ମୋବାଇଲ ଫୋନ ଜବତ କରିଛି। ମହାନଦୀର ହାଡ଼ିଆ ପଠାରେ ଏହି ଅପରାଧ ଗ୍ୟାଙ୍ଗ୍‌ ଏକାଠି ହୋଇଥିବା ସଂପର୍କରେ ଖବର ପାଇ ମଙ୍ଗଳାବାଗ ଥାନା ପୁଲିସ ଆଇଆଇସି ଅମିତାଭ ମହାପାତ୍ରଙ୍କ ନେତୃତ୍ବରେ ସେଠାରେ ଅତର୍କିତ ଚଢ଼ଉ କରାଯାଇଥିଲା। ପୁଲିସ ଚାରି ପଟୁ ଘେରି ଯିବାରୁ ଏହି ଅପରାଧୀମାନେ ଆଉ ଖସି ଯାଇ ପାରିନଥିଲେ।

ଜେରା ସମୟରେ ସେମାନେ ମଙ୍ଗଳାବାଗ ହାୱଡା ପେଟ୍ରୋଲ ପମ୍ପରେ ଡକାୟତି ଯୋଜନା କରୁଥିବା ସ୍ବୀକାର କରିଥିଲେ। ଏହି ଗ୍ୟାଙ୍ଗ୍‌ କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ଵର, କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ଜଗତସିଂହପୁର, ବ୍ରହ୍ମପୁର ଓ ଗଞ୍ଜାମ ଜିଲ୍ଲାରେ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଅଛନ୍ତି। ଏହି ଗ୍ୟାଙ୍ଗର ବିଟୁ ଓରଫ ବିଶ୍ଵଜିତକୁ ୩ ଦିନ ରିମାଣ୍ଡ୍‌ରେ ଆଣିବାକୁ ପୁଲିସ ଆବେଦନ କରିଛି। ବିଟୁ ବିରୋଧରେ ଲକ ଥାନା ସମେତ ପାରାଦୀପ, ଆଳି, ବିଞ୍ଝାରପୁର ଥାନାରେ ସର୍ବାଧିକ ୧୩ଟି ଅପରାଧିକ ମାମଲା ରହିଛି। ରାଜା ବିରୋଧରେ ପାରାଦୀପ, ଡେରାବିଶ, ରଘୁନାଥପୁର ଓ କନ୍ଦରପୁର ଥାନାରେ ୬ଟି ମାମଲା, କଇଁନ ବିରୋଧରେ ଜଗତପୁର, କନ୍ଦରପୁର ଓ ନିଆଳିରେ ୪ଟି ଓ ଟିକିନା ବିରୋଧରେ ଜଗତପୁର, ସଦର ଓ ମଙ୍ଗଳାବାଗ ଥାନାରେ ୪ଟି ମାମଲା ରହିଛି।

ଏମାନେ ମୁଖ୍ୟତଃ ବନ୍ଧୁକ କାରବାର, ଚୋରି, ଡକାୟତି ଓ ହତ୍ୟା ଉଦ୍ୟମ ଭଳି ସଙ୍ଗିନ୍‌ ଅପରାଧରେ ସଂପୃକ୍ତ ଅଛନ୍ତି। ଏହି ଗ୍ୟାଙ୍ଗକୁ ବନ୍ଧୁକ ଯୋଗାଉ ଥିବା ଅପରାଧୀଙ୍କୁ ପୁଲିସ ଧରିବାକୁ ଯୋଜନା ଚଳାଇଛି। କଟକ କମିସନରେଟ୍‌ ପୁଲିସ ଗଲା ୩ ମାସ ଭିତରେ ୩୦ଟି ବନ୍ଧୁକ ଓ ୨୫୦ରୁ ଅଧିକ ଗୁଳି ଜବତ କରିଛି। ଆଗକୁ ଏଭଳି ଗ୍ୟାଙ୍ଗ୍‌ ବିରୋଧରେ ଦମନ ଅଭିଯାନ ଜୋରଦାର ହେବ ବୋଲି ପୁଲିସ କମିସନର୍‌ ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର