ଦିନରେ କ୍ରିକେଟ୍, ରାତିରେ ଡକାୟତି : ୬ ଡକାୟତ ଗିରଫ, ମାରଣାସ୍ତ୍ର ଜବତ

ଖଇରା : ଦିନରେ କ୍ରିକେଟ୍ ମ୍ୟାଚ୍, ରାତିରେ ଡକାୟତି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ନୂଆ ତରିକାରେ ଡକାୟତି, ଲୁଟପାଟ୍‌ କରୁଥିବା ୬ ଜଣ ଯୁବକଙ୍କୁ ଗିରଫ କରିଛି ଖଇରା ପୁଲିସ। ଏମାନେ ସମସ୍ତେ ଖଇରା ଥାନା ଅଞ୍ଚଳର ହୋଇଥିବାବେଳେ ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ତ ସିତୁ ଓରଫ ଦେବାଶିଷ ଦାସ ନାଁରେ ଖଇରା ଥାନା ସମେତ ଓଡ଼ିଶାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି।

ଗିରଫ ଡକାୟତ ସିତୁ, ଦୀପକ କୁମାର ଜେନା, କମଳାକାନ୍ତ ଜେନାର ଘର ବଟେଶ୍ବର ଗାଁରେ ହୋଇଥିବାବେଳେ କିଶୋର କୁମାର ରାଉତର ଘର ଗୋପାଳବେଢା, ସଞ୍ଜୟ ଜେନାର ଘର ତୁଟ ଓ ଅନ୍ତର୍ଯ୍ୟାମୀ ନାୟକର ଘର ଚକମହାସମପୁର ଗ୍ରାମରେ ବୋଲି ଜଣାପଡିଛି। ଏହି ଡକାୟତ ଗ୍ୟାଙ୍ଗ୍‌ ଏକ କ୍ରିକେଟ୍ ଟିମ୍ ଗଠନ କରି ଦିନରେ ମ୍ୟାଚ୍ ଖେଳିବାକୁ ଯାଆନ୍ତି ଏବଂ ରାତିରେ ସୁଯୋଗ ଉଣ୍ଡି ବିଭିନ୍ନ ଅ‌ଞ୍ଚଳରୁ ଡକାୟତି କରନ୍ତି ବୋଲି ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଖଇରା ଥାନା ଆଇଆଇସି ସୁବ୍ରତ କୁମାର ବେହେରା ସୂଚନା ଦେଇଛନ୍ତି। ଏହି ଗ୍ୟାଙ୍ଗଠାରୁ ଧଳା ରଙ୍ଗର ଏକ ହୁଣ୍ତାଇ ଭର୍ଣ୍ଣା କାର୍‌ (ଓଡି୦୨ବିସି-୨୭୨୯), ଏକ ନମ୍ବରବିହୀନ ଆପାଚି ବାଇକ୍‌, ୟାମାହା ସ୍କୁଟର୍‌ (ଓଡି୦୧ଏଜି-୫୦୮୦), ଗୋଟିଏ ମଙ୍ଗଳସୂତ୍ର, ହଳେ କାନଫୁଲ ସହିତ ନଗଦ ୭ ହଜାର ୨ ଶହ ଟଙ୍କା, ୭ଟି ମୋବାଇଲ ଫୋନ୍‌, ୪ଟି ଭ୍ୟାନିଟ୍ ବ୍ୟାଗ୍‌, କିଛି ଲକର ଓ ସଟର୍‌ ଚାବି, ଗୁପ୍ତି, ଫାର୍ସା, ଛୁରି ଆଦି ମାରଣାସ୍ତ୍ର ଜବତ ହୋଇଛି।

ଫେବ୍ରୁଆରି ୩ ତାରିଖ ରାତିରେ ଖଇରା ଥାନା ମହତୀପୁର ପଞ୍ଚାୟତ ଚକମହାସମପୁର ଗ୍ରାମର ଗୋପାଳ ରାଉତଙ୍କ ସ୍ତ୍ରୀ ଘରେ ରୋଷେଇ କରୁଥିବା ସମୟରେ ଅଭିଯୁକ୍ତମାନେ ମାରଣାସ୍ତ୍ର ଦେଖାଇ ତାଙ୍କଠୁ ସୁନା କାନଫୁଲ ନେଇ ପଳାଇ ଯାଇଥିଲେ। ପରେ ଗଣ୍ତିବେଡ ବଜାରରେ ଗହଣା ଦୋକାନ କରିଥିବା ପ୍ରମୋଦ କୁମାର ବିଶ୍ବାଳ ଦୋକାନ ବନ୍ଦ କରି ସ୍ତ୍ରୀଙ୍କ ସହିତ ଘରକୁ ଫେରୁଥିବା ବେଳେ ବୁଢାଗଢିଆ ସ୍କୁଲ ଛକ ନିକଟରେ ଅଭିଯୁକ୍ତମାନେ ତାଙ୍କୁ ମାରଣାସ୍ତ୍ର ଦେଖାଇ ସୁନାଗହଣା, ଟଙ୍କା ଲୁଟି ନେବା ସହ ଭିନ୍ନ ଭିନ୍ନ ରାସ୍ତାରେ ଚମ୍ପଟ୍‌ ମାରିଥିଲେ। ହେଲେ ଦୁଇଜଣ ଅଭିଯୁକ୍ତ ସାରୁଗାଁ ଦେଇ ଖସି ପଳାଉଥିବା ବେଳେ ଗ୍ରାମବାସୀ ସେମାନଙ୍କୁ କାବୁ କରି ଖଇରା ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣଙ୍କୁ ଗିରଫ କରି ଥାନାକୁ ଆଣିବା ସହିତ ତଦନ୍ତ ଚଳାଇଥିଲା। ଅପରାଧୀଙ୍କ କଳା କାରନାମା ଜାଣିବା ପରେ ବାଲେଶ୍ବର ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ଅଧିକ ଖୋଳତାଡ଼ କରିବାକୁ ନୀଳଗିରି ଏସ୍‌ଡିପିଓ ରିତେଶ କୁମାର ମହାପାତ୍ର ଓ ଖଇରା ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଡକାୟତି ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ତ ଦେବାଶିଷ ଦାସ ଓରଫ ସିତୁ ଓ ତାର କିଛି ସହଯୋଗୀଙ୍କୁ ପୁରୀରୁ ଗିରଫ କରିଥିଲା ଖଇରା ପୁଲିସ।

ସମ୍ବନ୍ଧିତ ଖବର