ହାଇଦରକୁ ଧରିବା ଲାଗି ତନାଘନା, ଗଠନ ହେଲା ୬ଟି ସ୍ବତନ୍ତ୍ର ଟିମ୍

ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଡିଜିଙ୍କ ଜରୁରୀ ବୈଠକ
ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି, ଷ୍ଟେସନରେ ଫଟୋ ଧରି ବୁଲୁଛି ପୁଲିସ

ଭୁବନେଶ୍ବର : ଚର୍ଚ୍ଚିତ ଗ୍ୟାଙ୍ଗ୍‌ଷ୍ଟର ସେକ୍‌ ହାଇଦରକୁ ଧରିବା ପାଇଁ ତନାଘନା ଚଳାଇଛି କମିସନରେଟ୍‌ ପୁଲିସ। ଡିଜି ଅଭୟଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଜରୁରୀ ବୈଠକ ବସି ଏଥିପାଇଁ ସ୍ବତନ୍ତ୍ର ରଣନୀତି ତିଆରି କରାଯିବା ସହିତ ୬ଟି ଟିମ୍‌ ଗଠନ କରାଯାଇଛି। ସ୍ବତନ୍ତ୍ର ଅଧିକାରୀ ଓ ସାଦା ପୋଷାକ ଧାରୀ ପୁଲିସ କର୍ମଚାରୀଙ୍କୁ ଏଥିରେ ସାମିଲ କରାଯାଇଛି। ଗତକାଲି ମଞ୍ଚେଶ୍ବରର ସୃଷ୍ଟି ଆପାର୍ଟମେଣ୍ଟରେ ପୁଲିସ ଚଢ଼ଉ କରିଥିବା ବେଳେ ଆଜି ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି। ଭୁବନେଶ୍ବରର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥ ସିଲ୍‌ କରାଯାଇଛି। ରାଜ୍ୟର ସୀମା, ରେଳପଥ, ଉପରେ ନଜର ରହିଛି ବୋଲି ସୂଚନା ଦେଇଛନ୍ତି ଏଡିଜି ଯଶୱନ୍ତ କୁମାର ଜେଠ୍‌ୱା।

ଆଜି ଡିଜିପିଙ୍କ ଅଧ୍ୟକ୍ଷତାରେ କ୍ୟାମ୍ପ୍‌ ଅଫିସ୍‌ରେ ବସିଥିବା ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ହାଇଦରକୁ ଧରିବା ପାଇଁ ହୋଇଥିବା ରଣନୀତି ଉପରେ ସମୀକ୍ଷା କରାଯିବା ସହ କେତେକ ନୂଆ ଯୋଜନା ମଧ୍ୟ କରାଯାଇଥିଲା। ଡିଜି ଓ ଏଡିଜିଙ୍କ ସମେତ, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଏହି ପ୍ରସଙ୍ଗରେ ଦୀର୍ଘ ଏକ ଘଣ୍ଟା ଧରି ଆଲୋଚନା କରିଥିଲେ। ବୈଠକ ପରେ ଶ୍ରୀ ଜେଠ୍‌ୱା ଗଣମାଧ୍ୟମକୁ କହିଥିଲେ ‌ଯେ ଫେରାର ହାଇଦରକୁ ଧରିବା ଉପରେ ପ୍ରାଥମିକତା ଦିଆଯାଇଛି। ବର୍ତ୍ତମାନ ଯାହା ସୂଚନା ମିଳିଛି ତାହା ଉପରେ ଅନୁସନ୍ଧାନ ଜାରି ରହିଛି। ଏ ନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ମେଡିକାଲର ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯିବା ପରେ ଚଢ଼ଉ ଆରମ୍ଭ ହୋଇଛି। ପରିବାର ଲୋକ ଓ ନର୍ସଙ୍କୁ ଖୁବ୍‌ଶୀଘ୍ର ଜେରା କରାଯିବ।

ଏକ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ହାଇଦର ଫେରାର ହେଲା ବେଳେ ସେଠାରେ ସକ୍ରିୟ ଥିବା ମୋବାଇଲ ନମ୍ବର ସବୁକୁ ଟ୍ରାକ୍‌ କରାଯାଇଛି। ଏହି ନମ୍ବର ଭିତରୁ ଦୁଇଟି ମୋବାଇଲ ମଞ୍ଚେଶ୍ବର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟ ପାଖ‌ରେ ଲୋକେସନ ଦେଖାଉଥିବାରୁ ସେଠାରେ ହାଇଦର ରହୁଥିବା ନେଇ ଆଶଙ୍କା ଉପୁଜିଥିଲା। ଏଣୁ ଗତକାଲି ବିଳମ୍ବିତ ରାତିରେ ପୁଲିସର ୩ଟି ଦଳ ଏହି ଅଞ୍ଚଳରେ ଥିବା ୫ଟି ଆପାର୍ଟମେଣ୍ଟ ଓ କେତେକ ହୋଟେଲରେ ଚଢ଼ଉ କରିଥି‌ଲେ। ହେଲେ ହାଇଦର କିମ୍ବା ତା’ର କୌଣସି ସହଯୋଗୀଙ୍କ ପତ୍ତା ମିଳିନଥିଲା। ଅନ୍ୟପଟେ ରେଳ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ପଥରେ ଯାଞ୍ଚ କଡ଼ାକଡ଼ି ହୋଇଛି। ରେଳବାଇ ପୁଲିସ ହାଇଦର ଫଟୋକୁ ଧରି ଷ୍ଟେସନ ସାରା ଘୂରି ବୁଲୁଛି। ହାଇଦରକୁ କେଉଁ ଯାତ୍ରୀ ଦେଖିଥିବା କିମ୍ବା ତା’ ସମ୍ବନ୍ଧରେ କିଏ ସୂଚନା ଦେଇପାରୁଛି, ତାହା ଅନୁସନ୍ଧାନ କରୁଛି। ଆଜି ଦିନତମାମ ରେଳ ଷ୍ଟେସନରେ ଏଭଳି ଚିତ୍ର ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର