ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରୁ ୬.୪୦ ଲକ୍ଷର ବିଜୁଳି ଖୁଣ୍ଟି ଚୋରି, ୬ ଗିରଫ

ମୁଖ୍ୟ ଅଭିଯୁକ୍ତ ମହମ୍ମଦ ସୁଫ୍ୟାନ୍‌ ଫେରାର

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରୁ ୬ ଲକ୍ଷ ୪୦ ହଜାର ଟଙ୍କାର ବିଦ୍ୟୁତ୍‌ ଖୁଣ୍ଟି ଚୋରି ଘଟଣାରେ ଝାଡ଼ଖଣ୍ଡ ଜରେଇକେଲା ପୁଲିସ ସୁନ୍ଦରଗଡ ବିଶ୍ରାର ୬ ଜଣଙ୍କୁ ଗିରଫ କରିଛି। ସମସ୍ତଙ୍କୁ ଝାଡ଼ଖଣ୍ଡ ପଶ୍ଚିମସିଂହଭୂମ ସ୍ଥିତ ଚାଇବାସା ଜେଲକୁ ପଠାଇ ଦିଆଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରାର ଚକ୍ରଧର ମହନ୍ତ (୪୨), ମହମ୍ମଦ ତବରେଜ (୩୭), ଘୁରନ ମହତୋ (୪୦), ବାସୁଦେବ ନାଗ (୨୬), ବିନୋଦ ନାଗ (୨୦), ରାଜୁ ପ୍ରସାଦ (୨୨)। ଏମାନଙ୍କ ନିକଟରୁ ଚୋରି ସାମଗ୍ରୀ ଜବତ ହୋଇଛି। ଚୋରି ଘଟଣାର ମାଷ୍ଟରମାଇଣ୍ଡ ମହମ୍ମଦ ସୁଫ୍ୟାନ୍‌ ଫେରାର ହୋଇଯାଇଛି। ତା’ ନାଁରେ ଓଡ଼ିଶାର ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। ଚକ୍ରଧର ମହନ୍ତ ନାଁରେ ଓଡ଼ିଶା ଏବଂ ଝାଡ଼ଖଣ୍ଡ ନାବାଳିକା ଚାଲାଣ ମାମଲା ରହିଥିବା ପୁଲିସ କହିଛି।

ଝାଡ଼ଖଣ୍ଡ ଜରେଇକେଲା ଥାନା ଅନ୍ତର୍ଗତ ନୟାଗାଁ ଏବଂ ବିଟକିଲସୋଏ ଗାଁ ମଧ୍ୟରେ ଦୁଇ କିଲୋମିଟର ବ୍ୟାପୀ ବିଜୁଳି କାମ ଜାରି ରହିଛି। ବିଦ୍ୟୁତ୍‌ ତାର ଟଣା ହେବାକୁ ଲକ୍ଷ ଲକ୍ଷ ଟଙ୍କାର ବିଦ୍ୟୁତ୍‌ ଖୁଣ୍ଟି ରଖାଯାଇଥିଲା। ଗତ ସପ୍ତାହ ତଳେ ରାଉରକେଲା ବିଶ୍ରାର ପ୍ରାୟ ୧୦ ଜଣ ଯୁବକ ୪୯ରୁ ଅଧିକ ବିଦ୍ୟୁତ୍‌ ଖୁଣ୍ଟି ସମେତ ୧୫୦ ଇନସୁଲେଟର, ତାର୍‌ ଇତ୍ୟାଦି ବୈଦ୍ୟୁତିକ ସରଞ୍ଜାମ ଚୋରି କରି ନେଇଥିଲେ। ଚୋରି ସାମଗ୍ରୀର ମୂଲ୍ୟ ୬ ଲକ୍ଷ ୪୦ ହଜାର ଟଙ୍କାର ହେବ। ଏସବୁ ସାମଗ୍ରୀକୁ ପିକ୍‌ ଅପ୍‌ରେ ବୋଝେଇ କରି ରାଉରକେଲାରେ ସ୍ବଳ୍ପ ମୂଲ୍ୟରେ ବିକ୍ରି ଦେଇଥିଲେ। ଚୋରି ସଂକ୍ରାନ୍ତରେ ମନ‌ୋହରପୁର ବିଦ୍ୟୁତ୍‌ ବିଭାଗର ଅଧିକାରୀ ମହମ୍ମଦ କଫିଲ ଅନ୍‌ସାରୀ ସ୍ଥାନୀୟ ଥାନାରେ ଲିଖିତ ଏତଲା ଦେଇଥିଲେ।

ସମ୍ବନ୍ଧିତ ଖବର