ଓଡ଼ିଶା ଭିତରେ ଗଡ଼ିଲା ୬ଟି ଟ୍ରେନ୍‌, ଆଜି ଆସିବନି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ବର : ମଙ୍ଗଳବାର ଓଡ଼ିଶାକୁ କୌଣସି ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ଆସିବ ନାହିଁ। ଗତକାଲି ତଥା ରବିବାର ଗୋଆର ମାଦଗାଁରୁ ବାଲେଶ୍ବର ଅଭିମୁଖେ ବାହାରିଥିବା ସ୍ବତନ୍ତ୍ର ଟ୍ରେନ୍‌ ନିର୍ଗୁଣ୍ଡି ଓ ଭଦ୍ରକ ଦେଇ ବାଲେଶ୍ବରରେ ପହଞ୍ଚିଛି। ଏଥିରେ ପ୍ରାୟ ଏକ ହଜାର ପ୍ରବାସୀ ଓଡ଼ିଆ ଆସିଥିବା ଜଣାପଡ଼ିଛି।

ପୂର୍ବତଟ ରେଳପଥ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଦେଶର କୌଣସି ବି ଷ୍ଟେସନରୁ ଓଡ଼ିଶା ଅଭିମୁ‌ଖେ ଟ୍ରେନ୍‌ ବାହାରି ନ ଥିବାରୁ ମଙ୍ଗଳବାର ଓଡ଼ିଶାକୁ ପ୍ରବାସୀ ଓଡ଼ିଆ ଆସିବାର ସମ୍ଭାବନା ନାହିଁ। ମେ’ ପହିଲାରୁ ଆରମ୍ଭ ହୋଇଥିବା ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ସେବାରେ ଏବେ ସୁଦ୍ଧା ୨୨୦ଟି ଟ୍ରେନ୍‌ ଓଡ଼ିଶାରେ ପହଞ୍ଚିଛି। ଉକ୍ତ ଟ୍ରେନ୍‌ଗୁଡ଼ିକରେ ୩ ଲକ୍ଷରୁ ଅଧିକ ପ୍ରବାସୀ ଓଡ଼ିଆ ଘରକୁ ଫେରିଛନ୍ତି। ଏହି ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ସେବା ଜାରି ରହିଛି। ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଟ୍ରେନ୍‌ ଚଳାଚଳ କରୁଛି। ଓଡ଼ିଶା ସରକାର ଯେପର୍ଯ୍ୟନ୍ତ ଚାହିଁବେ ଆମେ ସେବା ଯୋଗାଇ ଦେବୁ। ବାହାର ରାଜ୍ୟ ବି କିଛି ପ୍ରବାସୀ ଓଡ଼ିଆଙ୍କୁ ଟ୍ରେନ୍‌ ଯୋଗେ ପଠାଇବାକୁ ବ୍ୟବସ୍ଥା କରିଛନ୍ତି। ତେଣୁ ସେମାନଙ୍କୁ ଓଡ଼ିଶାରେ ପହଞ୍ଚାଇବାକୁ ପ୍ରାଥମିକତା ଦିଆଯାଉଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

zeenews

ଅନ୍ୟପକ୍ଷରେ ଆଜିଠାରୁ ଓଡ଼ିଶା ଭିତରେ ଟ୍ରେନ୍‌ ସେବା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ଭିତରେ ୬ଟି ଟ୍ରେନ୍‌ ଗଡ଼ିଛି। ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍‌(୦୮୪୯୩/୦୮୪୯୪) ନିର୍ଦ୍ଧାରିତ ସମୟ ସକାଳ ୬ଟା ୩୦ରେ ଭୁବନେଶ୍ବରରୁ ଛାଡ଼ିଥିବା ବେଳେ ଅପରାହ୍ନ ୨ଟା ୪୫ରେ ବଲାଙ୍ଗୀର ଷ୍ଟେସନ ଛାଡ଼ିଥିଲା। ଭୁବନେଶ୍ବର ଷ୍ଟେସନର ପ୍ଲାଟଫର୍ମ-୧ରୁ ଛାଡ଼ିଥିବା ଏହି ଟ୍ରେନ୍‌ରେ ୧୮୭ ଜଣ ଯାତ୍ରୀ ଚଢ଼ିଥିଲେ। ଅନୁରୂପ ଭାବେ ଅନ୍ୟ ଷ୍ଟେସନଗୁଡ଼ିକରୁ ମଧ୍ୟ ଯାତ୍ରୀ ଚଢ଼ିଥିବା ସୂଚନା ମିଳିଛି। ସେହିପରି ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍‌(୦୮୪୩୭/୦୮୪୩୮) ସନ୍ଧ୍ୟା ୬ଟାରେ ଭୁବନେଶ୍ବରରୁ ଛାଡ଼ିଛି। ମଙ୍ଗଳବାର ସକାଳ ୭ଟା ୩୦ରେ ଏହା ଭଦ୍ରକ ଛାଡ଼ିବ।

ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍‌(୦୮୪୩୭/୦୮୪୩୮) ସନ୍ଧ୍ୟା ୫ଟା ୩୦ରେ ଭୁବନେଶ୍ବର ଛାଡ଼ିଛି। ମଙ୍ଗଳବାର ସକାଳ ୭ଟାରେ ଏହା ବ୍ରହ୍ମପୁର ଷ୍ଟେସନରୁ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିବ। ସେହିପରି ସମ୍ବଲପୁର-ଖୋର୍ଦ୍ଧାରୋଡ-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ୍‌(୦୮୩୦୩/୦୮୩୦୪) ସକାଳ ୬ଟାରେ ସମ୍ବଲପୁର ଓ ଅପରାହ୍ନ ୪ଟା ୫୫‌ରେ ଖୋର୍ଦ୍ଧାରୋଡ ଛାଡ଼ିଛି। ସପ୍ତାହକୁ ୩ ଥର ଚାଲିବାକୁ ଥିବା ଭୁବନେଶ୍ୱର-କୋରାପୁଟ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍‌ ଭାୟା ସମ୍ବଲପୁର-ରାୟଗଡ଼ା ଟ୍ରେନ୍‌(୦୮୪୪୭/୦୮୪୪୮) ଆଜି ସନ୍ଧ୍ୟା ୬ଟା ୩୦ରେ ଭୁବନେଶ୍ବର ଛାଡ଼ିଛି। ମଙ୍ଗଳବାର ସନ୍ଧ୍ୟା ୫ଟା ୩୦ରେ ଏହି ଟ୍ରେନ୍‌ କୋରାପୁଟରୁ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିବ। ରାଉରକେଲା-ଭୁବନେଶ୍ବର-ରାଉରକେଲା ସ୍ବତନ୍ତ୍ର ଟ୍ରେନ୍‌ ସକାଳ ୫ଟା ୧୦ରେ ରାଉରକେଲା ଓ ଭୁବନେଶ୍ବରରୁ ଅପରାହ୍ନ ୨ଟା ୧୦ରେ ଛାଡ଼ିଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଷ୍ଟେସନରେ ପ୍ରବେଶ କରିବା ପୂର୍ବରୁ ଯାତ୍ରୀମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା।

ସମ୍ବନ୍ଧିତ ଖବର