୬ ବିଶ୍ୱବିଦ୍ୟାଳୟ କୁଳପତି ଚୟନ ପ୍ରସଙ୍ଗ : ଆବେଦନକାରୀଙ୍କ ଯାଞ୍ଚ ସରିଲା

ଭୁବନେଶ୍ୱର : ୬ ବିଶ୍ୱବିଦ୍ୟାଳୟର କୁଳପତି ଚୟନ ମନ୍ଥର ଗତିରେ ଚାଲିଛି। ଏନେଇ ଲଗାତାର ଭାବେ ‘ସମ୍ବାଦ’‌ରେ ଖବର ପ୍ରକାଶ ପାଇବା ପରେ ରାଜଭବନ(ରାଜ୍ୟପାଳଙ୍କ କାର୍ଯ୍ୟାଳୟ) ପକ୍ଷରୁ ଉଚ୍ଚଶିକ୍ଷା ସଚିବ ତଥା ସର୍ଚ୍ଚ କମିଟି ଆବାହକଙ୍କଠାରୁ ରି‌ପୋର୍ଟ ମଗାଯାଇଥିଲା। କେଉଁଥିପାଇଁ ବିଳମ୍ବ ହେଉଛି ସେନେଇ ତୁରନ୍ତ ଉତ୍ତର ଦେବାକୁ କୁହାଯାଇଥିଲା। ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଆଜି ଏହାର ଉତ୍ତର ଦେଇ କହିଛନ୍ତି ଯେ ଦୁଇ ଦିନ ତଳେ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି ଏବଂ ସମସ୍ତ ଚୟନ କମିଟି ଅଧ୍ୟକ୍ଷଙ୍କ ନିକଟକୁ ଆବେଦନପତ୍ରଗୁଡ଼ିକୁ ପଠାଇ ଦିଆଯାଇଛି।

ଶ୍ରୀ ମିଶ୍ର ଚିଠି ଲେଖି ଜଣାଇଛନ୍ତି ଯେ ରାଜଭବନ ପକ୍ଷରୁ ମେ’ ପହିଲାରେ ଆସିଥିବା ଚିଠି ଆଧାରରେ ୬ଟି ବିଶ୍ବବିଦ୍ୟାଳୟ ଚୟନ କମିଟିର ଆବାହକ ଭାବେ ଉଚ୍ଚଶିକ୍ଷା ସଚିବଙ୍କୁ ନିଯୁକ୍ତି ଦିଆଯାଇଥିଲା। ଆବେଦନପତ୍ର ଗ୍ରହଣ ସହ ଯାଞ୍ଚ କରିବା, ସର୍ଚ୍ଚ କମିଟି ଆଗରେ ତାହାକୁ ଉପସ୍ଥାପନ କରିବା ଆଦି କାର୍ଯ୍ୟ କରିବାର ଥିଲା। ସେହି ଅନୁଯାୟୀ ୬ଟି ବିଶ୍ବବିଦ୍ୟାଳୟ କୁଳପତି ଚୟନ ଲାଗି ବିଭିନ୍ନ ସମୟରେ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଆବେଦନପତ୍ରକୁ ଯାଞ୍ଚ ଲାଗି ସମୟ ଲାଗିଥିଲା। ଏମିତିକି ବାରମ୍ବାର ‌ଯାଞ୍ଚ କରିବାକୁ ପଡ଼ିଥିଲା। ତାହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ଛୋଟ ଟିମ୍‌ ଗଠନ କରାଯାଇଥିଲା। ତେବେ କୋଭିଡ୍‌-୧୯ ଯୋଗୁଁ ଅଫିସ୍‌ ଠିକ୍‌ ଭାବେ କାର୍ଯ୍ୟକ୍ଷମ ହୋଇପାରି ନ ଥିଲା। ଯେଉଁଥିପାଇଁ ସ୍କ୍ରୁଟିନି ପ୍ରକ୍ରିୟା ବିଳମ୍ବିତ ହୋଇଥିଲା।

ଏହାବ୍ୟତୀତ ସେପ୍ଟେମ୍ବର ୪ରେ ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧ୍ୟାଦେଶ-୧୯୮୯କୁ ସଂଶୋଧିତ କରାଗଲା। ଯେଉଁଥିରେ କୁଳପତିଙ୍କ କାର୍ଯ୍ୟକାଳ ବୃଦ୍ଧି ସହ ଅବସର ବୟସ ସୀମା ବଢ଼ାଯାଇଥିଲା। ଚୟନ କମିଟିରେ ସିଣ୍ଡିକେଟ୍‌ ନୋମିନି ବଦଳରେ ରାଜ୍ୟ ସରକାରଙ୍କ ନୋମିନିଙ୍କୁ ଅବସ୍ଥାପିତ କରାଗଲା। ଯେହେତୁ ଅଧ୍ୟାଦେଶରେ ସଂଶୋଧନ କରାଗଲା ତେଣୁ ପୁଣିଥରେ କୁଳପତି ପଦବି ପାଇଁ ଆବେଦନ ଲାଗି ବିଜ୍ଞାପନ ପ୍ରକାଶ କରାଗଲା। ଆକ୍ଟୋବର ୩ ଆବେଦନର ଶେଷ ତାରିଖ ଥିଲା। କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଅନୁଯାୟୀ ଗତ ୩ ଓ ୪ ତାରିଖରେ କାର୍ଯ୍ୟାଳୟ ଛୁଟି ଥିଲା। ୫ ତାରିଖରେ କାର୍ଯ୍ୟ ଦିବସ ଆରମ୍ଭ ହୋଇଥିଲା। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଲାଗି ୬୨ଟି ଆବେଦନପତ୍ର ଆସିଥିବା ବେଳେ ଖଲ୍ଲିକୋଟ ଲାଗି ୭୩, ଗଙ୍ଗାଧର ମେହେର ଲାଗି ୮୧, ଉତ୍କଳ ପାଇଁ ୮୫, ଫକୀର ମୋହନ ଲାଗି ୧୦୫ ଓ ଉତ୍ତର ଓଡ଼ିଶା ବିଦ୍ୟାଳୟ ଲାଗି ୯୦ ଜଣ ପ୍ରଫେସର ଆବେଦନ କରିଛନ୍ତି। ସମସ୍ତ ଆବେଦନପତ୍ରକୁ ଯାଞ୍ଚ କରାଯିବା ପରେ ବିଜ୍ଞାପନ କପି ସହ ସମସ୍ତ ଡକ୍ୟୁମେଣ୍ଟଗୁଡ଼ିକୁ ଗତ ୧୨ ଓ ୧୩ ତାରିଖରେ ଚୟନ କମିଟି ଅଧ୍ୟକ୍ଷଙ୍କୁ ପ୍ରଦାନ କରାଯାଇଛି। ଏଥିସହ କମିଟିର ସମସ୍ତ ସଦସ୍ୟଙ୍କ ନିକଟକୁ ବି ଇ-ମେଲ୍‌ ମାଧ୍ୟମରେ ପଠାଯାଇଛି। ଚୟନ କମିଟି ଅଧ୍ୟକ୍ଷଙ୍କୁ ଇ-ମେଲ୍‌ ମାଧ୍ୟମରେ ସଫ୍ଟ କପି ବି ପଠାଯାଇଥିବା ଶ୍ରୀ ମିଶ୍ର ଉତ୍ତରରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର