ଚାନ୍ଦିପୁର କ୍ଷେପଣାସ୍ତ୍ର କେନ୍ଦ୍ରରେ ୪ ଠିକା କର୍ମଚାରୀ ଗିରଫ: ପାକିସ୍ତାନକୁ ତଥ୍ୟ ଲିକ୍‌

ରାତି ଅଧରେ ଚଢ଼ାଉ କରି ଉଠାଇନେଲା ପୁଲିସ, ଅଭିଯୁକ୍ତଙ୍କଠାରୁ ଅନେକ ଆପତ୍ତିଜନକ ଜିନିଷ ଜବତ

ବାଲେଶ୍ବର/ଚା‌ନ୍ଦିପୁର: ୨୦୧୪ ମସିହାରେ ଈଶ୍ୱର ବେହେରା ଗିରଫ ହେବାପରେ ପୁଣି ଚାନ୍ଦିପୁର ଡିଆରଡିଓରୁ ପାକିସ୍ତାନକୁ ଗୁପ୍ତ ସୂଚନା ପ୍ରଦାନ ଭଳି ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଇବା ଅଭିଯୋଗରେ ବାଲେଶ୍ବର ଜିଲ୍ଲା ପୁଲିସର ସ୍ପେଶାଲ ସ୍କ୍ବାଡ୍‌ ଚାନ୍ଦିପୁର ଅଞ୍ଚଳରୁ ୪ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ଡିଆରଡିଓ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରେ ଠିକା କର୍ମଚାରୀ ଭାବେ କାମ କରୁଥିଲେ। ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଏଜେଣ୍ଟଙ୍କୁ ଏମାନେ ପ୍ରତିରକ୍ଷା ବିଭାଗର ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲିକ୍ କରୁଥିବା ସୂଚନା ଆଧାରରେ ପୁଲିସ ଗତକାଲି ବିଳମ୍ବିତ ରାତିରେ ଉକ୍ତ ୪ ଜଣଙ୍କୁ ଘରୁ ଉଠାଇ ଆଣିଥିଲା। କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ (ଆଇବି) ଜାରି କରିଥିବା ପ୍ରେସ୍‌ ବିବୃତି ମୁତାବକ ଗିରଫ ଅଭିଯୁକ୍ତମାନଙ୍କଠାରୁ ଅନେକ ଆପତ୍ତିଜନକ ଜିନିଷ ଜବତ କରାଯାଇଛି। ସମସ୍ତଙ୍କ ଘର ଚାନ୍ଦିପୁର ଅଞ୍ଚଳରେ। ପୂର୍ବାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ ଓ ବାଲେଶ୍ବର ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ଆଜି ଦିନତମାମ ଅଭିଯୁକ୍ତମାନଙ୍କୁ ଗୁଡ଼େଇ ତୁଡ଼େଇ ଜେରା କରିଥିବା ଖବର ମିଳିଛି।

ଗିରଫ ଅଭିଯୁକ୍ତମାନେ ହେଲେ; ଚାନ୍ଦିପୁର ଥାନା ଝାମ୍ପରାହାଟ ଅଞ୍ଚଳର ବସନ୍ତ ବେହେରା, ଟୁଲୁ ଓରଫ ପ୍ରକାଶ ବେରା, ସେକ୍ ମୁସାକ୍‌। ଅନ୍ୟଜଣଙ୍କର ନାମ ଜଣାପଡ଼ିନାହିଁ। ଅଭିଯୁକ୍ତ ବସନ୍ତ ବେହେରା ଆଇଟିଆର୍‌ ୩ ନମ୍ବର ଲଞ୍ଚପ୍ୟାଡ୍ (ଯେଉଁଠି ଡିଆର୍‌ଡିଓ ଏକାଧିକ ଗୁରୁତ୍ୱପୂର୍ଣ୍ଣ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥା‌ଏ) ସେଠାରେ ଏସି ଅପରେଟର ଭାବେ କାମ କରୁଥିଲେ। ତାଙ୍କ ନିକଟକୁ ଅନ୍ତର୍ଜାତୀୟ କଲ୍ (ଆଇଏସ୍‌ଡି) ଆସୁଥିବାବେଳେ ସେ ମଧ୍ୟ ବାହାର ରାଷ୍ଟ୍ରକୁ କଲ୍ କରୁଥିବା ଗୁଇନ୍ଦା ଟ୍ରାକିଂରୁ ଜଣାପଡ଼ିଛି। ବସନ୍ତଙ୍କ ସହ କାମ କରୁଥିବା ସ୍ଥାନୀୟ ଅଞ୍ଚଳର ଅନ୍ୟ ୩ ଜଣ ମଧ୍ୟ ବିଭିନ୍ନ ସମୟରେ ପ୍ରତିରକ୍ଷା ବିଭାଗର ଗୁପ୍ତ ତଥ୍ୟ ବାହାର ଦେଶକୁ ଲିକ୍‌ କରୁଥିଲେ। ଏହି ୪ ଜଣଙ୍କ ପାଖକୁ ଭାରତ-ପାକ୍‌ ସୀମା ରାଜସ୍ଥାନ ନିକଟରୁ ବାରମ୍ବାର ଅନ୍ତର୍ଜାତୀୟ କଲ୍ ଆସିବା ଏବଂ ସେମାନେ ପାକିସ୍ତାନର ଗୁଇନ୍ଦା ଏଜେଣ୍ଟଙ୍କୁ ଦେଶର ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ଫୋନ୍ ମାଧ୍ୟମରେ ପ୍ରଦାନ କରୁଥିବାର ଭାରତୀୟ ଗୁଇନ୍ଦା ଏଜେନ୍ସିଗୁଡ଼ିକ ତଥ୍ୟପ୍ରମାଣ ପାଇବା ପରେ ଓଡ଼ିଶା ପୁଲିସ ଡିଜିଙ୍କୁ ଅବଗତ କରାଯାଇଥିଲା। ଅଭିଯୁକ୍ତଙ୍କୁ ଧରିବା ଲାଗି ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ଏସ୍‌ପିଙ୍କ ନେତୃତ୍ୱରେ ୬ଟି ଟିମ୍‌ ଗଠନ କରାଯାଇଥିବା ବେଳେ ଏଥିରେ ୬ ଜଣ ଡିଏସ୍‌ପି, ୬ ଜଣ ଇନ୍ସପେକ୍ଟର ସାମିଲ ହୋଇଥିଲେ। ପ୍ରାୟ ତିନି ଦିନ ଧରି ସାଦା ପୋଷାକରେ ଏହି ଅଧିକାରୀମାନେ ୪ ସନ୍ଦିଗ୍ଧଙ୍କ ଉପରେ ନଜର ରଖିବା ପରେ ଗତକାଲି ରାତିରେ ଫୋର୍ସ ସହାୟତାରେ ସମସ୍ତଙ୍କୁ ଘରୁ ଉଠାଇ ନେଇଥିଲେ। ଅଭିଯୁକ୍ତମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଅନ୍ୟ କାର୍ଯ୍ୟକଳାପକୁ ପୁଲିସ ଯାଞ୍ଚ ପରିସରଭୁକ୍ତ କରିଥିବା ଜଣାପଡ଼ିଛି। ଉଲ୍ଲେଖନୀୟ ବିଷୟ ହେଉଛି, ଚଢ଼ଉ ବେଳେ ଅଭିଯୁକ୍ତଙ୍କ ପରିବାର ଲୋକେ ପୁଲିସକୁ ବିରୋଧ କରିବା ସହ ଏହାର କାରଣ ଜାଣିବାକୁ ଚାହିଁଥିଲେ। ଜବାବରେ ପୁଲିସ କହିଥିଲା, ଦେଶ‌ରେ ରହି ଦେଶ ବିରୋଧରେ କାମ କରୁଛ। କାହିଁକି ନେଉଛୁ, କାଲି ଜାଣିଯିବ।

ପ୍ରକାଶଥାଉକି, ପୂର୍ବରୁ ପାକିସ୍ତ‌ାନ ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ପ୍ରତିରକ୍ଷା ବିଭାଗର ଗୁପ୍ତ ତଥ୍ୟ ପ୍ରଘଟ ମାମଲାରେ ଚୁକ୍ତିଭିତ୍ତିକ ଫଟୋଗ୍ରାଫର ଈଶ୍ୱର ବେହେରାଙ୍କୁ ଗିରଫ କରାଯାଇଥିଲା। କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇ ସେ ଏବେ ଆଜୀବନ ସଜ୍ଜା କାଟୁଛନ୍ତି। ଘଟଣା ସଂପର୍କରେ ତଦନ୍ତ ଜାରି ରହିଥିବା ବେଳେ ଏଥିରେ ଆଉ କେଉଁମାନଙ୍କର ସଂପୃକ୍ତି ରହିଛି ସେ ବାବଦରେ ଖୋଳତାଡ଼ ଚାଲିଥିବା ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି। ସେହିପରି ସନ୍ଦିଗ୍ଧମାନଙ୍କୁ ଉଠାଇବା ବେଳେ ସେମାନଙ୍କଠାରୁ ବହୁ ଆପତ୍ତିଜନକ ଜିନିଷ ଜବତ କରାଯାଇଥିବା ବାଲେଶ୍ବର ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ପ୍ରକାଶ କରିଛନ୍ତି। ଏ ନେଇ ଚାନ୍ଦିପୁର ଥାନା କେସ୍‌ ନମ୍ବର ୭୬/୨୦୨୧ରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତମାନଙ୍କ ବିରୋଧରେ ୧୨୦-ବି, ୧୨୧-ଏ/୩୪ ଆଇପିସି-ଆର/ଡବ୍ଲୁ-ସେକ୍ସନ ୩, ୪ ଓ ୫ ଦଫାରେ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର