ଆନ୍ଧ୍ରରେ ୬ ଶ୍ରମିକ ଜଳିଯିବା ଘଟଣା: ମଉଳିଗଲା ରୋଜଗାରିଆ ପୁଅର ସ୍ବପ୍ନ

ରାୟଗଡ଼ା : ପରିବାରର ଆର୍ଥିକ ସ୍ଥିତି ସଜାଡ଼ିବାକୁ ଯାଇଥିଲେ ଦାଦନ ଖଟିବାକୁ। ହେଲେ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଯୋଗୁ ମଉଳି ଯାଇଛି ରୋଜଗାରିଆ ପୁଅର ସ୍ବପ୍ନ। ଅକାଳରେ ନବୀନ ଶବରଙ୍କ ମୃତ୍ୟୁକୁ ପରିବାର ଲୋକ ଗ୍ରହଣ କରିପାରୁ ନ ଥିବାବେଳେ ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ପରିବାର ଓ ସଂପର୍କୀୟ।

ଗୁଣପୁର ମୋତିଲାଲ୍ ନଗରରେ ରହୁଛନ୍ତି ଗଣେଶ ଶବରଙ୍କ ପରିବାର। ବୃତ୍ତିରେ ଗଣେଶ ମିସ୍ତ୍ରୀ କାମ କରନ୍ତି। ପତ୍ନୀ ପ୍ରମିଳା ଶବର ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ଦୁଇ ପୁଅ ନବୀନ ଶବର (୧୯) ଓ ଦୟା ଶବର ମଧ୍ୟ ବାହାରେ କାମ କରି ପରିବାର ଚଳିବାରେ ବାପା, ମାଆଙ୍କୁ ସହ‌ଯୋଗ କରିଥାନ୍ତି। ଜମି ବାଡ଼ି କିଛି ନଥିବାରୁ ଦୈନିକ ଆୟ ଉପରେ ହିଁ ପରିବାରର ୪ ପ୍ରାଣୀ କୁଟୁମ୍ବ ନିର୍ଭର କରନ୍ତି। ଗତ ୩ ମାସ ତଳେ ଅଧିକ ମଜୁରୀ ପାଇବା ଆଶାରେ ନବୀନ ଶବର ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିଲେ। ଦଲାଲ ମାଧ୍ୟମରେ ନବୀନ ଗୁଣପୁର ଅଞ୍ଚଳର କିଛି ଯୁବକଙ୍କ ସହ ଗୁଣ୍ଟୁରରେ ପହଞ୍ଚିବାପରେ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ନିୟୋଜିତ ହୋଇଥିଲେ। ମାସିକ ଭଲ ଦରମା ମିଳୁଥିବାରୁ ନିଜେ ଚଳିବା ପାଇଁ କିଛି ଟଙ୍କା ରଖି ବାକି ଟଙ୍କା ଘରକୁ ପଠାଉଥିଲେ। ସରକାରୀ ଜାଗା ଉପରେ ଟିଣ ଛପର ଘର କରି ପରିବାର ଲୋକ ରହୁଥିବାରୁ ଆର୍ଥିକ ସ୍ଥିତି ସ୍ବଚ୍ଛଳ କରିବା ସହିତ ଭଲ ଘରଟିଏ କରିବା ପାଇଁ ନବୀନ ଆଶା ରଖିଥିଲେ। ଘରର ବଡ଼ ପୁଅ ହିସାବରେ ଘରୁ ପଦାକୁ ଗୋଡ଼ କାଢ଼ି ଆନ୍ଧ୍ରକୁ ଯାଇଥିଲେ। ଗତକାଲି କାମରୁ ଫେରିବା ପରେ ରାତ୍ରୀ ଭୋଜନ ସାରି ଶୋଇଥିଲେ। ହେଲେ କିଏ ଜାଣିଥିଲା ସେହି ରାତି ତାଙ୍କ ପାଇଁ ଶେଷ ରାତି ହେବ ବୋଲି। ନବୀନଙ୍କ ମୃତ୍ୟୁ ଖବର ପାଇବା ପରେ ପରିବାର ଲୋକ ଗୁଣ୍ଟୁର ଅଭିମୁଖେ ଯାଇଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ମଧ୍ୟ ଗୁଣ୍ଟୁର ଅଭିମୁଖେ ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର