ଘୁ.ଉଦୟଗିରି : ଶିକ୍ଷୟିତ୍ରୀଙ୍କୁ ଅପହରଣ ଉଦ୍ୟମ କରି ୬ ଯୁବକ ଗିରଫ

ସାହି ଯୁବକ ଧରି ଛେଚିଲେ, ଖେଳନା ବନ୍ଧୁକ ଓ କାର ଜବତ

ଘୁ.ଉଦୟଗିରି : କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିରେ ଫିଲ୍ମ ଷ୍ଟାଇଲ୍‌ରେ ଜଣେ ଶିକ୍ଷୟିତ୍ରୀଙ୍କୁ ଅପହରଣ ଉଦ୍ୟମ, ବିଦ୍ୟାଳୟରେ ପଶି ବନ୍ଧୁକ ଦେଖାଇ ଆତଙ୍କ ଖେଳାଇ ଧରା ପଡ଼ିଛନ୍ତି ୬ ଜଣ ଯୁବକ। ସ୍ଥାନୀୟ ଯୁବକ ସେମାନଙ୍କୁ କାବୁ କରି ଛେଚିବା ଓ ପରେ ପୁଲିସ ଜିମା ଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପୁଲିସ ସମସ୍ତ ୬ ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। ସେମାନଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଜଣେ ସରକାରୀ କର୍ମଚାରୀ ବୋଲି ଜଣାପଡ଼ିଛି। ପୁଲିସ ସେମାନଙ୍କ ଠାରୁ ଏକ ଖେଳନା ବନ୍ଧୁକ ସହ ମୋବାଇଲ୍‌ ଓ ବ୍ୟବହୃତ ଦୁଇଟି କାର୍‌କୁ ମଧ୍ୟ ଜବତ କରିଛି।

ସୂଚନା ପ୍ରକାରେ, ପଦାସାହି ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ଦିନ ବାରଟା ସମୟରେ ଦୁଇଟି କାର୍‌ରେ ୬ ଜଣ ଯୁବକ ଆସି ପହଞ୍ଚିଥିଲେ। ଭିତରକୁ ପଶି ଜଣେ ସହକାରୀ ଶିକ୍ଷୟତ୍ରୀଙ୍କୁ ଖୋଜିଥିଲେ। ହେଲେ ସଂପୃକ୍ତ ଶିକ୍ଷୟତ୍ରୀଙ୍କୁ ନପାଇ ଉପସ୍ଥିତ ପ୍ରଧାନଶିକ୍ଷୟତ୍ରୀ ଏବଂ ଜଣେ ସହକାରୀ ଶିକ୍ଷକଙ୍କ ମୁଣ୍ଡରେ ଖେଳନା ବନ୍ଧୁକ ଲଗାଇ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ସଂପୃକ୍ତ ଶିକ୍ଷୟିତ୍ରୀ ଅନୁପସ୍ଥିତ ଥିବା ବିଷୟ ଏକ କାଗଜରେ ଲେଖାଇଥିଲେ। ଏ ସମୟରେ ଗ୍ରାମର କିଛି ଯୁବକ ବିଦ୍ୟାଳୟରେ ଏଭଳି ଘଟଣା ଖବର ପାଇ ତୁରନ୍ତ ପହଞ୍ଚି ସମସ୍ତଙ୍କୁ କାବୁ କରି ଉତ୍ତମ ମଧ୍ୟମ ଦେଇଥିଲେ। ତେବେ ଚତୁରତାର ସହ ଏକ କାର୍‌ରେ ତିନି ଜଣ ଖସିଯାଇ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ପିଛା କରି କଳିଙ୍ଗା ଠାରେ ସେମାନଙ୍କୁ କାବୁ କରିଥିଲା। ସେମାନଙ୍କ ପାଖରୁ ଏକ ଖେଳନା ବନ୍ଧୁକ ସହ ମୋବାଇଲ ଜବତ ହୋଇଥିଲା। ଘଟଣାରେ ମୋଟ ୬ ଜଣ ଯୁବକ ସଂପୃକ୍ତ ରହିଥିବା ‌ବେଳେ ମୁଖ୍ୟ ଅଭିଯୁକ୍ତ ସରକାରୀ କର୍ମଚାରୀଙ୍କ ସହ ସଂପୃକ୍ତ ଅନୁପସ୍ଥିତ ଶିକ୍ଷୟିତ୍ରୀଙ୍କ କିଛିଦିନ ହେଲା ସମ୍ପର୍କ ବଢ଼ିଥିବା କୁହାଯାଉଛି। ହେଲେ କୌଣସି କାରଣରୁ ଉଭୟଙ୍କ ସମ୍ପର୍କ ତିକ୍ତ ହୋଇଥିବା ବେଳେ ଅଭିଯୁକ୍ତମାନେ ଏଭଳି ନାଟକ ରଚିଥିବା ପୁଲିସ ଜାଣିବାକୁ ପାଇଛି। ପୁଲିସ ସମସ୍ତ ୬ ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର