ଟିଟିଲାଗଡ଼ ପାଓମେକ୍ସ ଷ୍ଟିଲ୍ ଡିଜିଏମ୍‌ଙ୍କୁ ପୋଡ଼ି ହତ୍ୟା ମାମଲା: ୧୬ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ସମ୍ବଲପୁର : ବହୁଚର୍ଚ୍ଚିତ ଟିଟିଲାଗଡ଼ ପାଓମେକ୍ସ ଷ୍ଟିଲ କାରଖାନାର ଡିଜିଏମ୍ ଆର୍‌.ଏସ୍.ରାୟଙ୍କୁ ପୋଡ଼ି ହତ୍ୟା କରିବା ମାମଲାରେ ସଂପୃକ୍ତ ୧୬ ଜଣ ଅଭିଯୁକ୍ତଙ୍କୁ ସମ୍ବଲପୁର ଜିଲ୍ଲା ‌ଦୌରା ଜଜ୍‌ ମାନସ ରଂଜନ ବାରିକ ଗୁରୁବାର ଦିନ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୧୧ ମସିହା ମାର୍ଚ୍ଚ ତାରିଖ ଅପରାହ୍‌ଣରେ ପାଓମେକ୍ସ ଷ୍ଟିଲ୍‌ର ଜିଏମ୍‌ ବିଚିତ୍ରାନନ୍ଦ ପଣ୍ଡା, ଡିଜିଏମ୍(ଅପରେସନ) ଆର୍‌.ଏସ୍.ରାୟ ଏକ ବୋଲେରୋ ଗାଡ଼ିରେ ମଧାହ୍ନ ଭୋଜନ ପାଇଁ କାରଖାନାରୁ ଘର ଅଭିମୁ‌ଖେ ଯାଉଥିଲେ। ମୁଖ୍ୟ ପ୍ରବେଶ ଦ୍ବାର ନିକଟରେ ଆନ୍ଦୋଳନରତ ଲୋକେ ସେମାନଙ୍କୁ ଅଟକାଇଥିଲେ। ଜିଏମ୍ ବିଚିତ୍ରାନନ୍ଦ କର, ଗାଡ଼ି ଚାଳକ କମଳଲୋଚନ ବେହେରାଙ୍କୁ ଗାଡ଼ି ଭିତରୁ ବାହାର କରିବା ପରେ ସେଥିଲେ ନିଆଁ ଲଗାଇ ଦେଇଥିଲେ। ଗାଡ଼ି ଭିତରେ ଥିବା ଆର୍‌.ଏସ୍‌.ରାୟ ପୋଡ଼ି ଯାଇଥିଲେ। ଗାଡ଼ି ମଧ୍ୟ ନଷ୍ଟ ହୋଇଯାଇଥିଲା। ବହୁ କଷ୍ଟରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାରକରି ଟିଟିଲାଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ବୁର୍ଲା ଡାକ୍ତରଖାନାକୁ ରେଫର କରାଯାଇଥିବା ବେଳେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବଲାଂଗୀର ଡାକ୍ତରାଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସଂପର୍କିତ ପୂର୍ବରୁ ଏକ ମାମଲାର ବିଚାର ହୋଇସାରିଥିବା ବେଳେ ଗୁରୁବାର ଦିନ ପୁଣି ୨ଟି ମାମଲାରେ ରାୟ ଆସିଥିଲା। ପାଓମେଷ୍ଟ ଷ୍ଟିଲ୍‌ କଂପାନିର ଆବେଦନକ୍ରମେ ନିରପେକ୍ଷ ବିଚାର ନିମନ୍ତେ ମାନ୍ୟବର ସୁପ୍ରିମ କୋର୍ଟଙ୍କ ଆଦେଶ ଏହି ମାମଲା ଶୁଣାଣି ପାଇଁ ସମ୍ବଲପୁର ଜିଲ୍ଲା ଦୌରାଜଜଙ୍କ କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା।

ଗୋଟିଏ ମାମଲାରେ ସୁରତ ଜାଲ, ତପନ ନାଗ, ମଦନ ବାଗ, କଳାକୁଂଜ ଛୁରା, ରୂପଧର ସ୍ବାଇଁ, ଦିବାକାର ଜାଲ, ଶମ୍ଭୁ ବାଗ, ହେମରାଜ ଆଡ଼ଜୁଏଡ୍‌, ଭଜମନ ସିକା, ଘିନୁ ନାଗ ଓରଫ ବାଗ ଏବଂ ଧନୁର୍ଜୟ ବାଗ ପ୍ରମୁଖ ୧୧ ଜଣ ଅଭିଯୁକ୍ତ ରହିଥିଲେ। ଅନ୍ୟ ଏକ ମାମଲା‌ରେ ଘନଶ୍ୟାମ ମହାନନ୍ଦ, ରାଜୁ ଜାଲ, ତପନ ଜାଲୁ, ଗଜମନ ସିକା, କମଳ ମୁର୍ଗି ପ୍ରମୁଖ ୫ ଜଣ ଅଭିଯୁକ୍ତ ଥିଲେ। ମାମଲାର ବିଚାର ବେଳେ ୨୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଆଜି ମାମଲାର ରାୟ ଶୁଣାଇ ଜିଲ୍ଲା ଦୌରା ଜଜ୍ ମାନସ ରଂଜନ ବାରିକ ପ୍ରମାଣ ଅଭାବରୁ ସମସ୍ତ ୧୬ ଜଣ ଯାକ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ‌ହୋଇଥିବା ଜଣାପଡ଼ିଛି। ତେବେ, ଆନ୍ଦୋଳନରେ ନେତୃତ୍ବ ନେଉଥିବା ବ‌େଳେ କେତେକ ମୁଖ୍ୟ ଅଭିଯୁକ୍ତ ଏପର୍ଯ୍ୟନ୍ତ ଧରାପଡ଼ି ନଥିବା ଜଣାପଡ଼ିଛି। ବରିଷ୍ଠ ଆଇନଜୀବୀ ପ୍ରଦୀପ ମିଶ୍ର, ବିଭୂତି ପଟ୍ଟନାୟକ, ସୁଦୀପ୍ତ ପଣ୍ଡା, ଯୁଧିଷ୍ଠୀର ପ୍ରଧାନ, ପ୍ରଣୟ ପୂଜାରୀ ପ୍ରମୁଖ ଅଭିଯୁକ୍ତଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର