ଷଷ୍ଠ ଜାତୀୟ ସମ୍ମିଳନୀରେ ଓଡ଼ିଶାର ସ୍ବାସ୍ଥ୍ୟସେବା ଉଚ୍ଚ ପ୍ରଶଂସିତ

ରାଜ୍ୟର ସ୍ବାସ୍ଥ୍ୟସେବା ଚିତ୍ର ଉପସ୍ଥାପନ କଲେ ମିସନ୍‌ ନିର୍ଦ୍ଦେଶିକା

ଭୁବନେଶ୍ୱର : ଓଡ଼ିଶାର ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ଜାତୀୟସ୍ତରରେ ପ୍ରଶଂସା କରାଯାଇଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ଓ ଅଭିନବ ପଦକ୍ଷେପ ସଂକ୍ରାନ୍ତରେ ଗୁଜୁରାଟର ଗାନ୍ଧୀନଗରଠାରେ ଆୟୋଜିତ ଷଷ୍ଠ ଜାତୀୟ ସମ୍ମିଳନୀରେ ଏଭଳି ପ୍ରଶଂସା ମିଳିବା ସହ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ରାଜ୍ୟର ସବୁଠାରୁ ଉତ୍ତମ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ବୋଲି ଦର୍ଶାଯାଇଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ତିନିଦିନିଆ ଏହି ଜାତୀୟ ଶିବିରରେ ଜାତୀୟ ସ୍ବାସ୍ଥ୍ୟ ମିସନ୍‌ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ରାଜ୍ୟ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ସମସ୍ତ ଅଭିନବ ପଦକ୍ଷେପ ଓ ତାହାର ସଫଳତା ଉପସ୍ଥାପନ କରିଛନ୍ତି। ବୈଠକରେ ଶ୍ରୀମତୀ ପଣ୍ଡିତ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଏସ୍‌କେୱାଇର କାର୍ଯ୍ୟକାରିତା ଏବଂ ମୋ’ ସରକାର ମାଧ୍ୟମରେ ରୋଗୀ ସନ୍ତୁଷ୍ଟୀକରଣ ସଂପର୍କରେ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ।

ଏହି ଅବସରରେ ଶ୍ରୀମତୀ ପଣ୍ଡିତ କହିଥିଲେ, ଜାତୀୟ ସ୍ବାସ୍ଥ୍ୟନୀତି-୨୦୧୭ ଅନୁଯାୟୀ ସଷ୍ଟେନେବୁଲ୍‌ ଡେଭଲପମେଣ୍ଟ ଗୋଲ୍‌(ଏସ୍‌ଡିଜି) ଅନୁଯାୟୀ ପ୍ରତ୍ୟେକ ରାଜ୍ୟ ସାର୍ବଜନୀନ ସ୍ବାସ୍ଥ୍ୟସେବା ପ୍ରଦାନ କରିବା କଥା। ମାନବସମ୍ବଳ, ଭିତ୍ତିଭୂମି ଓ ରୋଗୀଙ୍କ ହାତରୁ ଅର୍ଥ ବ୍ୟୟ ଭଳି ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇ ଓଡ଼ିଶା ଏହି ସଫଳତା ପାଇ ପାରିଛି। ଡାକ୍ତର ଅଭାବ ଜନିତ ସମସ୍ୟାର ମୁକାବିଲା ପାଇଁ ସରକାର ଆର୍ଥିକ ପ୍ରୋତ୍ସାହନ ବ୍ୟବସ୍ଥା ଆରମ୍ଭ କରି ଦୁର୍ଗମ ଅଞ୍ଚଳ ଚିହ୍ନଟ, ଆନୁଷ୍ଠାନିକ ପ୍ରସବ ହାର ବୃଦ୍ଧି, ବାଇକ୍‌ ଓ ବୋଟ୍‌ ଆମ୍ବୁଲାନ୍ସ, ଭ୍ରାମ୍ୟମାଣ ପ୍ରସୂତି ଯାନଠାରୁ ଆରମ୍ଭ କରି ପ୍ରସୂତି ଗୃହ, ଯାତାୟାତ ଖର୍ଚ୍ଚ ଆଦି ବିଭିନ୍ନ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି।

ଲୋକଙ୍କୁ ଘରୋଇ ଚିକିତ୍ସାଳୟରେ ଉନ୍ନତମାନର ସେବା ଯୋଗାଇ ଦେବା ପାଇଁ ୧୯୭ଟି ଘରୋଇ ହସ୍ପିଟାଲ ସହ ରାଜ୍ୟ ସରକାର ଅନୁବନ୍ଧିତ ହୋଇଛନ୍ତି। ରାଜ୍ୟର ସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନମାନଙ୍କରେ ମାଗଣାରେ ରୋଗ ନିରୂପଣଠାରୁ ଆରମ୍ଭ କରି ଜଟିଳ ରୋଗର ଚିକିତ୍ସା ଓ ବିନା ମୂଲ୍ୟରେ ଔଷଧ ଯୋଗାଣ, ଡାଏଲିସିସ୍‌, କେମୋଥେରାପି ଆଦି ବ୍ୟବସ୍ଥା କରାଯାଇଛି। ୭୦ ଲକ୍ଷ ପରିବାରକୁ ବିଏସ୍‌କେୱାଇ ଯୋଜନାରେ ସାମିଲ କରାଯାଇଛି।

ମୋ’ ସରକାର ଯୋଜନାରେ ରୋଗୀଙ୍କଠାରୁ ମତାମତ ଗ୍ରହଣ କରାଯାଇ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ସ୍ବାସ୍ଥ୍ୟ ପ୍ରଶାସନକୁ ଅଧିକ ଚଳଚଞ୍ଚଳ ଓ ସୁଦୃଢ଼ କରିବା ପାଇଁ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ ପାଇଁ ୫-ଟି ଲାଗୁ କରାଯାଇଛି। ମୋ ସରକାର ଓ ୫-ଟିର ସଫଳ କାର୍ଯ୍ୟକାରୀ କରୁଥିବା ଅଧିକାରୀ ଓ କର୍ମଚାରୀମାନଙ୍କ ଲାଗି ପୁରସ୍କାର ବ୍ୟବସ୍ଥା କରାଯାଇଛି।

ବର୍ଷକ ମଧ୍ୟରେ ସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନଗୁଡ଼ିକର ଓପିଡି ଓ ଆଇପିଡିରେ ୩୩ପ୍ରତିଶତ ରୋଗୀ ସଂଖ୍ୟା ବୃଦ୍ଧି ପାଇ ୬ କୋଟି ୭୦ ଲକ୍ଷକୁ ଟପି ଯାଇଛି। ଏମାନଙ୍କୁ ସରକାରଙ୍କ ବିଭିନ୍ନ ସ୍ବାସ୍ଥ୍ୟ ଯୋଜନାରେ ମାଗଣା ଚିକିତ୍ସା ସେବା ଯୋଗାଇ ଦିଆଯାଇଛି। କେବିକେ ଏବଂ କେବିକେ ପ୍ଲସ ଜିଲ୍ଲାଗୁଡ଼ିକରେ ଖାଲିଥିବା ଡାକ୍ତର ପଦ ମଧ୍ୟରୁ ୪୪% ପୂରଣ ହୋଇପାରିଛି। ସରକାରଙ୍କ ଚିକିତ୍ସା ବ୍ୟବସ୍ଥାକୁ ନେଇ ୯୨ପ୍ରତିଶତରୁ ଅଧିକ ରୋଗୀ ସନ୍ତୋଷ ପ୍ରକାଶ କରିଛନ୍ତି। ରୋଗୀମାନଙ୍କର ନିଜସ୍ବ ଚିକିତ୍ସା ଖର୍ଚ୍ଚ ଆଶାତୀତ ଭାବେ ହ୍ରାସ ପାଇଛି। ସ୍ବାସ୍ଥ୍ୟ ମିସନ୍‌କୁ ବାଦ୍‌ ଦେଇ ରାଜ୍ୟ ସରକାର ନିଜସ୍ବ ବଜେଟ୍‌ରୁ ୧୭୧୨କୋଟିରୁ ଅଧିକ ଟଙ୍କା ରୋଗୀଙ୍କ ପାଇଁ ବ୍ୟୟ ହେଉଛି। ମିସନ୍‌ ନିର୍ଦ୍ଦେଶିକା ଶ୍ରୀମତୀ ପଣ୍ଡିତ ରାଜ୍ୟ ସରକାରଙ୍କ ଉପରୋକ୍ତ ପଦକ୍ଷେପଗୁଡ଼ିକୁ ଜାତୀୟ ସମ୍ମିଳନୀ‌ରେ ଉପସ୍ଥାପିତ କରିଥିବା ବେଳେ ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ସହ ପ୍ରଶଂସିତ ହୋଇଛି।

ସମ୍ବନ୍ଧିତ ଖବର