ମତଲୁବ ଅଲ୍ଲୀଙ୍କ ପରଲୋକ, ଜନ୍ମମାଟି ମାହାଙ୍ଗାରେ ହେଲା ଶେଷକୃତ୍ୟ

କଟକ/ମାହାଙ୍ଗା : ପୂର୍ବତନ ମନ୍ତ୍ରୀ, ବରିଷ୍ଠ କଂଗ୍ରେସ ନେତା, ସଂସ୍କୃତିପ୍ରେମୀ, ସାରସ୍ୱତ ସାଧକ, ଓଡ଼ିଶା ସାହିତ୍ୟ ଏକାଡେମିର ପୂର୍ବତନ ସଭାପତି ତଥା ବର୍ଷୀୟାନ୍ ରାଜନେତା ଶେଖ୍ ମତଲୁବ ଅଲ୍ଲୀ(୭୮)ଙ୍କର ପରଲୋକ ଘଟିଛି। ଗୁରୁବାର ସକାଳେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍‌ପିଟାଲ୍‌ରେ ତାଙ୍କ ପରଲୋକ ଘଟିଥିବା ବେଳେ ତାଙ୍କର ଗାଁ କବରସ୍ତାନରେ ଗାର୍ଡ ଅଫ ଅନର ପ୍ରଦାନ ସହିତ ଶେଷକୃତ୍ୟ ସଂପନ୍ନ କରାଯାଇଛି।

ସେପ୍ଟେମ୍ବର ୭ ତାରିଖରେ ଅସୁସ୍ଥତା ଅନୁଭବ କରିବାରୁ ଶେଖ୍ ମତଲୁବ ଅଲ୍ଲୀଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ବେଗମ୍ ଅଞ୍ଜୁମାରା ଅଲ୍ଲୀ, ପୁଅ ଶେଖ ମାସୁଦ ଅଲ୍ଲୀ, ଦୁଇ ଝିଅ ସାଇନ୍ ସୁଲତାନ ଓ ଅସ୍ମିନ୍ ସୁଲତାନ ଉପସ୍ଥିତ ଥିଲେ। ତାଙ୍କ ମରଶରୀରକୁ ଭୁବନେଶ୍ବରରୁ ଜନ୍ମମାଟି ମାହାଙ୍ଗାକୁ ଅଣାଯାଇ ପ୍ରଥମେ ଖନ୍ଦୋଳସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ କିଛି ସମୟ ପାଇଁ ରଖା ଯାଇଥିଲା। ସେଠାରେ ଉପସ୍ଥିତ ଥିବା ଅନେକ ଶୁଭେଚ୍ଛୁ, ସମର୍ଥକ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ପଲ୍ଲୀସାହି ପଂଚାୟତ ଧରୋଶ୍ୟାମସୁନ୍ଦରପୁର ଗ୍ରାମକୁ ଅଣାଯିବା ପରେ ସେଠାରେ ଅତିରିକ୍ତ ତହସିଲଦାର ଦିଲ୍ଲୀପ ନାୟକ, ବିଡିଓ ନିହାରରଞ୍ଜନ ମଲ୍ଲିକ, ଥାନା ଆଇଆଇସି ରଞ୍ଜନ ପ୍ରଧାନ ପ୍ରମୁଖଙ୍କ ଉପସ୍ଥିତିରେ ଗାର୍ଡଅଫ୍ ଅନର ପ୍ରଦାନ କରାଯାଇଥିଲା। ପରେ ଗାଁ କବରସ୍ତାନରେ କବର ଦିଆଯାଇଥିଲା।

କଟକ ଜିଲ୍ଲା ମାହାଙ୍ଗା ଅନ୍ତର୍ଗତ ଧରୋ ଶ୍ୟାମସୁନ୍ଦରପୁର ଗ୍ରାମରେ ୧୯୪୨ ଡିସେମ୍ବର ୧୬ ତାରିଖରେ ଜନ୍ମିତ ସେକ୍ ମତଲୁବ ଅଲ୍ଲୀ ଭଗବତୀ ବିଦ୍ୟାପୀଠରୁ ମାଟ୍ରିକ୍ ପାସ କରିବା ପରେ ଭଦ୍ରକ ମହାବିଦ୍ୟାଳୟରେ ପ୍ରି-ୟୁନିଭରସିଟି ବିଜ୍ଞାନ ପଢିଥିଲେ। ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା ଲାଭ କରି ସେ ସାଲେପୁର କଲେଜରେ ଅଧ୍ୟାପନା ଓ ଜୟପୁରଠାରେ ଆକାଶବାଣୀର ଘୋଷକ ରୂପେ କାର୍ଯ୍ୟ କରିଥିଲେ। ମତଲୁବ୍ ୧୯୬୪ ମସିହା ବେଳକୁ ଯୁବ କଂଗ୍ରେସ ସଂଗଠନରେ ସକ୍ରିୟ ହୋଇଥିଲେ। ମାହାଙ୍ଗା ବ୍ଲକ୍ ଯୁବ କଂଗ୍ରେସର ସଭାପତି ଦାୟିତ୍ୱ ନିର୍ବାହ କରିଥିଲେ। ମାହାଙ୍ଗା ନିର୍ବାଚନ ମଣ୍ଡଳୀରୁ ୧୯୭୪, ୧୯୮୦, ୧୯୮୫ ଓ ୧୯୯୫ ନିର୍ବାଚନରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପ୍ରଥମଥର ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ସେ ନନ୍ଦିନୀ ଶତପଥୀଙ୍କ ମନ୍ତ୍ରିମଣ୍ଡଳରେ ସାଂସ୍କୃତିକ ବ୍ୟାପାର ବିଭାଗର ଉପମନ୍ତ୍ରୀ ହୋଇଥିଲେ। ପରେ ବିନାୟକ ଆଚାର୍ଯ୍ୟଙ୍କ ମନ୍ତ୍ରିମଣ୍ଡଳରେ ରାଜସ୍ୱ, ଶିକ୍ଷା ଓ ଯୁବସେବା, ସାଂସ୍କୃତିକ ବ୍ୟାପାର ଓ ପର୍ଯ୍ୟଟନ ବିଭାଗର ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ୧୯୮୫ ମସିହାରେ ସରକାରୀ ଦଳର ମୁଖ୍ୟ ସଚେତକ ହୋଇଥିଲେ। ୧୯୮୬ ମସିହାରେ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସେ ଜଳସଂପଦ, ବିଦ୍ୟୁତ ଓ ସଂସଦୀୟ ବ୍ୟାପାର ବିଭାଗର କ୍ୟାବିନେଟ୍ ମନ୍ତ୍ରୀ, ୧୯୮୯ ମସିହାରେ ହେମାନନ୍ଦ ବିଶ୍ୱାଳଙ୍କ ମନ୍ତ୍ରିମଣ୍ଡଳରେ ଶିକ୍ଷା ଓ ଯୁବସେବା ବିଭାଗର କ୍ୟାବିନେଟ୍ ମନ୍ତ୍ରୀ, ୧୯୯୫ରେ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସେ ଗ୍ରାମ୍ୟ ଉନ୍ନୟନ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ, ୧୯୯୯ରେ  ଗିରିଧର ଗମାଙ୍ଗଙ୍କ ମନ୍ତ୍ରିମଣ୍ଡଳରେ ଖାଦ୍ୟ ଯୋଗାଣ ଓ ଗଣଶିକ୍ଷା ବିଭାଗ କ୍ୟାବିନେଟ୍ ମନ୍ତ୍ରୀ ଓ ହେମାନନ୍ଦ ବିଶ୍ୱାଳଙ୍କ ମନ୍ତ୍ରିମଣ୍ଡଳରେ ଉଚ୍ଚଶିକ୍ଷା ବିଭାଗ କ୍ୟାବିନେଟ୍ ମନ୍ତ୍ରୀ ଭଳି ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ୱ ଗ୍ରହଣ ତୁଲାଇଥିଲେ।

କେବଳ ଜଣେ ରାଜନେତା ଭାବେ ନୁହେଁ, ଜଣେ ସାହିତ୍ୟ ତଥା ସଂସ୍କୃତି ପ୍ରେମୀ ଭାବେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ ଆୟୋଜନକୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ରୂପ ଦେବାରେ ତାଙ୍କର ଅବଦାନ ଚିର ସ୍ମରଣୀୟ। ଗଣକବିଙ୍କ ଫଟୋଚିତ୍ର ପ୍ରସ୍ତୁତ କରି ତାହାକୁ ଲୋକଲୋଚନକୁ ଆଣିବାରେ ବି ତାଙ୍କର ଅବଦାନ ଅତୁଳନୀୟ। ରାଜ୍ୟର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଥିବା ବେଳେ ସେକ୍ ମତଲୁବ୍ ଅଲ୍ଲୀ ଓଡ଼ିଶାରେ ପ୍ରଥମଥର ପାଇଁ ପର୍ଯ୍ୟଟନ ମାନଚିତ୍ର ପ୍ରଚଳନ କରିଥିଲେ। ଓଡ଼ିଶାର ପ୍ରସିଦ୍ଧ ବୌଦ୍ଧସ୍ଥଳୀ ଲଳିତଗିରି- ଉଦୟଗିରି-ରତ୍ନଗିରିକୁ ହୀରକ ତ୍ରିଭୂଜର ମାନ୍ୟତା ଦେବା ସହ ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷା ଦିଗରେ ସେ ଅନେକ ପ୍ରଦକ୍ଷେପ ନେଇଥିଲେ। ଲଳିତଗିରିରୁ ବୁଦ୍ଧଙ୍କ ଅସ୍ଥି ଉଦ୍ଧାର, ଅନେକ ବୌଦ୍ଧ ବିହାର ଓ ବୌଦ୍ଧସ୍ତୂପର ଆବିଷ୍କାର ଦିଗରେ ପଦକ୍ଷେପ ନେବା ସହ ବିଭିନ୍ନ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଓଳାଶୁଣି ଗୁମ୍ଫାକୁ ସୁରକ୍ଷିତ ରଖିବା ସହ ଏହାର ଉନ୍ନୟନ ପାଇଁ  କାର୍ଯ୍ୟ କରିଥିଲେ। ସେ ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ଥିଲେ।

‘ମୌସୁମୀ’, ‘ପଦ୍ମାର ସଂଗୀତ’ ‘ଶେଷ ଅଭିସାର’, ‘ମୁକ୍ତିସଂଗ୍ରାମୀ ମୌଲାନା ଅବୁଲ କାଲାମ ଆଜାଦ’, ‘ନବକଳେବର’, ବୈରାଗୀ ମିଶ୍ରଙ୍କ ଆତ୍ମଜୀବନୀ ‘ସ୍ୱଭାବ ନିୟତ ଜୀବନଯୁଦ୍ଧ’, ବୈଷ୍ଣବ ପାଣିଙ୍କ ଆତ୍ମଜୀବନୀ ‘ପାଣିକବିଙ୍କ ଆତ୍ମକାହାଣୀ’ ଭଳି ପୁସ୍ତକ ରଚନା, ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ‘ଓଡ଼ିଆ ଇତିହାସ’ ସଂପାଦନା କରି ସେ ନିଜ ସାହିତ୍ୟିକ ପ୍ରତିଭାର ଛାପ ଛାଡି ଯାଇଛନ୍ତି। ଅନେକ ବରପୁତ୍ରଙ୍କ ଜୟନ୍ତୀ ଓ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜନ କରି ସେ ପ୍ରତିଭା ପୂଜାର ପରଂପରା ସୃଷ୍ଟି କରିଥିଲେ। ଛାତ୍ରାବସ୍ଥାରେ ରେଭେନ୍ସା ପଶ୍ଚିମ ଛାତ୍ରାବାସର ମୁଖପତ୍ର ‘ଊର୍ମି’ ପତ୍ରିକାର ସଂପାଦକ ଓ ସାହିତ୍ୟ ପତ୍ରିକା ‘ଆଗାମୀ ଶତାବ୍ଦୀ’ର ସେ ସଂପାଦକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ସାରସ୍ୱତ ସାଧନା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିବା ବେଳେ ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ ବିଦ୍ୟାଧର ମିଶ୍ର ଜୀବନୀ ସମ୍ମାନ ସମେତ ଅନେକ ସମ୍ମାନ ଲାଭ କରିଛନ୍ତି।

ତାଙ୍କ ବିୟୋଗରେ ମାହାଙ୍ଗାର ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ଶୋକ ପ୍ରକାଶ କରିବା ସହିତ ମାହାଙ୍ଗା ମାଟି ତାର ସୁଯୋଗ୍ୟ ସନ୍ତାନ, ସାରସ୍ବତ ସାଧକ ତଥା ଜଣେ ବିଶିଷ୍ଟ ରାଜନେତାଙ୍କୁ ହରାଇଲା ବୋଲି କହିଛନ୍ତି। ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ସେହିଭଳି ବାରବାଟୀ-କଟକ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ, କଟକ ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ଗୁରୁପଦ ନନ୍ଦ, କେନ୍ଦ୍ର ସାହିତ୍ୟ ଅକାଦେମି ଓଡ଼ିଆ ପରିଷଦର ଆବାହକ ଡକ୍ଟର ବିଜୟାନନ୍ଦ ସିଂହ, ଶିଶୁ-ସାହିତ୍ୟ ଲେଖକ ସମ୍ମେଳନ ସାଧାରଣ ସଂପାଦକ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ପ୍ରମୁଖ ମଧ୍ୟ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର