ରାଜଧାନୀରେ ଚାଞ୍ଚଲ୍ୟ : ଫାଣ୍ଡିରେ ଗାଡ଼ି ଭିତରେ ମହିଳାଙ୍କ କଙ୍କାଳ

ଅର୍ଦ୍ଧଉଲଗ୍ନ ଶବ; ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ମାସେ ହେଲା ଚାପି ଦେଇଥିଲେ ବରିଷ୍ଠ ଅଧିକାରୀ
ଘଟଣାସ୍ଥଳରୁ ମିଳିଲା ଭଙ୍ଗା ଚୁଡ଼ି, ହାତଲେଖା ଚିଠି
ଫାଣ୍ଡି ଅଧିକାରୀ ନିଲମ୍ବିତ

ଭୁବନେଶ୍ବର : ଫାଣ୍ଡି ପରିସରରେ ପୁଲିସ ଜବତ କରିଥିବା ଏକ ଗାଡ଼ି ଭିତରୁ ମିଳିଛି ଜଣେ ଅଜଣା ମହିଳାଙ୍କ ଚମ ଲାଗିଥିବା କଙ୍କାଳ(ମମିଫାଏଡ୍ ବଡି)। ପ୍ରାୟ ମାସକ ତଳେ ରାଜଧାନୀ ଉପକଣ୍ଠ ଜଟଣୀ ଥାନା ଅଧୀନ ଯାଁଳା ଫାଣ୍ଡିରୁ ଏହି ଶବ ମିଳିବା ଘଟଣା ଏବେ ପଦାକୁ ଆସିବା ପରେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। କଙ୍କାଳ ଉଦ୍ଧାରବେଳେ ଶରୀରରେ କେବଳ ଏକ ସ୍ବେଟର ଥିବାବେଳେ ଅଣ୍ଟା ତଳକୁ କିଛି ବସ୍ତ୍ର ନ ଥିଲା। ଘଟଣାସ୍ଥଳରେ ପଡ଼ିଥିଲା ଭଙ୍ଗା ଶଙ୍ଖା(ଚୁଡ଼ି), ଗ୍ଲୋଭ୍‌ସ, ଚପଲ, ମଦବୋତଲ, ପ୍ରେମଚିଠି। ତେଣୁ ପାରିପାର୍ଶ୍ବିକ ସ୍ଥିତିରୁ ଦୁଷ୍କର୍ମ ପରେ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଏମ୍ସରେ ଶବ ବ୍ୟବଚ୍ଛେଦ ହୋଇଥିବା ବେଳେ ପୁଲିସକୁ ଏହାର ରିପୋର୍ଟ ମଧ୍ୟ ମିଳି ସାରିଛି। କଙ୍କାଳଟି ଜଣେ ୪୦ରୁ ୪୫ ବର୍ଷିୟା ମହିଳାଙ୍କର ବୋଲି ସ୍ପଷ୍ଟ ହୋଇଛି ସତ, କିନ୍ତୁ ମୃତ୍ୟୁ କେମିତି ହେଲା ତାହା ଜାଣିବା ମଧ୍ୟ କଷ୍ଟକର ହୋଇ ପଡ଼ିଛି। ପ୍ରାୟ ୬ ମାସ ତଳେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ତେଣୁ ଡିଏନ୍ଏ ପରୀକ୍ଷା ପାଇଁ ଚୁଟି, ନଖ, ହାଡ଼ ସଂଗ୍ରହ କରି ପଠାଯାଇଛି। ସେହିପରି ମହିଳାଙ୍କ ମୁହଁ ଆଉ ଥରେ ଆନୁମାନିକ ଭାବେ ତିଆରି କରିବା ଲାଗି ହାଇଦ୍ରାବାଦର ଏକ ସଂସ୍ଥାକୁ ଖପୁରି ଫଟୋ ଓ ସବିଶେଷ ବିବରଣୀ ପଠାଇଛି ପୁଲିସ।

ତେବେ ଏଭଳି ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣାକୁ ପୁଲିସ କାହିଁକି ସାର୍ବଜନୀନ ନ କରି ଚାପି ଦେଇଥିଲା ତାହା ଏବେ କମିସନରେଟ୍ ପୁଲିସକୁ ସନ୍ଦେହର ବଳୟ ଭିତରକୁ ଟାଣି ଆଣିଛି। ଏକ ମାସ ଧରି କମିସନରେଟ ପୁଲିସ ଚାପି ରଖିଥିବା ମାମଲା ଏହି ମାମଲା ଆଜି ପଦାକୁ ଆସିବା ପରେ ତତକ୍ଷଣାତ୍‌ ଯାଁଳା ଫାଣ୍ଡି ଅଧିକାରୀ ସବଇନ୍ସପେକ୍ଟର ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କୁ ନିଲମ୍ବିତ କରାଯାଇଛି। ଫାଣ୍ଡି ପରିସରରେ ଥିବା ଜବତ ଗାଡ଼ି ଭିତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ଖବର ସେ କେମିତି ଜାଣିପାରିଲେ ନାହିଁ ସେହି କାରଣରୁ ଫାଣ୍ଡି ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବା କମିସନରେଟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ଘଟଣାକୁ ନେଇ କମିସନରେଟ ପୁଲିସର ବରିଷ୍ଠ ଅଧିକାରୀଙ୍କ ଭୂମିକା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚନ୍ଦକା ଜଙ୍ଗଲରୁ ଜଣେ ମହିଳାଙ୍କ କଟାମୁଣ୍ଡ ମିଳିବା ମାମଲାରେ ପୁଲିସ ଯେମିତି ତତ୍ପରତା ଦେଖାଇ ପୋଷ୍ଟର ମାରିଥିଲା ଏବଂ ପୁରସ୍କାର ରାଶି ଘୋଷଣା କରିଥିଲା; ଏହି ମାମଲାରେ କାହିଁକି ସେମିତି ପଦକ୍ଷେପ ନେଲା ନାହିଁ ତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି।

ପୂରା ଘଟଣାଟି ଏମିତି। ୨୦୧୯ ଅଗଷ୍ଟ ମାସରେ ରମ୍ଭା ଥାନା ପୁଲିସ ଗୋଳଗଣ୍ଡପାଲ୍ଲୀ ଅଞ୍ଚଳରୁ ଏକ ଟ୍ରକ୍‌ରୁ ୯୭୪ କେଜି ଗଞ୍ଜେଇ ଜବତ କରିଥିଲା। ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରା ଯାଇଥିଲା। କୋରାପୁଟରୁ ଭୁବନେଶ୍ବର ଚାଲାଣ ହେଉଥିବା ଏହି ଗଞ୍ଜେଇ ଟ୍ରକକୁ ଏକ ମହିନ୍ଦ୍ରା ଏକ୍ସୟୁଭି(ଓଡି୦୨-ଡି-୩୭୩୭) ଏସକର୍ଟ କରି ଆଣୁଥିଲା। ପୁଲିସ ଗାଡ଼ିକୁ ପିଛା କରି ଯାଁଳା ନିକଟରୁ ଜବତ କରିଥିଲା। ଏହି ଗାଡ଼ିର ମାଲିକ ନୟାଗଡ଼ କୁଶଡିହିର ବିପିନ ବିହାରୀ ପଟ୍ଟନାୟକ ବୋଲି ଜଣାପଡ଼ିଥିଲା। ସେ ଯାଁଳା ଅଞ୍ଚଳରେ ରହୁଥିଲେ। ତେଣୁ ଗାଡ଼ି ଜବତ ପରେ ଏହାକୁ ଯାଁଳା ଫାଣ୍ଡି ପୁଲିସ ଜିମାରେ ରଖିଥିଲା ରମ୍ଭା ଥାନା ପୁଲିସ। ବିପିନ କୋର୍ଟରୁ ଗାଡ଼ିର ବେଲ୍ ବଣ୍ଡ ଆଣି ଫେବ୍ରୁ୍ଆରି ୧୨ ତାରିଖରେ ଗାଡ଼ିଟିକୁ ଯାଁଳା ଫାଣ୍ଡିକୁ ମୁକୁଳାଇବା ପାଇଁ ଆସିଥିଲେ। ତେବେ ସେ ଗାଡ଼ି ପାଖକୁ ଯିବା ପରେ ଭିତରେ ଏକ କଙ୍କାଳ ପଡ଼ିଥିବା କାଚ ବାଟେ ଦେଖି ଫାଣ୍ଡି ପୁଲିସକୁ ଜଣାଇଥିଲେ। ପୁଲିସ କଙ୍କାଳ ପାଲଟି ଯାଇଥିବା ଶବକୁ ଜବତ କରି ଏ ସଂକ୍ରାନ୍ତରେ ଜଟଣୀ ଥାନା ଅପମୃତ୍ୟୁ ମାମଲା ସଂଖ୍ୟା-୧୦/୨୧ରେ ମାମଲା ରୁଜୁ କରିଥିଲା। ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ତଦନ୍ତ କରା ଯାଇଥିଲା ଏବଂ ବ୍ୟବଚ୍ଛେଦ ଲାଗି ଶବ ଏମ୍ସ ପଠା ଯାଇଥିଲା। କିନ୍ତୁ ମହିଳା ଜଣକ ଅପରିଚିତ ହୋଇଥିଲେ ମଧ୍ୟ ତାଙ୍କ ପରିଚୟ ଜାଣିବା ଲାଗି ପୁଲିସ କୌଣସି ଚେଷ୍ଟା କରି ନ ଥିଲା। ବରଂ କୌଣସି ଅଦୃଶ୍ୟ ଚାପରେ ପୁଲିସ ପୂରା ଘଟଣାକୁ ଗୋପନ ରଖିଥିଲା।

ଆଜି ଏହି ଘଟଣା ପଦାକୁ ଆସିବା ପରେ ଯାଁଳା ଫାଣ୍ଡି କେବଳ ନୁହେଁ, କମିସନରେଟ୍ ପୁଲିସ ମଧ୍ୟ ଅଡ଼ୁଆରେ ପଡ଼ିଯାଇଛି। ଏବେ ପ୍ରଶ୍ନ ଉଠୁଛି; ମହିଳା ଜଣଙ୍କ ସେହି ଗାଡ଼ି ଭିତରକୁ ଗଲେ କେମିତି? ଜବତ ଗାଡ଼ି କାହିଁକି ଖୋଲା ରହିଥିଲା? ଗାଡ଼ିର ଆଗ କାଚ ଭାଙ୍ଗିଲା କେମିତି? ଏବେ ବି ଦୁର୍ଗନ୍ଧ ବାହାରୁଥିବା ବେଳେ ଗାଡ଼ି ଭିତରେ ଶବ ଥିବା ଘଟଣା ସେତେବେଳେ ଫାଣ୍ଡି ଅଧିକାରୀ କିମ୍ବା କୌଣସି କର୍ମଚାରୀ କେହି କେମିତି ଜାଣିପାରିଲେ ନାହିଁ? ଘଟଣାସ୍ଥଳରେ ପଡ଼ିଥିବା ଭଙ୍ଗା ଶଙ୍ଖା, ମଦ ବୋତଲ, ଗ୍ଲୋଭ୍‌ସ, ହାତଲେଖା ଚିଠି କାହାର? ଯଦି ପୁଲିସ ସେତେବେଳେ ସରଜମିନ୍ ତଦନ୍ତ କରିଥିଲା ଏହି ସାମଗ୍ରୀଗୁଡ଼ିକ ନଜରକୁ ଆସି ନ ଥିଲା କେମିତି? ଏ ସବୁ ଘଟଣା ପୁଲିସକୁ ସନ୍ଦେହ ଭିତରକୁ ଟାଣି ଆଣିଛି।

ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୃତ୍ୟୁ ପୂର୍ବରୁ ମହିଳାଙ୍କ କେତେକ ହାଡ଼ ଭାଙ୍ଗିଛି। ପୁଣି ଶବର ଅଣ୍ଟା ତଳକୁ ‌ଉଲଗ୍ନ ଥିବାରୁ ଏହା ଦୁଷ୍କର୍ମ ପରେ ଯୋଜନାବଦ୍ଧ ହତ୍ୟା ଆଡ଼କୁ ଇଙ୍ଗିତ କରୁଛି। ଯଦି ସେପରି ହୋଇଥାଏ ତାହେଲେ କିଏ ଏଭଳି ଜଘନ୍ୟ କାଣ୍ଡ ଘଟାଇଛି? ଆଇନଜୀବୀ ସିଦ୍ଧାର୍ଥ ଦାସଙ୍କ କହିବା ଅନୁସାରେ, ଏହାର ସରଜମିନ୍ ତଦନ୍ତ କରାଗଲେ ପୂରା ଘଟଣା ସାମ୍ନାକୁ ଆସିପାରିବ। କାରଣ ସାଧାରଣ ଲୋକ ଥାନା ଭିତରକୁ ଯିବାକୁ ଡରନ୍ତି। ଏଭଳି ସ୍ଥିତିରେ ମହିଳା ଜଣକ କେମିତି ଗାଡ଼ି ଭିତରକୁ ଗଲେ ତାହା ସନ୍ଦେହ ଘେରରେ ରହିଛି।

ଅନ୍ୟପକ୍ଷରେ ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ ଏହି କଙ୍କାଳ ମିଳିବା ପରେ ଆଖପାଖ ଅଞ୍ଚଳର ସମସ୍ତ ଥାନା ସହ ରାଜ୍ୟର ସବୁ ଥାନାକୁ ସୂଚନା ପଠାଯାଇଥିଲା। ପାଖ ଅଞ୍ଚଳ ସହ ଖୋର୍ଦ୍ଧା, ପିପିଲି ଅଞ୍ଚଳରେ ଏକାଧିକ ନିଖୋଜ ମହିଳାଙ୍କ ସମ୍ପର୍କରେ ତଥ୍ୟ ହାସଲ ପାଇଁ ଉଦ୍ୟମ କରାଯାଇଥିଲା‌। ଶତାଧିକ ନିଖୋଜ ମହିଳାଙ୍କ ସହ ମେଳ କରାଯାଇଥିଲେ ମଧ୍ୟ କିଛି ଲାଭ ହୋଇ ନ ଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ମହିଳାଜଣକ ଟିବିରେ ପୀଡ଼ିତଥିବା ଜଣାଯାଇଛି, ତେଣୁ ତାଙ୍କର ସ୍ବାଭାବିକ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ମାମଲାର ତଦନ୍ତ ଚାଲିଛି। ମହିଳାଙ୍କ ପରିଚୟ ସହ ମୃତ୍ୟୁ ପଛର କାରଣ ସମ୍ବନ୍ଧରେ ଖୁବ୍‌ଶୀଘ୍ର ଜଣାପଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର