କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଂଚଳରୁ ପୁଲିସ ଗାତ ଖୋଳି ଜଣେ ମଣିଷର କଙ୍କାଳ ଉଦ୍ଧାର କରିଛି। ତାହା ବର୍ଷେ ତଳୁ ନିଖୋଜ ଥିବା ଜଣେ ଶ୍ରମିକଙ୍କ କଙ୍କାଳ ବୋଲି ସନ୍ଦେହ କରାଯାଉଛି। ଶ୍ରମିକଙ୍କୁ ହତ୍ୟା କରି ପୋତି ଦିଆଯାଇଥିବା ଆଲୋଚନା ହେଉଛି।

Advertisment

ପୁଲିସ ସୂତ୍ରରୁ ପ୍ରକାଶ ଯେ ୨୦୨୦ ମସିହା ନଭେମ୍ବର ୧୬ ତାରିଖ ଦିନ ଝାଡ଼ଖଣ୍ଡ ରାଜ୍ୟ ରାଞ୍ଚି ଅଂଚଳର ଲତିଫୁଲ ଅଂସାରୀ ନାମକ ଜଣେ ଶ୍ରମିକ କଣ୍ଟାବାଞ୍ଜିରୁ ନିଖୋଜ ଥିଲେ। କଣ୍ଟାବାଞ୍ଜିର ଜଣେ ରେଲୱେ ଠିକାଦାରଙ୍କ ନିକଟରେ ସେ କାମ କରୁଥିଲେ। ପରିବାର ଲୋକେ ଶ୍ରମିକଙ୍କ ନିଖୋଜ ସଂପର୍କରେ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେହି ଘଟଣାର ତଦନ୍ତ କରୁଥିଲା ପୁଲିସ। ଉକ୍ତ ଶ୍ରମିକଙ୍କୁ କଣ୍ଟାବାଞ୍ଜି ନିକଟସ୍ଥ ଦାବରୀ ଗାଁଠାରେ ଥିବା ରେଲୱେ ଲାଇନ ନିକଟରେ ପୋତି ଦିଆଯାଇଥିବା ସ‌ନ୍ଦେହ କରିଥିଲା କଣ୍ଟାବାଞ୍ଜି ପୁଲିସ। ରବିବାର କଣ୍ଟାବାଞ୍ଜି ପୁଲିସ, ବଲାଙ୍ଗୀର ସାଇଣ୍ଟିଫିକ ଦଳ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜେସିବି ଏବଂ କୋଦାଳ ସାହାଯ୍ୟରେ ଗାତକୁ ଖୋଳିଥିଲେ। ଗାତ ଭିତରୁ ଜଣେ ମଣିଷର କଙ୍କାଳ ବାହାରିଥିଲା। ତାହା ନିଖୋଜ ଶ୍ରମିକଙ୍କ ହୋଇଥିବା ସନ୍ଦେହ କରାଯାଉଛି। ହତ୍ୟା ପରେ ପୋତି ଦିଆଯାଇଥିବା ଚର୍ଚ୍ଚା ହେଉଛି।

ଶ୍ରମିକଙ୍କ କିପରି ମୃତ୍ୟୁ ହେଲା ଏବଂ ହତ୍ୟାକାରୀ  କିଏ ଓ କାହିଁକି ହତ୍ୟା କଲା, ତାକୁ ନେଇ ଅଧିକ ତଦନ୍ତ କରୁଛି ପୁଲିସ। ଅନ୍ୟପକ୍ଷରେ ଉକ୍ତ କଙ୍କାଳ ନିଖୋଜ ଶ୍ରମିକଙ୍କ ନା ଅନ୍ୟ କାହାର ତାହା ଜାଣିବା ପାଇଁ ପୁଲିସ ଡିଏନ୍‌ଏ ପରୀକ୍ଷା ପାଇଁ ଭୁବନେଶ୍ବର ପରୀକ୍ଷାଗାରକୁ ପଠାଆଇବ ବୋଲି ସୂଚନା ମିଳିଛି।