କଟକରେ ତାରକସୀ କାରିଗରଙ୍କ ଦକ୍ଷତା ବିକାଶ କେନ୍ଦ୍ର

୨୫ ଏକର ଜମି ପାଇଁ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଆହ୍ଵାନ

କଟକ : ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ କଟକ ତାରକାସୀ କାରିଗରଙ୍କ ପାଇଁ ଦକ୍ଷତା ତଥା ସାଧାରଣ ସୁବିଧା କେନ୍ଦ୍ର, ପାଇପ ଫିଟର-ସିଜିଡି ପାଠ୍ୟକ୍ରମ ଓ ଉର୍ଜାଗଙ୍ଗା ପାଇପ୍‌ଲାଇନ୍‌ ପ୍ରକଳ୍ପ ପାଇଁ ତାଲିମ କାର୍ଯ୍ୟକ୍ରମକୁ କେନ୍ଦ୍ର ପେଟ୍ରୋଲିୟମ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକାର୍ପଣ କରିଛନ୍ତି।

ସୀତଚୌରା ନିକଟସ୍ଥ ବିଏସ୍‌ଏନ୍‌ଏଲ୍‌ ପଡ଼ିଆରେ ଆଜି ଅପରାହ୍ନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଯୋଗ ଦେଇ ମଧୁସୂଦନ ଦାସ କଟକର ତାରକାସୀ କାମକୁ ନେଇ ଦେଖିଥିବା ସ୍ୱପ୍ନକୁ ଦେଶ ବିଦେଶରରେ ଅଧିକ ପରିଚିତ କରାଇବାକୁ ସମସ୍ତେ ସଂକଳ୍ପ ନେବାକୁୁ ଆହ୍ଵାନ ଦେଇଥିଲେ। ରାଜ୍ୟ ସରକାର କଟକରେ ୨୫ ଏକର ସ୍ଥାନ ଯୋଗାଇ ଦେଲେ ମଧୁ ବାବୁଙ୍କ ସ୍ମୃତିରେ ଅନ୍ତରାଷ୍ଟ୍ରୀୟ ସ୍ତରର ପ୍ରଶିକ୍ଷଣ ଓ ବ୍ୟବସାୟିକ କେନ୍ଦ୍ର ନିର୍ମାଣ କରାଯିବ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ କଟକ ସାଂସଦ ଭର୍ତ୍ତୃହରି ମହତାବ ଯୋଗ ଦେଇ କଟକରେ ଅନ୍ତର୍ଜାତୀୟ ତାରକାସୀ ମେଳା ଆୟୋଜନ କରିବାକୁ କେନ୍ଦ୍ର ସରକାର ସହଯୋଗ କରିବାକୁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ପୂର୍ବତନ ମନ୍ତ୍ରୀ ସମୀର ଦେ, ତ୍ରିପୁରାର ପୂର୍ବତନ ମୁଖ୍ୟ ଶାସନ ସଚିବ ସଞ୍ଜୟ ପଣ୍ଡା, ମଧ୍ୟମ-ଅଣୁ କ୍ଷୁଦ୍ରଶିଳ୍ପର ବିଭାଗର ଯୁଗ୍ମ ସଂପାଦକ ରାମ ମୋହନ ମିଶ୍ର, ଗେଲ୍‌ର ପ୍ରକଳ୍ପ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ କର୍ଣ୍ଣାଟକ୍‌, ଜେମ୍ସ ଆଣ୍ଡ ଜୁଏଲାରୀ ସ୍କିଲ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ଅଧ୍ୟକ୍ଷ ପ୍ରମୋଦ ଅଗ୍ରଓ୍ଵାଲ, ଜେମ୍ସ ଆଣ୍ଡ ଜୁଏଲାରୀ ଏସ୍‌ଇଆଇ ଅଧ୍ୟକ୍ଷ ପ୍ରେମ କୁମାର କୋଠାରୀ, ସିନୋଗ୍ରାଫର ରାଜୀବ ସେଠୀ, ଏମ୍‌ଏସ୍‌ଡି ଯୁଗ୍ମ ସଚିବ ରାଜଶେ ଅଗ୍ରଓ୍ଵାଲ, ଗେଲ୍‌ ଅଧିକାରୀ ପି.କେ.ଗୁପ୍ତା, ଏମ୍‌.ଏଲ୍‌.ରାଓ, ଗାୟତ୍ରୀ ବାସୁଦେବନ୍‌ ପ୍ରମୁଖ ଉପସ୍ଥିତ ଥିଲେ। ପାଇପଲାଇନ୍‌ ପ୍ରକଳ୍ପ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୩୭୫ ଜଣଙ୍କୁ ତାଲିମ ଦିଆଯିବା ଯୋଜନା ଥିବା ବେଳେ ଆସନ୍ତା ମେ ୯ରେ ଏହା ଆରମ୍ଭ କରାଯିବ।

ଆଜିର ଏହି କାର୍ଯ୍ୟକ୍ରମ ସଂପୂର୍ଣ୍ଣ ଭାବେ ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିବା ବେଳେ ଆଜି ଧର୍ମେନ୍ଦ୍ରଙ୍କ ସହ ମଞ୍ଚକୁ ଚଢିବା ଏବଂ ତାଙ୍କୁ ସ୍ୱାଗତ କରିବା ପାଇଁ ବିଜେପିର ବିଭିନ୍ନ ଗୋଷ୍ଠୀର ସମର୍ଥକଙ୍କ ମଧ୍ୟରେ ଠେଲାପେଲା ଘଟଣା ଅଭାବନୀୟ ଦୃଶ୍ୟ ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର