ଭୁବନେଶ୍ବର : ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଆଜି ବିଭାଗର କାର୍ଯ୍ୟାବଳୀ ସମ୍ପର୍କରେ ସମୀକ୍ଷା କରିଛନ୍ତି। ମନ୍ତ୍ରୀ ଶ୍ରୀ ନାୟକ ପ୍ରତ୍ୟେକ ସରକାରୀ ଆଇଟିଆଇରେ ମହିଳା ହଷ୍ଟେଲ୍‌ ନିର୍ମାଣ ଉପ‌େର ଗୁରୁତ୍ବାରୋପ କରିବା ସହ ଏହା ଦ୍ବାରା ସମସ୍ତ ଅନୁସୂଚିତ ଜାତି ଓ ଜନଜାତିର ବାଳିକା ଆଇଟିଆଇଗୁଡ଼ିକରେ ଶିକ୍ଷାଲାଭ କରିବାର ସୁଯୋଗ ପାଇପାରିବେ ବୋଲି କହିଥିଲେ। ଗଠନମୂଳକ ମନୋଭାବ ବଜାୟ ରଖି ରାଜ୍ୟରେ ଅଧିକରୁ ଅଧିକ ସୁଦକ୍ଷ କୁଶଳୀ ମାନବ ସମ୍ବଳ ସୃଷ୍ଟି କରିବା ଦିଗରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ନିଷ୍ଠାପର ଉଦ୍ୟମ ଅବ୍ୟାହତ ରଖିବାକୁ ମନ୍ତ୍ରୀ ଆହ୍ବାନ ଦେଇଥିଲେ। ବିଭାଗୀୟ ସଚିବ ସଞ୍ଜୟ କୁମାର ସିଂହ ପାୱାର୍ ପଏଣ୍ଟ୍‌ ଯୋଗେ ବିଭାଗର ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ସମୀକ୍ଷା ବୈଠକରେ ଓଏସ୍‌ଡିଏ ସିଇଓ ତଥା ନିୟୋଜନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ, ଡିଟିଇଟି ନିର୍ଦ୍ଦେଶକ ଏନ୍ ସି ମିଶ୍ର, ଅତିରିକ୍ତ ସଚିବ ସୁଦର୍ଶନ ପଣ୍ଡା, ଯୁଗ୍ମ ସଚିବ ଅଜୟ ନାୟକଙ୍କ ସମେତ ବହୁ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ।