ଢେଙ୍କାନାଳରେ ‘କୌଶଳ ମହୋତ୍ସବ’ ଆୟୋଜନ କରିବ ସ୍କିଲ୍‌ ଇଣ୍ଡିଆ

ଢେଙ୍କାନାଳ : ଓଡ଼ିଶାର ଯୁବପିଢ଼ିଙ୍କୁ ଆପ୍ରେଣ୍ଟିସ୍‌ସିପ୍‌ ପ୍ରଶିକ୍ଷଣ ଏବଂ ନିଯୁକ୍ତି ସୁଯୋଗ ଦେବା ଲାଗି ଆସନ୍ତା ୬ ତାରିଖ ରବିବାର ଦିନ ଢେଙ୍କାନାଳଠାରେ ‘କୌଶଳ ମହୋତ୍ସବ’ ଆୟୋଜନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ ଅନୁରୂପ ଦେଶର ଯୁବପିଢ଼ିଙ୍କୁ କୌଶଳ ବିକାଶ ତାଲିମ ଦେବା ଉଦ୍ଦେଶ୍ୟରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ନିଜର ରଣନୈତିକ କାର୍ଯ୍ୟକାରିତା ଓ ଜ୍ଞାନ ସହଯୋଗୀ ଜାତୀୟ କୌଶଳ ବିକାଶ ନିଗମ (ଏନ୍‌ଏସ୍‌ଡିସି) ସହାୟତାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଛି।

ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଯୁବକମାନଙ୍କୁ ନିଯୁକ୍ତି ସୁଯୋଗ ଦେବା ଲାଗି ସରକାରଙ୍କ ପ୍ରତିବଦ୍ଧତାକୁ ପୂରଣ କରିବା ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରିଛି। ସ୍କିଲ ଇଣ୍ଡିଆ ମିସନ ଅଧୀନରେ କୌଶଳ ବିକାଶ ଜରିଆରେ ବିଭିନ୍ନ କ୍ଷେତ୍ରରେ ରହିଥିବା ସୁଯୋଗ ଯୋଗାଇ ଦେବା ଦ୍ବାରା ଯୁବଶକ୍ତିଙ୍କ ସଶକ୍ତୀକରଣ କରାଯାଇପାରିବ। ରାଜ୍ୟରେ ପର୍ଯ୍ୟାୟକ୍ରମେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏହା ଓଡ଼ିଶାର ସ୍ଥାନୀୟ ଯୁବକ ଓ ସମୁଦାୟଙ୍କୁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଢେଙ୍କାନାଳ ‘କୌଶଳ ମହୋତ୍ସବ’ରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ https://nsdcdigital.nsdcindia.org ରେ ପଞ୍ଜୀକରଣ କରିପାରିବେ ଏବଂ ବିଭିନ୍ନ ପଦପଦବି ନିମନ୍ତେ ସେମାନଙ୍କର ସାକ୍ଷାତ୍‌କାର ପାଇଁ ଆବେଦନ ଓ କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରିପାରିବେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ତଥା ରାଜ୍ୟ ବାହାରୁ ଏଫ୍‌ଏଣ୍ଡ୍‌ବି, ବୟନ, ସୌନ୍ଦର୍ଯ୍ୟ ଓ କଲ୍ୟାଣ, ସ୍ବାସ୍ଥ୍ୟସେବା, ଆଇଟି ଆଦି ୨୦ରୁ ଅଧିକ କ୍ଷେତ୍ରର ୫୦ରୁ ଅଧିକ କମ୍ପାନି ଅଂଶଗ୍ରହଣ କରିବେ। ପ୍ରାର୍ଥୀମାନେ ବିଭିନ୍ନ ପଦବିରେ ନିଯୁକ୍ତି ପାଇଁ ଆବେଦନ କରିପାରିବେ ଏବଂ କୌଶଳ ମହୋତ୍ସବରେ ସାକ୍ଷାତ୍‌କାର ଦେବାର ସୁଯୋଗ ପାଇପାରିବେ।

ସମ୍ବନ୍ଧିତ ଖବର