‘ସ୍କିଲ୍‌ ଅଫ୍‌ ହୁଇଲ୍ସ’ର ଶୁଭାରମ୍ଭ : ଆଉ ୯୫ଟି ହାଇସ୍କୁଲରେ ଧନ୍ଦାମୂଳକ ଶିକ୍ଷା

ଭୁବନେଶ୍ୱର : ମାଧ୍ୟମିକ ଶିକ୍ଷାସ୍ତରରେ ଧନ୍ଦାମୂଳକ ଶିକ୍ଷା ବିଷୟକୁ ତୃତୀୟ ଭାଷା ଭାବେ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଏବେ ସୁଦ୍ଧା ରାଜ୍ୟର ୩୧୪ଟି ଉଚ୍ଚ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାର ପ୍ରଚଳନ କରାଯାଇଛି। ସମଗ୍ର ଶିକ୍ଷା ଯୋଜନା ଅଧୀନରେ ରାଜ୍ୟରେ ଆଉ ୯୫ଟି ଉଚ୍ଚ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାର ସମ୍ପ୍ରସାରଣ କରାଯାଉଛି। ସେଥିମଧ୍ୟରୁ ପ୍ରାୟ ୮୦ଟି ବିଦ୍ୟାଳୟରେ ଏକାଧିକ ଟ୍ରେଡ୍‌ ପ୍ରଚଳିତ ହେବ। ଏଥିସହ ଚଳିତବର୍ଷ ଆଉ ୨୫ଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଧ୍ୟ ଧନ୍ଦାମୂଳକ ଶିକ୍ଷା ଉପଲବ୍ଧ ପାଇଁ ଯୋଜନା ରହିଛି। ଏହି ପ୍ରୟୋଗଶାଳାରେ ଇଞ୍ଜିନିୟରିଂ, ଶକ୍ତି ଓ ପରିବେଶ, କୃଷି ଓ ଖାଦ୍ୟ ପ୍ରସ୍ତୁତି ପ୍ର୍ରଣାଳୀ ପ୍ରଭୃତି କୌଶଳ ଶିକ୍ଷାର ସମସ୍ତ ଉପକରଣ ଉପଲବ୍ଧ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ତଥା ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଓଡ଼ିଶା ମାଧ୍ୟମିକ ଶିକ୍ଷା ମିସନ ଓ ‘ଲେଣ୍ଡ୍‌-ଏ-ହ୍ୟାଣ୍ଡ୍‌ ଇଣ୍ଡିଆ’ର ମିଳିତ ଉଦ୍ୟମରେ ଭ୍ରାମ୍ୟମାଣ ବହୁମୁଖୀ ଦକ୍ଷତା ବିକାଶ ପ୍ରୟୋଗଶାଳା ‘ସ୍କିଲ୍‌ ଅନ୍‌ ହୁଇଲ୍ସ’ର ଶୁଭାରମ୍ଭ ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର ଏହା କହିଛନ୍ତି।

ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓପେପା) ପରିସରରେ ଆୟୋଜିତ ଏହି ଉତ୍ସବରେ ଓପେପା ଓ ଓଡ଼ିଶା ମାଧ୍ୟମିକ ଶିକ୍ଷା ମିସନ୍‌ର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ଯୋଗଦେଇ କହିଲେ, ସବୁ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଯନ୍ତ୍ରପାତିର ସଫଳ ପ୍ରୟୋଗ ଶିଖାଇବା ‘ସ୍କିଲ୍‌ ଅନ୍‌ ହୁଇଲ୍ସ’ର ମୁଖ୍ୟ ଲକ୍ଷ୍ୟ। ପ୍ରଥମ ପର୍ଯ୍ୟାୟରେ ଏହି ଭ୍ରାମ୍ୟମାଣ ପ୍ରୟୋଗଶାଳା ଭୁବନେଶ୍ୱର ପୌରାଞ୍ଚଳ ସମେତ ବାରଙ୍ଗ, ଜଟଣୀ, ଖୋର୍ଧା, ବାଲିଅନ୍ତା ଓ କଣ୍ଟାପଡ଼ା ଅଞ୍ଚଳରେ ଥିବା ଉଚ୍ଚ ବିଦ୍ୟାଳୟରେ ବୁଲିବ। ପରବର୍ତର୍ୀ ସମୟରେ କୁଶଳୀ ଛାତ୍ରଛାତ୍ରୀ ଜୀବିକାନିର୍ବାହ ପାଇଁ ସକ୍ଷମ ଓ ସ୍ୱାବଲମ୍ବୀ ହୋଇପାରିବେ। ଉଦ୍‌ଘାଟନୀ ଉତ୍ସବରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକ ସୁନ୍ଦରଲାଲ ସିଲ୍‌ଙ୍କ ସମେତ ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର