ଭୁବନେଶ୍ୱର : ଆଶାକର୍ମୀ, ଅଙ୍ଗନଓ୍ଵାଡ଼ି କର୍ମୀ ଓ ସହାୟିକା, ପାଚିକା ସହାୟିକା ୟନୁିୟନ୍‌ଗୁଡ଼ିକୁ ନେଇ ଗଠିତ ସ୍କିମ୍‌ ଓ୍ଵାର୍କର୍ସ ୟୁନିୟନ୍‌ ସମନ୍ଵୟ ସମିତି ପକ୍ଷରୁ ଲୋୟର ପିଏମ୍‌ଜିରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଆଇଟିୟୁସି ସମେତ ବିଭିନ୍ନ କେନ୍ଦ୍ରୀୟ ଟ୍ରେଡ ୟୁନିୟନଙ୍କ ନେତୃତ୍ୱରେ ଏହି ବିକ୍ଷୋଭରେ ଶହ ଶହ କର୍ମୀ ସାମିଲ ହୋଇଥିଲେ।

Advertisment

ଭୁବନେଶ୍ୱର ରେଳ ଷ୍ଟେସନରୁ ବିକ୍ଷୋଭକାରୀ ଏକ ଶୋଭାଯାତ୍ରାରେ ବାହାରି ବିଧାନସଭା ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଏଆଇଟିୟୁସି ରାଜ୍ୟ ସଭାପତି ଅଶୋକ ଦାସ କହିଲେ, ବିଜେପି ସରକାର କ୍ଷମତାକୁ ଆସିବା ପରେ କେନ୍ଦ୍ର ପ୍ରଦତ୍ତ ସ୍କିମ୍‌ ଉପରେ ଲଗାତାର ଆକ୍ରମଣ ଚାଲିଛି। ସମନ୍ଵିତ ଶିଶୁ ବିକାଶ ଯୋଜନା, କାର୍ଯ୍ୟରତ ଅଙ୍ଗନଓ୍ଵାଡ଼ି ଓ ସହାୟିକା, ଜାତୀୟ ଗ୍ରାମ୍ୟ ସ୍ୱାସ୍ଥ୍ୟ ମିସନ୍‌ରେ କାର୍ଯ୍ୟରତ ଆଶାକର୍ମୀ ଆଦି କର୍ମଚାରୀଙ୍କ ଭାଗ୍ୟ ଅନିଶ୍ଚିତତା ମଧ୍ୟ ଦେଇ ଗତି କରୁଛି। ଏହି କର୍ମଚାରୀମାନେ ସର୍ବନିମ୍ନ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏସମସ୍ତଙ୍କୁ ଓ୍ଵାର୍କରର ମାନ୍ୟତା ପ୍ରଦାନ ପାଇଁ ଜାତୀୟଶ୍ରମ ସମ୍ମିଳନୀ ନିଷ୍ପତ୍ତି କରିଥିଲେ ମଧ୍ୟ କେନ୍ଦ୍ର ସରକାର ନିଷ୍ପତ୍ତିିକୁ ଲାଗୁ କରିବାରେ ଟାଟଟୁଳ ନୀତି ଗ୍ରହଣ କରୁଛନ୍ତି। ଏହା ସଂପୂର୍ଣ୍ଣ ବେଆଇନ ଓ ଅଗଣତାନ୍ତ୍ରିକ ବୋଲି ଶ୍ରୀ ଦାସ ଅଭିଯୋଗ କରିଥିଲେ।

ବିକ୍ଷୋଭକାରୀମାନେ କହିଛନ୍ତି, ଗତଥର ଆନ୍ଦୋଳନ ସମୟରେ ବିଭାଗୀୟ ମନ୍ତ୍ରୀ ସପ୍ତମ ବେତନ କମିସନ୍‌ ଆଧାରରେ ସର୍ବନିମ୍ନ ମାସିକ ଭତ୍ତା, ଆଶାକର୍ମୀଙ୍କ ପାଇଁ ମାସିକିଆ ଭତ୍ତା ଧାର୍ଯ୍ୟ ପରି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେସବୁର ବିଚାର କଲେ ନାହିଁ। ବାରମ୍ବାର ସରକାର ଆମକୁ ଭଣ୍ଡାଇ ଚାଲିଛନ୍ତି। ତୁରନ୍ତ ସରକାର ଆମ ଦାବି ପୂରଣ ନକଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ। ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ଵାଡି କର୍ମୀ ଓ ସହାୟିକାଙ୍କ ନେତା ପ୍ରଶାନ୍ତ ପାଢ଼ୀ, ଅଙ୍ଗନଓ୍ଵାଡି ସଂଘର ନେତ୍ରୀ ହରପ୍ରିୟା ସ୍ୱାଇଁ, ନମିତା ସାହୁ, ମୁକ୍ତା ପ୍ରଧାନ, ପାଚିକା ସହାୟିକା ସଂଘର ନେତ୍ରୀ ରେଣୁକା ଦୋରା, ସିପିଆଇ ରାଜ୍ୟ ସମ୍ପାଦକ ଦିବାକର ନାୟକ ପ୍ରମୁଖ ସରକାରଙ୍କ ଏପରି ନୀତିକୁ ନିନ୍ଦା କରିଥିଲେ। ସଂଘର ନେତା ବିଜୟ ଜେନା, ସୁର ଜେନା, ଜୟନ୍ତ ଦାସ ପ୍ରମୁଖ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ।