ଗାଈଗୋରୁଙ୍କଠାରେ ବ୍ୟାପୁଛି ଚର୍ମ ରୋଗ, ବାଂଲାଦେଶରୁ ଓଡ଼ିଶାକୁ ଭୂତାଣୁ ଆସିଥିବା ସନ୍ଦେହ

ଭୁବନେଶ୍ବର : ରାଜ୍ୟରେ ଗାଈଗୋରୁଙ୍କଠାରେ ବ୍ୟାପୁଛି ଭୂତାଣୁଜନିତ ଚର୍ମ ରୋଗ। ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମେ ଏହି ରୋଗ ଦେଖା ଦେଇଥିବା ବେଳେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲା ଏବେ ଏହି ରୋଗ କବ୍‌ଜାରେ ରହିଛି। ଉଦ୍‌ବେଗଜନକ ଘଟଣା ହେଉଛି ଏହି ଚର୍ମ ରୋଗ ପାଇଁ କୌଣସି ଟିକା ବାହାରି ନାହିଁ। ଯାହାକୁ ନେଇ ରାଜ୍ୟବ୍ୟାପୀ ଗୋ-ପାଳନ କରୁଥିବା ଲୋକଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଛି। ଯଦିଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି, ତଥାପି ରାଜ୍ୟକୁ ଏହାକୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇନାହିଁ।

ସୂଚନା ଅନୁସାରେ, କେବଳ ରାଜ୍ୟ ନୁହେଁ, ଦେଶରେ ପ୍ରଥମ ଥର ଲାଗି ଏଭଳି ଚର୍ମ ରୋଗ ଦେଖିବାକୁ ମିଳିଛି। ଏଥିରେ ଗାଈଗୋରୁଙ୍କଠାରେ ଆବୁ ହୋଇ ଫୁଲଯିବା ସହିତ ସେଠାରେ ଘା’ ସୃଷ୍ଟି ହେଉଛି। କିଛି ଗାଈଗୋରୁଙ୍କ ଦେହରେ ଏହା ଯୋଗୁଁ କଣା ହୋଇଯାଉଛି। ଫଳରେ ଗାଈଗୋରୁମାନେ କଷ୍ଟ ପାଉଛନ୍ତି। କିଛି ସ୍ଥାନରେ ଗାଈଗୋରୁ ଏହି ରୋଗ ଯୋଗୁଁ ପ୍ରାଣ ହରାଉଥିବା କୁହାଯାଉଛି। କାପ୍ରିପକ୍ସ ନାମକ ଭୂତାଣୁ ଯୋଗୁଁ ଏହି ଚର୍ମ ରୋଗ ସୃଷ୍ଟି ହେଉଥିବା କୁହାଯାଉଛି। ତେବେ ଏହି ଭୂତାଣୁ କେଉଁଠାରୁ ଆସିଛି, ତାହା ସ୍ପଷ୍ଟ ହୋଇ ନଥିଲେ ହେଁ ବାଂଲାଦେଶରୁ ଏହି ଭୂତାଣୁ ଓଡ଼ିଶା ପହଞ୍ଚିଥିବା ପ୍ରାଣୀ ଚିକିତ୍ସକମାନେ ସନ୍ଦେହ କରୁଛନ୍ତି। ଦେଢ଼ ମାସ ହେବ, ଏହି ରୋଗ ରାଜ୍ୟର ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ବ୍ୟାପୁଥିବା ନଜରକୁ ଆସୁଛି।

ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କହିବା କଥା, ଆଫ୍ରିକା ଦେଶରେ ଏହି ଭୂତାଣୁ ପ୍ରଥମେ ନଜରକୁ ଆସିଥିଲା। କିନ୍ତୁ ଆମ ଦେଶରେ ପୂର୍ବରୁ ଏହି ଭୂତାଣୁ ଯୋଗୁଁ ଗାଈଗୋରୁଙ୍କଠାରେ ଚର୍ମ ରୋଗ ସୃଷ୍ଟି ହୋଇଥିବା ଦେଖିବାକୁ ମିଳି ନାହିଁ। ରାଜ୍ୟରେ ପ୍ରଥମଥର ଲାଗି ଏହି ରୋଗ ଦେଖାଦେଇଛି। ଜଳବାୟୁ ପରିବର୍ତନ ହିଁ ଏହି ଚର୍ମରୋଗ ବ୍ୟାପିବାର ମୁଖ୍ୟ କାରଣ। ଗାଈଗୋରୁଙ୍କୁ ବାଦ୍ ଦେଲେ ମେଣ୍ଢା, ଛେଳିଙ୍କଠାରେ ମଧ୍ୟ ଏହି ରୋଗ ବ୍ୟାପିବାର ଆଶଙ୍କା ରହିଛି। ତେବେ ଏଥିରେ ଗାଈଗୋରୁ ମୃତାହତ ହେଉଥିବା ନଜରକୁ ଆସିନାହିଁ। ଯେଉଁ ଗାଈଗୋରୁ ଏଥିରେ ପ୍ରାଣ ହରାଉଥିବା କୁହାଯାଉଛି, ନୋଡୁଲାର ଚର୍ମ ରୋଗ ବ୍ୟତୀତ ଅନ୍ୟ ରୋଗ ଥିଲେ ଏଥିରେ ମୃତାହତ ହେବାର ଆଶଙ୍କା ସୃଷ୍ଟି ହୋଇଥାଏ। ଏହି ‌ରୋଗ ପାଇଁ କୌଣସି ଟିକା ନ ଥିବାରୁ କେବଳ ସଚେତନତା ଦ୍ବାରା ହିଁ ଏହାକୁ ନିୟନ୍ତ୍ରଣ କରାଯାଇ ପାରିବ। ରାଜ୍ୟରେ ଏହି ରୋଗ ଦେଖାଦେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ଲୋକମାନଙ୍କୁ ସଚେତନ କରିବା ପାଇଁ ଦିନରାତି ରାଜ୍ୟବ୍ୟାପୀ କ୍ୟାମ୍ପ ଓ ଲିଫ୍‌ଲେଟ୍‌ ବଣ୍ଟନ କରାଯାଉଛି। ଯେଉଁ ଗାଈଗୋରୁ ଏହାର ଶିକାର ହେଉଛନ୍ତି, ସେମାନଙ୍କୁ ଅନ୍ୟ ଗାଈଗୋରୁଙ୍କଠାରୁ ଅଲଗା ରଖିବା ପାଇଁ ଲୋକଙ୍କୁ କୁହାଯାଉଛି। ସଂକ୍ରମିତ ଗୋରୁମାନଙ୍କୁ ହାଟକୁ ଆଣିବା ପାଇଁ ବାରଣ କରାଯାଉଛି। ତେବେ ଯଦି କୌଣସିଠାରେ ଏହି ଚର୍ମ ରୋଗ ଦେଖାଦିଏ, ତା’ହେଲେ, ଲୋକମାନେ ତୁରନ୍ତ ଏଥିପାଇଁ ପ୍ରାଣୀ ଚିକିତ୍ସକଙ୍କ ସହ ଯୋଗାଯୋଗ କରିବା ଜରୁରୀ। ଫଳରେ ଏହି ରୋଗ ରାଜ୍ୟରେ ଏବେ ନିୟନ୍ତ୍ରଣରେ ରହିଛି। ଆସନ୍ତା ବର୍ଷ ଆଡ଼କୁ ଏହି ‌ରୋଗ ପାଇଁ ଟିକା ହୁଏତ ଉପଲବ୍ଧ ହୋଇପାରେ ବୋଲି ଅଧିକାରୀଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର