ନବରଙ୍ଗପୁର: ୩ଟି କଲରାପତରିଆ ବାଘ ଛାଲ ଜବତ, ୪ ଅଭିଯୁକ୍ତ ଯୁବକ ଗିରଫ

ନବରଙ୍ଗପୁର: ସ୍ଥାନୀୟ ବନ ବିଭାଗର ଟିମ୍ ୩ଟି କଲରାପତରିଆ ବାଘ ଛାଲ ଜବତ କରିଛି । ଏଥି ସହିତ ବନ ବିଭାଗର କର୍ମଚାରୀମାନେ ୪ ଜଣ ଯୁବକଙ୍କୁ ଗିରଫ କରି ସେମାନଙ୍କର ଠାରୁ ୨ଟି ବାଇକ ମଧ୍ୟ ଜବତ କରିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ସୁରେନ୍ଦ୍ର ନାୟକ, ତ୍ରିନାଥ ନାୟକ, ପ୍ରହଲ୍ଲାଦ ନାୟକ ଓ ଗୁପ୍ତ ପ୍ରସାଦ ଟାକରୀ ।

ସୂଚନା ଅନୁସାରେ ଗତକାଲି ନବରଙ୍ଗପୁର ବନ ବିଭାଗ ଖବର ପାଇ ୨ଟି ସ୍ଥାନରେ ଚଢ଼ାଉ କରିଥିଲା । କଳାହାଣ୍ଡି ଓ ନବରଙ୍ଗପୁର ସୀମାରୁ ନବରଙ୍ଗପୁର ଅଭିମୁଖେ ଆସୁଥିବା କଳହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ଅଂଚଳର ସୁରେନ୍ଦ୍ର ନାୟକ ଓ ତ୍ରିନାଥ ନାୟକଙ୍କୁ ବନ ବିଭାଗ କାବୁ କରିଥିଲା । ସେମାନଙ୍କର ଠାରୁ ଗୋଟିଏ କଲରାପତରିଆ ବାଘ ଛାଲ ସହିତ ଏକ ବାଇକ ଜବତ କରିଥିଲା ।

ସେହିପରି ଭାବେ ବନ ବିଭାଗ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଉସୁରୀପଦର ଛକ ନିକଟରୁ ଗୁପ୍ତ ପ୍ରସାଦ ଟାକରୀ ଓ ପ୍ରହଲ୍ଲାଦ ନାୟକଙ୍କ ଠାରୁ ୨ଟି ବାଘ ଛାଲ ଜବତ କରିଥିଲା । ଗୁପ୍ତ ପ୍ରସାଦ ଓ ପ୍ରହଲ୍ଲାଦ ଖାତିଗୁଡ଼ା ଥାନା ଅନ୍ତର୍ଗତ ଗରିଗୁଡ଼ା ଗାଁର ନିବାସୀ । ବନବିଭାଗ ଏମାନଙ୍କ ଠାରୁ ମଧ୍ୟ ଏକ ବାଇକ ଜବତ କରିଥିଲା ।

ଉପଖଣ୍ଡ ବନ ଅଧିକାରୀ ମଗର ଧନଜୀ ରାଓସେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ, ବାଘ ଛାଲ ଚାଲାଣ ନେଇ ବନ ବିଭାଗକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ନବରଙ୍ଗପୁର ରେଞ୍ଜର ବନବିଭାଗ ଟିମ ଚଢ଼ାଉ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ପ୍ରଥମ ଚଢ଼ାଉ ପୂର୍ବାହ୍ନ ସାଢ଼େ ୧୧ଟାରେ ଓ ଶେଷ ଚଢ଼ାଉ ଅପରାହ୍ନ ସାଢ଼େ ୩ଟାରେ ହୋଇଥିଲା । ତେବେ ସଂପୃକ୍ତ ଅଭିଯୁକ୍ତମାନେ ବାଘ ଛାଲ କେଉଁଠୁ ଆଣିଥିଲେ ଏବଂ କେଉଁଠିକୁ ନେଇଥାନ୍ତେ ସେନେଇ ବନବିଭାଗ ତଦନ୍ତ ଜାରି ରଖିଛି ।

ସମ୍ବନ୍ଧିତ ଖବର