ଭୁବନେଶ୍ବର : କୋଭିଡ୍‌ ସମୟରେ ଔଷଧୀୟ ମଶାରୀ ବିତରଣ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ ପଣ୍ୟାଗାରଗୁଡ଼ିକର ବିକାଶ ଓ ଆନୁସଙ୍ଗିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟ ପଣ୍ୟାଗାର ନିଗମକୁ ସ୍କଚ୍ ପୁରସ୍କାର ମିଳିଛି। ଆଭାସୀ ଜରିଆରେ ଏହି ପୁରସ୍କାର ସଂପର୍କରେ ଘୋଷଣା କରାଯାଇଛି।

Advertisment

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ କୋଭିଡ୍‌ ସମୟରେ ରାଜ୍ୟରେ ବିନା କୌଣସି ପ୍ରତିବନ୍ଧକରେ ମ୍ୟାଲେରିଆ ପ୍ରବଣ ଜିଲ୍ଲାଗୁଡ଼ିକରେ ଔଷଧୀୟ ମଶାରୀ(ଏଲ୍‌ଏଲ୍ଆଇଏନ୍‌) ବଣ୍ଟା ଯାଇଥିଲା। ଏହା କାରଣରୁ ରାଜ୍ୟରେ ମ୍ୟାଲେରିଆ ସଂକ୍ରମଣ ୯୪ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥିଲା। ଏହି ସଫଳତା ପାଇଁ ବିଭାଗକୁ ସ୍କଚ୍ ରୌପ୍ୟ ପୁରସ୍କାର ମିଳିଛି। ସେହିପରି ରାଜ୍ୟ ସର୍ଭେଲାନ୍‌ସ ୟୁନିଟ୍‌ ଓ ଜିଲ୍ଲା ଜନସ୍ବାସ୍ଥ୍ୟ ପରୀକ୍ଷାଗାରର କ୍ଷମତାବୃଦ୍ଧି ନେଇ ମଧ୍ୟ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ସ୍କଚ୍ ଅର୍ଡର ଅଫ ମେରିଟ୍‌ ସାର୍ଟିଫିକେଟ୍ ମିଳିଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପୁରସ୍କାର ପାଇଁ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଓ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା.ନିରଞ୍ଜନ ମିଶ୍ର ପ୍ରମୁଖ କୃତଜ୍ଞତା ଜଣାଇଛନ୍ତି।

ଅପରପକ୍ଷରେ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମକୁ ‘ସ୍କଚ୍‌ ଅର୍ଡର ଅଫ୍‌ ମେରିଟ୍‌ ୨୦୨୨’ରେ ସମ୍ମାନିତ କରାଯାଇଛି। ନିଗମ ଏହାର କାର୍ଯ୍ୟଧାରାକୁ ଅଧିକ ସ୍ବଚ୍ଛ ଓ କ୍ରିୟାଶୀଳ କରିବା ପାଇଁ ଡିଜିଟାଇଜେସନ୍‌ ପ୍ରକ୍ରିୟାରେ ଖାଦ୍ୟ ଶସ୍ୟ ତଥା କୃଷିଜାତ ସାମଗ୍ରୀର ସଂରକ୍ଷଣ ବ୍ୟବସ୍ଥାକୁ ସୁସଂଗଠିତ ହୋଇପାରିଛି। ଏହି ପ୍ରକ୍ରିୟା ଦ୍ବାରା ଗୋଦାମ ଗୃହଗୁଡ଼ିକରେ ଗଚ୍ଛିତ ଦ୍ରବ୍ୟର ଦେଣନେଣ, ସଂରକ୍ଷଣ ଗୁଣବତ୍ତା ନିୟନ୍ତ୍ରଣ, ଷ୍ଟକ୍‌ର ଯାଞ୍ଚ ପ୍ରକ୍ରିୟା, ଆକାଉଣ୍ଟ୍, ବିଲିଂ ଓ ମାନବ ସମ୍ବଳ ପରିଚାଳନା ନିୟନ୍ତ୍ରଣ ହୋଇପାରୁଛି। ଆଭାସୀ ମାଧ୍ୟମରେ ଆୟୋଜିତ ସମାରୋହରେ ନିଗମର ପରିଚାଳନା ନିର୍ଦ୍ଦେଶକ ଗଣେଶ୍ବର ଜେନା ସ୍କଚ୍‌ ଅର୍ଡର ଅଫ୍‌ ମେରିଟ୍‌ ୨୦୨୨ର ମାନପତ୍ର ଗ୍ରହଣ କରିଛନ୍ତି। ଏହି ସମ୍ମାନ ଜନକ ପୁରସ୍କାର ପାଇଁ ଅଧ୍ୟକ୍ଷ ମହେନ୍ଦ୍ର ବଢ଼ାଇ ଓ ପରିଚାଳନା ନିର୍ଦ୍ଦେଶକ ଜେନା ନିଗମର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।