ସହରାଞ୍ଚଳରେ ହେବ ଆକାଶଛୁଆଁ ଅଟ୍ଟାଳିକା

ଏଫ୍‌ଏଆର୍ ୩ରୁ ୭କୁ ବଢ଼ାଇବାକୁ ଯୋଜନା
ସର୍ବନିମ୍ନ ଏଫ୍‌ଏଆର୍ ୨ ହେବ
ଆପାର୍ଟମେଣ୍ଟ, ଉଚ୍ଚ ଅଟ୍ଟାଳିକା ଯାଞ୍ଚ କରିବ ତୃତୀୟ ପକ୍ଷ
ଛୋଟ ଘର ପାଇଁ ବି ନିୟମ କୋହଳ

ଭୁବନେଶ୍ୱର : ଏଣିକି ଆମ ରାଜ୍ୟରେ ବି ସିଙ୍ଗାପୁର, ମାଲେସିଆ ଭଳି ଆକାଶଚୁମ୍ବୀ ଅଟ୍ଟାଳିକା ଦେଖିବାକୁ ମିଳିବ। ଭୁବନେଶ୍ବର, କଟକ, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲାରୁ ଆରମ୍ଭ କରି ରାଜ୍ୟର ସବୁ ସହରାଞ୍ଚଳରେ ଉଚ୍ଚ ଅଟ୍ଟାଳିକା ‌ନିର୍ମାଣ ହୋଇପାରିବ। ଯେଉଁଠି ଜମି ଆଗରେ ୨୦୦ଫୁଟ ରାସ୍ତା ଥିବ ସେଠାରେ ଜମିର ୭ଗୁଣା ଅର୍ଥାତ୍ ଏଫ୍‌ଏଆର୍ (ଫ୍ଲୋରଏରିଆ ରେସିଓ) ୭ ପର୍ଯ୍ୟନ୍ତ ଅଞ୍ଚଳରେ ଘର ନିର୍ମାଣ କରିବାକୁ ମିଳିବ। ଏବେ ଏଠାରେ ଏଫ୍‌ଏଆର୍ ୩ ପର୍ଯ୍ୟନ୍ତ ଅନୁମତି ଦିଆଯାଉଛି। ଅର୍ଥାତ୍ ଏବେ ଯେଉଁ ଜମିରେ ୧୫ହଜାର ବର୍ଗଫୁଟର ଘର ନିର୍ମାଣ କରାଯାଇପାରୁଛି ସେଠାରେ ଆଗକୁ ୩୫ହଜାର ବର୍ଗଫୁଟର କୋଠା ନିର୍ମାଣ କରିହେବ।

କେବଳ ବଡ଼ ଜମିରେ ଉଚ୍ଚ ଅଟ୍ଟାଳିକା ନିର୍ମାଣ ହେବ ତାହା ନୁହେଁ। ଛୋଟ ଛୋଟ ଜମିରେ ବି ଏବେ ଯେତିକି ଘର ନିର୍ମାଣ ହେଉଛି ତାହାଠାରୁ ଅଧିକ ଘର ଏବଂ ଅଧିକ ଉଚ୍ଚତାର ଘର ନିର୍ମାଣ ହୋଇପାରିବ। ୩୦ଫୁଟ ଓସାର ଥିଲେ ଏବେ ଏଫ୍‌ଏଆର୍ ୧.୭୫ ପର୍ଯ୍ୟନ୍ତ ଅନୁମତି ମିଳୁଛି। କିନ୍ତୁ ଆଗକୁ ଏହା ଏଫ୍‌ଏଆର୍ ୨ ହୋଇଯିବ। ଜମିର ଦୁଇଗୁଣା ଘର ନିର୍ମାଣ କରିବାକୁ ଅନୁମତି ମିଳିବ। ଏବେ ରାଜ୍ୟର ବିଭିନ୍ନ ସହରାଞ୍ଚଳ ପାଇଁ ଭିନ୍ନଭିନ୍ନ ନିୟମ ଥିବାବେଳେ ନଗର ଉନ୍ନୟନ ବିଭାଗ ସାରା ରାଜ୍ୟ ପାଇଁ ଗୋଟିଏ ବିଲ୍‌ଡିଂ ନିୟମ କରିବାକୁ ଯାଉଛି। ଏନେଇ ନଗର ଉନ୍ନୟନ ବିଭାଗ ଓଡ଼ିଶା ଡେଭଲପମେଣ୍ଟ ଅଥରିଟିଜ୍ (ପ୍ଲାନିଂ ଆଣ୍ଡ ବିଲ୍‌ଡିଂ ଷ୍ଟାଣ୍ଡାର୍ଡସ) ରୁଲ୍‌ସ, ୨୦୨୦ ପ୍ରସ୍ତୁତ କରିଛି। ଖୁବ୍‌ ଶୀଘ୍ର ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି।

WordPress.com

ଏବେ ରାଜ୍ୟରେ ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷ ଓ ମହାନଗର ନିଗମର ଭିନ୍ନ ଭିନ୍ନ ନିୟମ ଥିବାରୁ ସାରା ରାଜ୍ୟ ପାଇଁ ଗୋଟିଏ ପ୍ରକାରର ସେବା ଯୋଗାଇବା ସମ୍ଭବ ହେଉନି। ଏପରିକି ଅନଲାଇନରେ ପ୍ଲାନ୍ ଆବେଦନ ଓ ମଞ୍ଜୁର ପ୍ରକ୍ରିୟା ବାରମ୍ବାର ‌ଆରମ୍ଭ ହେଉଥିଲେ ହେଁ ତାହା ଫଳପ୍ରଦ ହେଉନି। ବର୍ତ୍ତମାନ ସ୍ଥିତିରେ ସବୁ ଉନ୍ନୟନ କର୍ତ୍ତୃପକ୍ଷଙ୍କ ପାଇଁ ଭିନ୍ନ ଭିନ୍ନ ସଫ୍ଟୱେୟାର ପ୍ରସ୍ତୁତ କରିବାକୁ ପଡ଼ୁଛି। ଏହାବାଦ୍ ସର୍ବକ୍ଷମା ଭଳି ଯୋଜନା ହେଉ କି ରାଜ୍ୟ ସରକାର କିଛି ନିୟମ କୋହଳ କରିବାକୁ ଚାହିଁଲେ ଭିନ୍ନ ଭିନ୍ନ ସହର ପାଇଁ ଭିନ୍ନ ଭିନ୍ନ ନିୟମ କରିବାକୁ ପଡ଼ୁଛି। ଯାହା ବହୁ ସମୟରେ ରାଜ୍ୟ ସରକାରଙ୍କୁ ଅକଳରେ ପକାଉଛି। ତେଣୁ ସାରା ରାଜ୍ୟ ପାଇଁ ଗୋଟିଏ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ଏହି ନୂଆ ନିୟମରେ ଉଚ୍ଚ ଅଟ୍ଟାଳିକା ନିର୍ମାଣ କରୁଥିବା ଲୋକ ଲାଭବାନ ହେବେ, ଛୋଟ ଜମିରେ ଘରୁ କରୁଥିବା ଲୋକ ବି ହେବେ।

ନଗର ଉନ୍ନୟନ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଏବେ କମ୍‌ ଜାଗାରେ ଅଧିକ ଘର ନିର୍ମାଣ ହେବ। ବହୁତ ଜମି ଅଯଥାରେ ନଷ୍ଟ ହେବନି। ଏବେ ସାଧାରଣ ଲୋକଙ୍କୁ ଘର କରିବାକୁ ଆଗ, ପଛ, ବାଁ, ଡାହାଣ ଚାରିପଟୁ ଜାଗା ଛାଡ଼ିବାକୁ ପଡ଼ୁଛି। କିନ୍ତୁ ଆଗକୁ ଚାରିପଟୁ ମିଶାଇ ମାତ୍ର ୧ମିଟର ଓସାରରେ ଜାଗା ଛାଡ଼ିବାକୁ ହେବ। ଘର ମାଲିକଙ୍କର ଯେଉଁପଟେ ଇଚ୍ଛା ସେପଟେ ଜାଗା ଛାଡ଼ିବେ। ଫଳରେ ଏବେ ଯେଉଁଠି ଦୁଇ ମହଲା ଘର ନିର୍ମାଣ ହୋଇପାରୁଛି ସେଠାରେ ଆଗକୁ ତିନି ମହଲା ନିର୍ମାଣ ହେବ।

Dragages Singapore

ନୂଆ ନିୟମରେ ଉଚ୍ଚ ଅଟ୍ଟାଳିକା ନିର୍ମାଣ ପାଇଁ ବାଟ ଖୋଲିବ। କିନ୍ତୁ ପୂର୍ବାପେକ୍ଷା ଯାଞ୍ଚ ଅଧିକ କଡ଼ାକଡ଼ି ହେବ। ଆପାର୍ଟମେଣ୍ଟ, ବଡ଼ ବଡ଼ ହୋଟେଲ, ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ କୋଠା ପାଇଁ ନିର୍ମାଣ ହେଉଥିବା ଉଚ୍ଚ ଅଟ୍ଟାଳିକାଗୁଡ଼ିକର ନିର୍ମାଣ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତୃତୀୟ ପକ୍ଷ ଦ୍ବାରା ଯାଞ୍ଚ କରାଯିବ। ତୃତୀୟ ପକ୍ଷ ରିପୋର୍ଟ ଅନୁସାରେ କୋଠାକୁ ଅକୁପାନ୍ସି ସାର୍ଟିଫିକେଟ, ଏନ୍‌ଓସି ଆଦି ମିଳିବ। ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷ ଏଥିପାଇଁ ତୃତୀୟ ପକ୍ଷ ବାଛିବେ। ଇଞ୍ଜିନିୟର, ଆର୍କିଟେକ୍ଟମାନଙ୍କୁ ନେଇ ଏକ ପ୍ୟାନେଲ୍‌ ଗଠନ ହେବ। ଏହି ପ୍ୟାନେଲ୍‌ର ସଦସ୍ୟମାନେ ଉଚ୍ଚ ଅଟ୍ଟାଳିକାର ନିର୍ମାଣ ସମୟରେ ଯାଞ୍ଚ କରିବେ। ଅନୁମୋଦିତ ପ୍ଲାନ୍ ଠାରୁ ଅଧିକ ନିର୍ମାଣ ହେଉଥିବାର ଯଦି ରିପୋର୍ଟ ଆସେ ତେବେ ଜରିମାନା ଆଦାୟ କରାଯିବ। କେବଳ ଏତିକି ନୁହେଁ । ପ୍ରତି ଉଚ୍ଚ ଅଟ୍ଟାଳିକାକୁ ତିନି ଥର ଲେଖାଏଁ ଯାଞ୍ଚ କରିବାକୁ ଥିବାବେଳେ ତିନି ଥର ଯାକ ଭିନ୍ନ ଭିନ୍ନ ଟିମ୍‌ ଯାଞ୍ଚ ପାଇଁ ଯିବେ। ଏହାଦ୍ବାରା ଯାଞ୍ଚ ପ୍ରକ୍ରିୟାରେ ସ୍ବଚ୍ଛତା ରହିବ। ଏହିଭଳି କିଛି ନୂଆ ନିୟମରେ ଓଡ଼ିଶା ଡେଭଲପମେଣ୍ଟ ଅଥରିଟିଜ୍ (ପ୍ଲାନିଂ ଆଣ୍ଡ ବିଲଡିଂ ଷ୍ଟାଣ୍ଡାର୍ଡସ) ରୁଲ୍‌ସ, ୨୦୨୦ ଆସୁଛି। ଆଗାମୀ ଦିନରେ ରାଜ୍ୟର ପ୍ରମୁଖ ସହରରେ ନୂଆ ନୂଆ ଉଚ୍ଚ ଅଟ୍ଟାଳିକା ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର