ଆର୍‌ଏସ୍‌ପିରେ ସ୍ଲାଗ୍‌ ଦୁର୍ନୀତି : ପ୍ରିୟ କମ୍ପାନିଙ୍କ ପାଇଁ ଅସାଧୁମେଣ୍ଟ

ନଭେମ୍ବରରେ ୯୬ କୋଟି ହାତଛଡ଼ା

ରାଉରକେଲା : ବ୍ଲାଷ୍ଟ୍‍ ଫର୍ଣ୍ଣେସ୍‌ରୁ ନିର୍ଗତ ଧାତବ ଖାଦ (ସ୍ଲାଗ୍‌) ସିମେଣ୍ଟ ଉତ୍ପାଦନର ପ୍ରମୁଖ କଞ୍ଚାମାଲ ହୋଇଥିବାରୁ ଏହାର ଚାହିଦା ଦିନକୁ ଦିନ ବଢ଼ୁଛି। ଅଥଚ କ୍ରମବର୍ଦ୍ଧିଷ୍ଣୁ ବଜାର ଚାହିଦାରୁ ଫାଇଦା ନେବା ବଦଳରେ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) କର୍ତ୍ତୃପକ୍ଷ ‘ସରକାର କା ମାଲ୍‌, ଦରିଆ ମେଁ ଡାଲ୍‌’ ନ୍ୟାୟରେ ପ୍ରିୟ କମ୍ପାନିମାନଙ୍କୁ ଶାଗ-ମାଛ ଦରରେ ସ୍ଲାଗ୍‌ ବିକ୍ରି କରିଆସୁଥିଲେ। ନିର୍ଦ୍ଦିଷ୍ଟ ସିମେଣ୍ଟ କମ୍ପାନି ସହ ଅସାଧୁମେଣ୍ଟ କରିଥିବା ଆର୍‌ଏସ୍‌ପିର ହାତଗଣତି ପଦାଧିକାରୀ ସ୍ଲାଗ୍‌ ବିକ୍ରିରୁ ‘ହାତ ଚିକ୍କଣ’ ପାଇଁ ଇ-ନିଲାମ୍‌ ଭଳି ସ୍ୱଚ୍ଛ ତଥା ପ୍ରତିଦ୍ୱନ୍ଦ୍ୱତାପୂର୍ଣ୍ଣ ପ୍ରକ୍ରିୟା (ଇ-ନିଲାମ୍‌) ଅନୁସରଣ କରୁନଥିଲେ।

ଏଭଳି ଅନିୟମିତତା ବିରୋଧରେ ତତ୍କାଳୀନ ଅତିରିକ୍ତ ମୁଖ୍ୟ ଭିଜିଲାନ୍ସ ଅଧିକାରୀ (ଏସିଭିଓ) ବି.ଏନ୍‌. ଅଗ୍ରଓ୍ଵାଲ୍‌ ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍‌) ପଦାଧିକାରୀଙ୍କୁ ରିପୋର୍ଟ ଦେବା ପରେ ଅସାଧୁମେଣ୍ଟର ‘ଲମ୍ବା ହାତ’ ପ୍ରଭାବରେ ସେ ବଦଳି ହୋଇଥିଲେ। ପରେ ସ୍ଥାନୀୟ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍‌ ଓରାମ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ବୀରେନ୍ଦର ସିଂହଙ୍କୁ ଲିଖିତ ଅଭିଯୋଗ କରିବା ପରେ ଆର୍‌ଏସ୍‌ପି କର୍ତ୍ତୃପକ୍ଷ ଇ-ନିଲାମ ଆହ୍ଵାନ କଲେ ସତ, ମାତ୍ର ହାତ ଚିକ୍କଣ ପାଇଁ ଘଳିଆ ବାଟ ମୁକୁଳା ରଖିଲେ; ଯାହା ଏବେ ବି ବଳବତ୍ତର ରହିଛି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ରେଳ ପରିବହନରେ ଟନ୍‌ ପିଛା ୧୦୧୫ ଟଙ୍କାରୁ ୧୧୦୦ ଟଙ୍କା ମୂଲ୍ୟରେ ସ୍ଲାଗ୍‌ କିଣିବାକୁ ନାମୀ-ଦାମୀ କମ୍ପାନି ଆଗ୍ରହ ପ୍ରକାଶ କରି ଆସୁଥିଲେ ମଧ୍ୟ କର୍ତ୍ତୃପକ୍ଷ ସ୍ଥାନାଭାବ ସମସ୍ୟା ଆଳ ଦେଖାଇ ସଡ଼କ ପରିବହନ ପାଇଁ ଇ-ନିଲାମ ଆହ୍ଵାନ କରିଥିଲେ। ଗତ ନଭେମ୍ବର ୨୭ରେ ସମାପ୍ତ ଇ-ନିଲାମରେ ସଡ଼କ ପରିବହନରେ ସ୍ଲାଗ ମୂଲ୍ୟ ପାଖାପାଖି ଦୁଇ ଗୁଣ ବୃଦ୍ଧି ପାଇଥିଲା। ଅର୍ଥାତ ପୂର୍ବରୁ ଯେଉଁ ସ୍ଲାଗ୍‌ ଟନ୍‌ ପିଛା ୩୦୦ ଟଙ୍କାରୁ ୩୫୦ ଟଙ୍କା ମଧ୍ୟରେ ବିକ୍ରି ହେଉଥିଲା, ତାହା ଗତ ନଭେମ୍ବର ନିଲାମରେ ୫୨୦ ଟଙ୍କାରୁ ୭୫୦ ଟଙ୍କା ପର୍ଯ୍ୟନ୍ତ ବଢ଼ିଥିଲା।

ତେବେ ଦୁଇ ଦିନ ପୂର୍ବେ (ଡିସେମ୍ବର ୨୮) ହୋଇଥିବା ଇ-ନିଲାମରେ ଷ୍ଟିଲ୍‌ ଆଣ୍ଡ କ୍ୟାରିୟର୍ସ, ଓ ଏସିସି ଭଳି ନାମୀ କମ୍ପାନି ରେଳ ପରିବହନରେ ଟନ୍‌ ପିଛା ୧୧୧୫ ଟଙ୍କାରୁ ୧୧୨୫ ଟଙ୍କା ମୂଲ୍ୟରେ ୧ ଲକ୍ଷ ୬୦ ହଜାର ଟନ୍‌ ସ୍ଲାଗ୍‌ କିଣିବାକୁ ରାଜି ହୋଇଛନ୍ତି। ସୁତରାଂ ମାସେ ଅପେକ୍ଷା ନକରି ଆର୍‌ଏସ୍‌ପି କର୍ତ୍ତୃପକ୍ଷ ସଡ଼କ ପରିବହନରେ ୧ ଲକ୍ଷ ୯୩ ହଜାର ୮୦୦ ଟନ୍‌ ସ୍ଲାଗ୍‌ ନିଲାମ ଦେବାରୁ ଟନ୍‌ ପିଛା ହାରାହାରି ୫୦୦ ଟଙ୍କା କ୍ଷତିକୁ ଆମନ୍ତ୍ରଣ କରିଛନ୍ତି। ଅର୍ଥାତ ପ୍ରିୟ ସିମେଣ୍ଟ କମ୍ପାନିଙ୍କ ଫାଇଦା ପାଇଁ ଆର୍‌ଏସ୍‌ପି ଗତ ମାସ ୯୬ କୋଟି ଟଙ୍କାରୁ ଅଧିକ ହାତଛଡ଼ା କରିଛି।

ନାମ ଗୋପନ ରଖିବା ସର୍ତ୍ତରେ ଆର୍‌ଏସ୍‌ପିର କିଛି ବରିଷ୍ଠ ଅଧିକାରୀ ‘ସମ୍ବାଦ’କୁ କହିଛନ୍ତିି, ବ୍ଲାଷ୍ଟ ଫର୍ଣ୍ଣେସ୍‌ରୁ ଦୈନିକ ହାରାହାରି ୨୮୦୦ ଟନ୍‌ ସ୍ଲାଗ ବାହାରୁ ଥିବା ବେଳେ ପ୍ଲାଣ୍ଟ ପରିସରରେ ୫ ଲକ୍ଷ ଟନ୍‌ରୁ ଅଧିକ ସ୍ଲାଗ ଗଚ୍ଛିତ ପାଇଁ ସ୍ଥାନ ରହିଛି। ତେଣୁ ସ୍ଲାଗ ବିକ୍ରି ପ୍ରକ୍ରିୟା ବିଳମ୍ବିତ ହେଲେ ମଧ୍ୟ ଉତ୍ପାଦନ ପ୍ରଭାବିତ ହେବାର ଆଶଙ୍କା ନାହିଁ। ଅପର ପକ୍ଷରେ ଆର୍‌ଏସ୍‌ପି ପାଇଁ ମାସକୁ ୧୫ଟି ଉତ୍ସର୍ଗୀକୃତ ରେଳବାଇ ର‍୍ୟାକ୍‌ ବ୍ୟବସ୍ଥା ଅଛି। କର୍ତ୍ତୃପକ୍ଷ ଯଦି ମାସକୁ ଅନ୍ତତଃ ୧୨ଟି ର‍୍ୟାକ୍‌ରେ ସ୍ଲାଗ୍‌ ଖଲାସ କରିବେ, ତେବେ ମାସକୁ ୪୨ ହଜାର ଟନ୍‌ ସ୍ଲାଗ୍‌ ୧୧୦୦ ଟଙ୍କାରୁ ଅଧିକ ଦରରେ ଖଲାସ ହୋଇପାରିବ। ମାତ୍ର ଆତ୍ମସ୍ୱାର୍ଥୀ ଅଫିସରମାନେ ପ୍ରିୟ ସିମେଣ୍ଟ କମ୍ପାନିଙ୍କ ସ୍ୱାର୍ଥ ରକ୍ଷା ଲାଗି ସଡ଼କ ପରିବହନକୁ ଗୁରୁତ୍ୱ ଦେଉଥିବାରୁ ଏହି ମହାରତନ କମ୍ପାନି ଟନ୍‌ ପିଛା ସ୍ଲାଗରେ ଅତିକମ୍‌ରେ ୫୦୦ ଟଙ୍କା ହାତଛଡ଼ା କରୁଛି।

ସମ୍ବନ୍ଧିତ ଖବର