ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି ସମୟରେ ପରୀକ୍ଷାର୍ଥୀ ସ୍ବାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ। ରାତିରେ ଅତି କମ୍‌ରେ ୭ଘଣ୍ଟା ଭଲ ନିଦରେ ଶୁଅନ୍ତୁ। ଏହାସହ ଶୋଇବା ପୂର୍ବରୁ ଗରମ କ୍ଷୀର କିମ୍ବା ନଖ ଉଷୁମ ପାଣିରେ ଲେମ୍ବୁ ରସ ପକାଇ ପିଇବା ଭଲ। ମାସକ ପରେ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ପରୀକ୍ଷାର୍ଥୀଙ୍କୁ ଏ ବିଷୟରେ ସଚେତନ କରିବାକୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। 

Advertisment

ପୂର୍ବ ପାଠକୁ ୩୦ ମିନିଟ୍‌ ରିଭିଜନ୍‌ କର
ଶୋଇବା ପୂର୍ବରୁ ଗରମ କ୍ଷୀର ପିଅ
ପିଲାଙ୍କ ଆତ୍ମବିଶ୍ବାସ ବୃଦ୍ଧି ପାଇଁ ଶିକ୍ଷକ ଓ ଅଭିଭାବକଙ୍କୁ ପରାମର୍ଶ

ସେହିପରି ‘ଓସେପା’ ପକ୍ଷରୁ ପରାମର୍ଶ ଦିଆଯାଇଛି ଯେ, ଛାତ୍ରଛାତ୍ରୀ ଦୈନିକ ୮ ଘଣ୍ଟାରୁ ୧୦ ଘଣ୍ଟା ପଢ଼ିବା ପରେ ବାକି ସମୟରେ ନିଜକୁ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ନିୟୋଜିତ କରାନ୍ତୁ। ଏକାଗ୍ରତା ବଢ଼ାଇବା ପାଇଁ କିଛି ସମୟ ବ୍ୟାୟାମ ଓ ଯୋଗ କରନ୍ତୁ। ପୁଣି ପ୍ରତି ବିଷୟ ପଢ଼ିବା ଆରମ୍ଭରେ ୩୦ ମିନିଟ୍‌ ଲେଖାଏଁ ପୂର୍ବରୁ ପଢ଼ିଥିବା ପାଠକୁ ରିଭିଜନ୍‌ ଓ ଲେଖିବା ଅଭ୍ୟାସ କରନ୍ତୁ। ‘ଓସେପା’ ପକ୍ଷରୁ ପୁଣି କୁହାଯାଇଛି ଯେ, ପରୀକ୍ଷାର୍ଥୀଙ୍କ ସଫଳତା ପଛରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭୂମିକା ରହିଛି। ପିଲାମାନେ ପରୀକ୍ଷାରେ କରୁଥିବା ସାଧାରଣ ଭୁଲ୍‌ଗୁଡ଼ିକୁ ଚିହ୍ନଟ କରି ତାଙ୍କ ସହିତ ଆଲୋଚନା କରାଯିବା ଉଚିତ। ପରୀକ୍ଷାରେ ଆସୁଥିବା ପ୍ରଶ୍ନ ବା ସମସ୍ୟାକୁ ପିଲାମାନଙ୍କୁ ବୁଝାଇବା ପାଇଁ ଶିକ୍ଷକମାନେ ସହଜ କୌଶଳ ବା ପଦ୍ଧତି ଅବଲମ୍ବନ କରିବେ। କୌଣସି ନିର୍ଦ୍ଧିଷ୍ଟ ବିଷୟବସ୍ତୁ ବୁଝିବାରେ କଷ୍ଟ ଲାଗୁଥିଲେ ସେଗୁଡ଼ିକୁ ଗୋଟିଏ ସ୍ବତନ୍ତ୍ର ଶ୍ରେଣୀରେ ଆଲୋଚନା କରିବାକୁ ପରାମର୍ଶ ଦିଆଯାଇଛି। 

ଅଭିଭାବକଙ୍କୁ ମଧ୍ୟ କେତେକ ଉପଯୋଗୀ ପରାମର୍ଶ ଦିଆଯାଇଛି। ଘରେ ଅନୁକୂଳ ପରିବେଶ ସୃଷ୍ଟି କରି ପିଲାକୁ ପାଠ ପଢ଼ିବା ପାଇଁ ପ୍ରୋତ୍ସାହିତ କରିବାକୁ ହେବ। ପଢ଼ିବା ସହିତ ଖେଳ ଓ ମନୋରଞ୍ଜନର ସୁଯୋଗ ଦେବା, ପିଲାର ଖାଇବା ଓ ଶୋଇବା ପ୍ରତି ଧ୍ୟାନ ଦେବା, ନିଜର ପିଲାକୁ ଅନ୍ୟ କେଉଁ ପିଲା ସହିତ ତୁଳନା ନ କରିବା, ପିଲାର ସାମର୍ଥ୍ୟ ଅନୁସାରେ ତା’ଠାରୁ ସେତିକି ଆଶା କରିବା, ପିଲା ସହିତ ଖୋଲାଖୋଲି ଭାବେ ଆଲୋଚନା କରିବା, ଯଦିଓ ପରୀକ୍ଷାକୁ ନେଇ ତାହାର ଚିନ୍ତା ଓ ଭୟ ଦୂର କରାଇ ଆତ୍ମବିଶ୍ୱାସ ବଢ଼ାଇବାକୁ ପରାମର୍ଶ ଦିଆଯାଇଛି। ଏଥିସହିତ ଛାତ୍ରଛାତ୍ରୀମାନଙ୍କ ସହିତ ପରୀକ୍ଷା ପ୍ରସ୍ତୁତି ବିଷୟରେ ଆଲୋଚନା କରିବାକୁ ବିଦ୍ୟାଳୟଗୁଡ଼ିକୁ କୁହାଯାଇଛି।