ରାଜନଗର: ବାତ୍ୟା ‘ଦାନା’ ସମୟରେ ଭଲ କାମ ପାଇଁ ଈଶ୍ବରପୁର ପଞ୍ଚାୟତର ନିର୍ବାହୀ ଅଧିକାରୀ ବିଜୟ କୁମାର ସେଠୀଙ୍କୁ ସକାଳେ ଜିଲ୍ଲାପାଳ ସାବାସି ଦେଇଥିଲେ। ମାତ୍ର ସଂଜବେଳକୁ କାର୍ଯ୍ୟରୁ ନିଲମ୍ବିତ କରିଦେଲେ। ଏହା ଜଣାପଡ଼ିବା ପରେ ବିଡିଓଙ୍କଠାରୁ ଆରମ୍ଭ କରି ବିପନ୍ନଙ୍କ ପର୍ଯ୍ୟନ୍ତ ସମସ୍ତେ ହତବାକ ହୋଇପଡ଼ିଛନ୍ତି।

Advertisment

ବାତ୍ୟା ‘ଦାନା’ ସ୍ଥଳଭାଗ ଛୁଇଁବା ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତିରଂଜନ ପ୍ରଧାନ ରାଜନଗର ବ୍ଲକ୍‌ର ବିଭିନ୍ନ ସ୍ଥାୟୀ ଓ ଅସ୍ଥାୟୀ ଆଶ୍ରୟସ୍ଥଳ ପରିଦର୍ଶନ କରିଥିଲେ।  ଈଶ୍ବରପୁର ପ୍ରାଥମିକ ବିଦ୍ୟାଳୟ ଅସ୍ଥାୟୀ ଆଶ୍ରୟସ୍ଥଳରେ ବିପନ୍ନଙ୍କ ପାଇଁ ରୋଷେଇ ହେଉଥିବା ଦେଖିଥିଲେ। ସକାଳେ କ’ଣ ଖାଇବାକୁ ମିଳିଛି, ବିପନ୍ନ ଲୋକଙ୍କୁ ପଚାରି ବୁଝିଥିଲେ। ବିପନ୍ନ ଲୋକଙ୍କ ସହ ଆଲୋଚନା ପରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଜୟ କୁମାର ସେଠୀଙ୍କ ସହ ଆଲୋଚନା କରି ସମସ୍ତ ବ୍ୟବସ୍ଥା ଠିକଠାକ୍ ଥିବାରୁ ତାଙ୍କୁ ସାବାସି ଦେଇଥିଲେ। ଜିଲ୍ଲାପାଳ ବିପନ୍ନ ଲୋକ, ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରୁଥିବାର ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ମାତ୍ର ଗତକାଲି ରାତିରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ୨୫ ତାରିଖରେ ଚିଠି ନଂ ୨୪୧୮ରେ ବାତ୍ୟା ‘ଦାନା’ କାର୍ଯ୍ୟରେ ଅବହେଳା ପାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ସେଠୀଙ୍କୁ ନିଲମ୍ବନ କରିଛନ୍ତି। ନିଲମ୍ବନ ଆଦେଶ ପହଞ୍ଚିବା ପରେ ବ୍ଲକ୍‌ର ବିଡିଓ, ସମସ୍ତ କର୍ମଚାରୀ ଓ ଈଶ୍ବରପୁର ପଞ୍ଚାୟତର ସରପଞ୍ଚଙ୍କଠାରୁ ଆରମ୍ଭ କରି ୱାର୍ଡସଭ୍ୟ ଏବଂ ବିପନ୍ନ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ହତବାକ ହୋଇପଡ଼ିଛନ୍ତି। ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ସେଠୀଙ୍କ ବିରୋରେ କୌଣସି ଅଭିଯୋଗ ନଥିବା ବେଳେ ଏବଂ ବିଡିଓ ଶ୍ରୀ ସେଠୀଙ୍କ ସଂପର୍କରେ କୌଣସି ଚିଠି ଜିଲ୍ଲା ପ୍ରଶାସନକୁ ଦେଇ ନଥିବା ବେଳେ କିପରି ନିଲମ୍ବନ ଆଦେଶ ବାହାରିଲା, ତାହାକୁ ନେଇ ସବୁ ମହଲରେ ପ୍ରଶ୍ନ ଉଠିଛି। 

ଏ ସଂପର୍କରେ ବିଡିଓ ନିଶାନ ମିଶ୍ରଙ୍କୁ ପଚାରିବାରୁ ବନ୍ଧପଡ଼ା ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଶୋକ ପ୍ରଧାନ ରୋଷେଇ କରି ନଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲି।  ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ସେଠୀ ବାତ୍ୟାରେ ସବୁଠୁ ଅଧିକ ପରିଶ୍ରମ କରିଛନ୍ତି ଓ ଭଲ କାମ କରିଛନ୍ତି। ତାଙ୍କୁ କାହିଁକି ନିଲମ୍ବିତ କରାଗଲା ତାହାର କାରଣ ସେ ଜାଣିନାହିଁ ବୋଲି କହିଛନ୍ତି। ଅନ୍ୟପକ୍ଷରେ କାର୍ଯ୍ୟରେ ଅବହେଳା ପାଇଁ ବନ୍ଧପଡ଼ା ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଶୋକ ପ୍ରଧାନ ଓ ଗୁପ୍ତି ରାଜସ୍ବ ନିରୀକ୍ଷକ ବିଜୟ କୁମାର ଜେନାଙ୍କୁ ଜିଲ୍ଲାପାଳ ନିଲମ୍ବନ କରିଛନ୍ତି।