ସମ୍ବଲପୁର: ଦିନ ଥିଲା ସେ ନିର୍ବାଚିତ ଜନପ୍ରତିନିଧି ଭାବେ ଲୋକଙ୍କ ସେବା କରୁଥିଲେ। ସରକାରଙ୍କ ଦାରିଦ୍ର୍ୟ ଦୂରୀକରଣ ଯୋଜନାଗୁଡ଼ିକ ଜରିଆରେ ଗରିବ, ଅସହାୟଙ୍କ ସୁବିଧାଅସୁବିଧା ବୁଝୁଥିଲେ। ବଡ଼ ବଡ଼ ଅଧିକାରୀଙ୍କ ସହିତ ମିଶି ବିଭିନ୍ନ ସରକାରୀ ଯୋଜନାର ରୂପାୟନ କରାଉଥିଲେ। ଏଭଳି ନିଷ୍ଠାପର ସେବା ପାଇଁ ଲୋକେ ତାଙ୍କୁ ସମ୍ମାନ କରୁଥିଲେ। କିନ୍ତୁ ଦିନ ଗଡ଼ିବା ସହ ବଦଳିଗଲା ପରିସ୍ଥିତି। ଯିଏ ଦିନେ ଲୋକଙ୍କ ପେଟପାଟଣା କଥା ବୁଝୁଥିଲେ, ନିଜ ପେଟପାଟଣା ପାଇଁ ତାଙ୍କୁ ଦାଦନ ଯିବାକୁ ପଡ଼ିଲା। ଗାଁ ମାଟି, ଘରଦ୍ବାର ଛାଡ଼ି ବାହାର ରାଜ୍ୟରେ ସେ ଏବେ ଦାଦନ ଖଟୁଛନ୍ତି। ସମ୍ବଲପୁର ଜିଲ୍ଲା ଧନକଉଡ଼ା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷା କାନ୍ତି କୁମ୍ଭାରଙ୍କ ଏହି ଅଭାବନୀୟ କାହାଣୀ କେବଳ ଆଖପାଖରେ ଚର୍ଚ୍ଚାର ବିଷୟ ହୋଇନାହିଁ, ବରଂ ସରକାରଙ୍କ ଦାରିଦ୍ର୍ୟ ଦୂରୀକରଣ ଯୋଜନାଗୁଡ଼ିକ ଆଡ଼କୁ ଏହି ଘଟଣା ଅଙ୍ଗୁଳି ଦେଖାଇଛି।

Advertisment

ବର୍ତ୍ତମାନର ସମ୍ବଲପୁର ମହାନଗର ନିଗମ ୱାର୍ଡ ନଂ ୨ ଅନ୍ତର୍ଗତ ଗୋଶାଳା ବଉଦିଆପଡ଼ା ନିବାସୀ ସୁରେଶ କୁମ୍ଭାର ଓ କକିୟା କୁମ୍ଭାରଙ୍କ ଝିଅ ହେଉଛନ୍ତି କାନ୍ତି କୁମ୍ଭାର। ବୃତ୍ତିରେ ଜଣେ ରାଜମିସ୍ତ୍ରି ହେଉଛନ୍ତି ସୁରେଶ। ତାଙ୍କର ପାଞ୍ଚଟି ପୁଅ,ଝିଅ। ଦୁଇପୁଅ ଓ ତିନି ଝିଅଙ୍କ ମଧ୍ୟରୁ ଦୁଇଜଣ ଅକାଳରେ ପ୍ରାଣ ହରାଇଥିଲା ବେଳେ କାନ୍ତି ହେଉଛନ୍ତି ମଝିଆଁ। ଉପରେ ଭାଇ ଓ ତଳେ ଭଉଣୀ। କାନ୍ତି ମାଟ୍ରିକ ଯାଏ ପାଠ ପଢ଼ିବା ପରେ ଆଉ ପାଠ ପଢ଼ିବାକୁ ସମ୍ବଳ ଯୋଗାଇ ପାରି ନଥିଲେ ଗରିବ ବାପା। ୧୯୯୭ ମସିହାରେ ସମିତି ସଭ୍ୟା ନିର୍ବାଚନରେ କଳାମାଟି ପଞ୍ଚାୟତରୁ କଂଗ୍ରେସ ଦଳ ପକ୍ଷରୁ ପ୍ରତିଦ୍ବନ୍ଦ୍ବିତା କରି ବିଜୟୀ ହେବା ପରେ ଧନକଉଡ଼ା ପଞ୍ଚାୟତ ସମିତିର ସେ ଅଧ୍ୟକ୍ଷା ପଦକୁ ନିର୍ବାଚିତ ହୋଇଥିଲେ। ସେତେବେଳକୁ ତାଙ୍କୁ ବୟସ ମାତ୍ର ୧୯ ବର୍ଷ। ୨୦୦୧ ମସିହା ଯାଏ ସେ ଅଧ୍ୟକ୍ଷା ପଦରେ ରହିଥିଲେ। ଅଧ୍ୟକ୍ଷା ପଦରେ ଥିଲା ବେଳେ ୨୦୦୦ ମସିହାରେ କାନ୍ତି ସମ୍ବଲପୁର ଜିଲ୍ଲା ଶାସନ ଅଂଚଳରେ ବିବାହ କରିଥିଲେ। ବିବାହ ପରେ ୨୦୦୧ରେ ପୁଅ ଓ ତା ପରବର୍ଷ ସେମାନଙ୍କର ଗୋଟିଏ ଝିଅ ଜନ୍ମ ହୋଇଥିଲା। କିନ୍ତୁ ବିବାହର ଚାରି ବର୍ଷ ପରେ ପାରିବାରିକ ସମସ୍ୟାରେ ଛନ୍ଦିହୋଇ ସବୁଦିନ ପାଇଁ ସେ ଦୁଇ ଛୁଆଙ୍କ ସହ ବାପା, ମାଙ୍କ ପାଖକୁ ଚାଲିଆସିଥିଲେ। ହେଲେ ସେତେବେଳକୁ ବୟସାଧିକ୍ୟ ଯୋଗୁଁ ବାପା ଆଉ କାମଧନ୍ଦା କରି ପାରୁନଥିଲେ। ବଡ଼ଭାଇ ଜଣେ ରାଜମିସ୍ତ୍ରି। ସ୍ବଳ୍ପ ରୋଜଗାରରେ ସେ ନିଜ ପରିବାର ସହ କାନ୍ତିଙ୍କ ପରିବାରର ବୋଝ ସମ୍ଭାଳିବା କଷ୍ଟକର ହୋଇପଡ଼ିଥିଲା।

ଏଭଳି ସ୍ଥିତିରେ ଦୁଇଛୁଆ ତଥା ନିଜ ପେଟ ପୋଷିବା ପାଇଁ ବାଧ୍ୟହୋଇ ସେ ପରଘରେ ମୂଲ ଲାଗିଥିଲେ। କିଛି ଦିନ ଏକ ସ୍ଥାନୀୟ ଘରୋଇ ବିଦ୍ୟାଳୟ ଏବଂ ଏକ ସରକାରୀ ବିଦ୍ୟାଳୟରେ ଅସ୍ଥାୟୀ ଶ୍ରମିକ ଭାବେ ଚାକିରି କରିଥିଲେ। ହେଲେ ମାତ୍ର ଦେଢ଼ ହଜାର ଟଙ୍କାର ଦରମାରେ ଗରିବ ବାପାମା ଓ ଦୁଇଛୁଆଙ୍କୁ ନେଇ ତାଙ୍କ ପାଂଚପ୍ରାଣୀ କୁଟୁମ୍ବର ପେଟ ପୂରି ନଥିଲା। ବାଧ୍ୟହୋଇ ଛଅବର୍ଷ ତଳେ ତାଙ୍କୁ ବାହାର ରାଜ୍ୟକୁ କାମ କରିବାକୁ ଯିବାକୁ ପଡ଼ିଥିଲା। ଝିଅଟିକୁ ବାପାମାଙ୍କ ପାଖରେ ଛାଡ଼ି ପୁଅକୁ ଧରି କାମ ଅନ୍ବେଷଣରେ ସେ ତାମିଲନାଡ଼ୁ ବାହାରି ଯାଇଥିଲେ। ସେଠାକାର ଏକ ସୂତାକଳରେ କାନ୍ତି ପୁଅ ସହ ଦାଦନ ଖଟୁଥିବା କହିଛନ୍ତି। ମା-ପୁଅ କଠିନ ପରିଶ୍ରମ କରି ଦୁଇ ପଇସା ପଠାଇଲେ ଏଠାରେ ରହୁଥିବା ବୁଢା ବାପା, ମା ଓ ତାଙ୍କ ଝିଅର ପେଟପାଟଣା ପୂରା ହୁଏ।
ଝିଅକୁ ଦେଖିବା ପାଇଁ ଏବେ ଘରକୁ ଆସିଥିବା କାନ୍ତି ‘ସମ୍ବାଦକୁ ତାଙ୍କର ଏହି ଦୁଃଖଭରା କାହାଣୀ କହିବା ବେଳେ କଣ୍ଠରୁ ସ୍ପଷ୍ଟ ବାରି ହୋଇପଡୁଥିଲା ତାଙ୍କ ମନର ବେଦନା। ସେ କହିଥିଲେ, ‘ପଞ୍ଚାୟତ ସମିତି ଅଧ୍ୟକ୍ଷା ଥିଲି। ବହୁତ ବଡ଼ ପଦ। ପ୍ରଶାସନିକ କଳ ଚାରିପଟେ ଦିନରାତି ଚକ୍କର କାଟୁଥିଲେ। ଏଣେ କଂଗ୍ରେସ ଦଳରେ ବି ଢ଼େର ପତିଆରା ରହିଥିଲା। ଲୋକଙ୍କ ପାଇଁ କାମରେ ଏଭଳି ମାତି ଯାଇଥିଲି ଯେ ନିଜ କଥା ସେତେବେଳେ ପୂରା ଭୁଲି ଯାଇଥିଲି। ପରେ ବାହା ହେଲି। ଭାବିଥିଲି ସ୍ବାମୀଙ୍କ ସହଯୋଗରେ ଭଲ ଜୀବନଟିଏ ଜିଇଁବି। ହେଲେ ସେ ବି ଧୋକାଦେ‌ଲା। ବର୍ଷ କିଛିଟା ଭିତରେ ମୋ ଜୀବନର ସବୁ କିଛି ଓଲଟପାଲଟ ହୋଇଗଲା। ଏବେ ପରିବାରର ପେଟ ପୋଷିବା ପାଇଁ ଦାଦନ ହେବାକୁ ପଡ଼ିଛି। ଏହାକୁ ନେଇ ଦୁଃଖ ଲାଗୁଛି। ନିଜର ଉତ୍କଟ ଗରିବି ସତ୍ତ୍ବେ ଝିଅଟିକୁ ଯୁକ୍ତ ଦୁଇ ଯାଏଁ ପଢ଼ାଇଛି। ଆଉ ବଳ ପାଇଲାନାହିଁ। ସରକାର ଚାହିଲେ, ତାକୁ କୋଉଠି ଟିକେ ଥଇଥାନ କରାଇଦେଲେ ମୋ ଚିନ୍ତା ଅଧା ହୋଇଯାନ୍ତା। ଏଥିସହ ନିଜେ ଏଠି ରହି କାମ କରି ଦୁଇ ପଇସା ରୋଜଗାର କରିପାରନ୍ତି ବୋଲି ସେ କୋହଭରା କଣ୍ଠରେ କହିଛନ୍ତି।