ପଞ୍ଚକ ପାଇଁ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ: ରାତି ୧୧ ଯାଏ ଶ୍ରୀମନ୍ଦିରରେ ଦର୍ଶନ, କାର୍ତ୍ତିକ ପୂର୍ଣ୍ଣିମାରେ ବନ୍ଦ ରହିବ

ପୁରୀ : ପବିତ୍ର ପଞ୍ଚକ ପାଇଁ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ କରିଛି ଶ୍ରୀମନ୍ଦିର ପ୍ରଶାସନ। ପୂର୍ବରୁ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ଅନୁମତି ରହିଥିଲା। କିନ୍ତୁ ପଞ୍ଚକରେ ସକାଳ ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ବହୁ ସଂଖ୍ୟାରେ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିବା ଓ ପଞ୍ଚକକୁ ଦୃଷ୍ଟିରେ ରଖି ଆଜି ଏ ସଂପର୍କିତ ସଂଶୋଧିତ ଏସ୍‌ଓପି ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ।

ପଞ୍ଚକ ପାଇଁ ଶ୍ରୀମନ୍ଦିର ଭକ୍ତଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଅନେକ ଭକ୍ତ ବିଳମ୍ବରେ ଆସିବାରୁ ନିରାଶ ହୋଇ ଫେରିବାକୁ ପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ଗତ ଅକ୍ଟୋବର ୧୩ ଓ ୨୭ ତାରିଖରେ ଜାରି ଏସ୍‌ଓପିରେ ଶ୍ରୀମନ୍ଦିର ପ୍ରଶାସନ ସାମାନ୍ୟ ସଂଶୋଧନ କରିଛି। ଜାରି ଏସ୍‌ଓପି ଅନୁଯାୟୀ, ନଭେମ୍ବର ୧୭ ଓ ୧୮ ତାରିଖରେ ସକାଳ ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ନଭେମ୍ବର ୧୯ କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରଖାଯାଇଛି। ଏହା ପରେ ଅର୍ଥାତ ‌ନଭେମ୍ବର ୨୦ରୁ ଦର୍ଶନ ବ୍ୟବସ୍ଥା ସ୍ବାଭାବିକ ହେବ। ପୂର୍ବଭଳି ଭକ୍ତମାନେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ପାଇବେ।

ସମ୍ବନ୍ଧିତ ଖବର