ଖାଦ୍ୟ ଖାଇଲା ଗୁଳିବିଦ୍ଧ ଦନ୍ତାହାତୀ; ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି

ନରସିଂହପୁର : ନରସିଂହପୁର ଅନ୍ତର୍ଗତ ଜୟପୁର ସଂରକ୍ଷିତ ଜଙ୍ଗଲର ତାମେରା ନାଳ ନିକଟରେ ଗୁଳିବିଦ୍ଧ ଅବସ୍ଥାରେ ପଡ଼ି ଥିବା ଦନ୍ତାହାତୀର ସ୍ବାସ୍ଥ୍ୟାବସ୍ଥାରେ ଆଜି ସାମାନ୍ୟ ଉନ୍ନତି ଆସିଛି। ପ୍ରାଣୀ ଚିକିତ୍ସା ବିଶେଷଜ୍ଞମାନେ ଶନିବାର ଦିନ ତାକୁ ଖାଦ୍ୟ ଖୁଆଇବାରେ ସଫଳ ହୋଇଛନ୍ତି। ଓୟୁଏଟିର ପ୍ରଫେସର ନିରଞ୍ଜନ ସାହୁ ଓ ଇନ୍ଦ୍ରମଣି ନାଥ ଶନିବାର ଦିନ ଗୁଳିବିଦ୍ଧ ଦନ୍ତାହାତୀର ଚିକିତ୍ସା କରିଛନ୍ତି।

ସେହିପରି ସାତକୋଶିଆ ବନ୍ୟପ୍ରାଣୀ ଡିଭିଜନ୍‌ର ପ୍ରଫେସର କିଶୋର କୁମାର ସାହୁ, ଆଠଗଡ଼ ଡିଏଫ୍‌ଓ ସୁଦର୍ଶନ ଯାଦବ, ଏସିଏଫ୍‌ ଘନଶ୍ୟାମ ମୁଦୁଲି, ଚନ୍ଦକା ବନ୍ୟପ୍ରାଣୀ ସଂରକ୍ଷଣ ଡିଭିଜନର ଦୁଇ ଜଣ ମାହୁନ୍ତ ପହଞ୍ଚି ଅସୁସ୍ଥ ହାତୀକୁ ଆମ୍ବ, ପଣସ, ତରଭୁଜ, କଦଳୀ, ଆଖୁ, ବାଉଁଶ ପତ୍ର ଆଦି ଖାଇବାକୁ ଦେଇଛନ୍ତି। ଆଜି ହାତୀଟି କଦଳୀ, ତରଭୁଜ ଆଦି ଖାଇବା ସହ ପାଣି ପିଇଛି। ଖାଦ୍ୟ ଖାଇବା ପରେ ହାତୀର ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ପରିବର୍ତ୍ତନ ଆସିଛି। ଆସନ୍ତା ଦୁଇଚାରି ଦିନ ଭିତରେ ହାତୀଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବ ବୋଲି ଡିଏଫ୍‌ଓ ଶ୍ରୀ ଯାଦବ ସୂଚନା ଦେଇଛନ୍ତି। ଏସିଏଫ୍‌ ଶ୍ରୀ ମୁଦୁଲି, ପଶ୍ଚିମାଞ୍ଚଳ ବନାଧିକାରୀ ପ୍ରଫୁଲ୍ଲ କୁମାର ଦେହୁରୀ, ଜୟପୁର ଫରେଷ୍ଟ ଗାର୍ଡ ଜିତେନ୍ଦ୍ର କୁମାର ବେହେରା, ଗାର୍ଡ ନୀଳମାଧବ ଦଳେଇଙ୍କ ସମେତ ବନ କର୍ମଚାରୀମାନେ ହାତୀଟିକୁ ଜଗି ରହିଛନ୍ତି।

ସମ୍ବନ୍ଧିତ ଖବର