ହସ୍ପିଟାଲରେ ଗୁରୁତର କୋଭିଡ୍‌ ରୋଗୀ ସଂଖ୍ୟାରେ ସାମାନ୍ୟ ବୃଦ୍ଧି

ଆଇସିୟୁରେ ୩୮୧,ଭେଣ୍ଟିଲେଟରରେ ୮୦ ରୋଗୀ
ଭେଣ୍ଟିଲେଟରରେ ନାହାନ୍ତି ଜଣେ ବି ଶିଶୁ
ଦିନକରେ ୭୩୪ ପଜିଟିଭ୍, ୪ ମୃତ

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା କମୁଛି। ହେଲେ ହସ୍ପିଟାଲରେ ଗୁରୁତର ରୋଗୀଙ୍କ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ପାଇଛି। ୪ଦିନ ତଳେ ହସ୍ପିଟାଲରେ ଥିବା ରୋଗୀଙ୍କ ସଂଖ୍ୟାକୁ ତୁଳନା କଲେ ଆଇସିୟୁରେ ରୋଗୀଙ୍କ ସଂଖ୍ୟାରେ ଅଳ୍ପ ବୃଦ୍ଧି ହୋଇଥିବା ନଜରକୁ ଆସିଛି। ଅପରପକ୍ଷରେ ଶିଶୁମାନଙ୍କ କ୍ଷେତ୍ରରେ ଏଥିରେ ହ୍ରାସ ‌ଘଟିଛି। ଭେଣ୍ଟିଲେଟରରେ ଏବେ କୌଣସି ଶିଶୁ ନ ଥିବା ସ୍ବାସ୍ଥ୍ୟ ବିଭାଗ ରିପୋର୍ଟରୁ ଜଣାପଡ଼ିଛି।

ମଙ୍ଗଳବାର ସୁଦ୍ଧା ରାଜ୍ୟରେ ସମୁଦାୟ ୪୭୯୧ ଚିକିତ୍ସାଧୀନ କୋଭିଡ ରୋଗୀ ରହିଛନ୍ତି। ତହିଁରୁ ୪୨୪୭ ରୋଗୀ ଘରେ ପୃଥକବାସରେ ରହି ଚିକିତ୍ସିତ ହେଉଛନ୍ତି। ୧୬୩ ରୋଗୀ ସାଧାରଣ ଶଯ୍ୟାରେ ଥିବା ବେଳେ ୩୮୧ଜଣ ରୋଗୀ ଆଇସିୟୁ/ଏଚ୍‌ଡିୟୁରେ ରହିଛନ୍ତି। ଯାହାକି ସମୁଦାୟ ଆଇସିୟୁ ଶଯ୍ୟାର ୧୮ ପ୍ରତିଶତ। ସେହିପରି ଆଇସିୟୁ ଭେଣ୍ଟିଲେଟରରେ ୮୦ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ସମୁଦାୟ ୫୪୪ଜଣ ରୋଗୀ ହସ୍ପିଟାଲରେ ଆଡମିଟ୍ ହୋଇଛନ୍ତି। ଗତ ୧୭ତାରିଖ ବେଳକୁ ରାଜ୍ୟରେ ୩୪୬ଜଣ ରୋଗୀ ଆଇସିୟୁ ଓ ୭୬ଜଣ ଭେଣ୍ଟିଲେଟରରେ ଥିଲେ। ଅପରକ୍ଷରେ ଗତକାଲି ସୁଦ୍ଧା ୧୮ବର୍ଷରୁ କମ୍ ବୟସର ମାତ୍ର ୧୭ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏଥିରୁ ୧୪ଜଣ ସାଧାରଣ ଶଯ୍ୟାରେ ଥିବା ବେଳେ ୩ଜଣ ଆଇସିୟୁ/ଏଚ୍‌ଡିୟୁରେ ରହିଛନ୍ତି। ହେଲେ ଭେଣ୍ଟିଲେଟରରେ ଜଣେ ହେଲେ ବି ପିଲା ନାହାନ୍ତି। ୧୭ତାରିଖ ବେଳକୁ ୨୬ଜଣ ଶିଶୁ ଆକ୍ରାନ୍ତ ଥିବା ବେଳେ ୬ଜଣ ଆଇସିୟୁ/ଏଚ୍‌ଡିୟୁରେ ରହିଥିଲେ।

ବରିଷ୍ଠ ଚିକିତ୍ସକ ଡା.ନିରୋଜ ମିଶ୍ର କହିଛନ୍ତି, କରୋନାର ଏତେ ସଚେତନତା ସତ୍ତ୍ବେ ଅନେକ ଲୋକ ବିଳମ୍ବରେ ହସ୍ପିଟାଲକୁ ଆସୁଛନ୍ତି। ହସ୍ପିଟାଲକୁ ଆସିବା ବେଳକୁ ସେମାନଙ୍କୁ ଆକ୍ସିଜେନ୍‌ର ଆବଶ୍ୟକତା ପଡ଼ୁଛି। ତେଣୁ ବାଧ୍ୟହୋଇ ସେମାନଙ୍କୁ ଆଇସିୟୁ/ଏଚ୍‌ଡିୟୁରେ ରଖିବାକୁ ପଡ଼ୁଛି। ଏବେ କୌଣସି ନୂତନ ଭାରିଏଣ୍ଟ ଆସି ନ ଥିବାରୁ ରୋଗୀ ଅଧିକ ସଂଖ୍ୟାରେ ଗୁରୁତର ହେବାର ସେଭଳି କୌଣସି କାରଣ ନାହିଁ। ଏହାସହ ଥଣ୍ଡା, ଜ୍ବର ଓ କାଶ ହେଉଥିବା ଲୋକମାନେ ଟାଇଫଏଡ୍‌ ପାଇଁ ୱାଇଡାଲ ପରୀକ୍ଷା କରୁଛନ୍ତି। ଯାହାକି ଠିକ୍ ନୁହେଁ। ଟାଇଫଏଡ୍‌ ପାଇଁ ବ୍ଲଡ୍ କଲଚର୍‌ କରାଯିବା ଦରକାର। ଯେହେତୁ ଅନେକ ୱାଇଡାଲ ପରୀକ୍ଷା କରୁଛନ୍ତି ପରବର୍ତୀ ସମୟରେ ପରୀକ୍ଷା କରିବା ପରେ କୋଭିଡରେ ସଂକ୍ରମିତ ଥିବା ଜଣାପଡ଼ୁଛି। ବିଳମ୍ବ କାରଣରୁ ଆଇସିୟୁରେ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ତେଣୁ ଏସବୁ ରୋଗୀମାନେ ପ୍ରଥମେ କୋଭିଡ ପରୀକ୍ଷା କରିବା ଉଚିତ ବୋଲି ଡା.ମିଶ୍ର କହିଛନ୍ତି।

ରାଜ୍ୟରେ ଗତ ୨୪ଘଣ୍ଟାରେ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି। କିଛିଦିନ ହେବ ୫ଶହ ତଳେ ରହୁଥିବା ସଂକ୍ରମଣ ଏବେ ପୁଣିଥରେ ୭୦୦ ଅତିକ୍ରମ କରିଛି। ଦିନକରେ ରାଜ୍ୟରେ ୭୩୪ କୋଭିଡ ରୋଗୀ ଚିହ୍ନଟ ହୋଇଛନ୍ତି। ଖୋର୍ଧାରୁ ସର୍ବାଧିକ ୩୩୫, କଟକ ୯୧, ଯାଜପୁର ୨୯, ଜଗତସିଂହପୁର ୩୨, ମୟୂରଭଞ୍ଜ ୨୭, ପୁରୀ ୧୭, ସୁନ୍ଦରଗଡ଼ ୧୩ ଓ ଷ୍ଟେଟ୍‌ ପୁଲରୁ ୮୧ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୨୧ହଜାର ୯୫୦କୁ ବୃଦ୍ଧି ପାଇଛି। ଡିଏମ୍‌ଇଟି ପ୍ରଫେସର ଡା.ସିବିକେ ମହାନ୍ତି କହିଛନ୍ତି, କିଛିଦିନ ହେବ ସଂକ୍ରମଣ ୪ଶହକୁ ଆସିଥିବା ବେଳେ ଏବେ ପୁଣି ୭ଶହ ଟପିଛି। ସାପ୍ତାହିକ ହାରହାରି ସଂକ୍ରମଣକୁ ଅନୁଧ୍ୟାନ କରାଯାଉଛି। ସ୍ଥିତି ଉପରେ ନଜର ରଖାଯାଇଛି। ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିବାକୁ ହେବ। ସାମାନ୍ୟ ଢିଲାପଣ ଆଗକୁ ବିପଦ ସୃଷ୍ଟି କରିପାରେ। ଏଥିପାଇଁ ସମସ୍ତେ ସଚେତନ ରହିବା ଜରୁରୀ ବୋଲି ଡା.ମହାନ୍ତି କହିଛନ୍ତି।

ରାଜ୍ୟରେ ଆଉ ୪ଜଣ କରୋନାରେ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ କଟକ, ଖୋର୍ଧା, କେନ୍ଦ୍ରାପଡ଼ା ଓ ନୟାଗଡ଼ରୁ ଜଣେ ଲେଖାଏଁ ରହିଛନ୍ତି। ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୪୪୫ କରୋନା ରୋଗୀ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଯାହାଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୫୦୭୬କୁ ବୃଦ୍ଧି ପାଇଛି। ତେବେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୦ଲକ୍ଷ ୮ହଜାର ୬୭୧କୁ ବୃଦ୍ଧି ପାଇଛି। ଖୋର୍ଧା ଜିଲ୍ଲାରେ ସର୍ବାଧିକ ୨୨୪୭ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ସମ୍ବନ୍ଧିତ ଖବର