ଜୟପୁର: ରାଜ୍ୟରେ ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି। ଅନେକ ଜୀବନ ଦୀପ ଲିଭିଯାଉଛି। ସଡ଼କ ଦୁର୍ଘଟଣାର ଶିକାର ଗୁରୁତରଙ୍କ ଉତ୍ତମ ଚିକିତ୍ସାକୁ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର। ଏହା ସହ ବହୁ  ରୋଗୀ ଅତ୍ୟନ୍ତ ଜରୁରୀ, ହୃଦଘାତ ସହ ସଂଘର୍ଷ କରୁଥିବା ରୋଗୀଙ୍କୁ ଗୋଲଡେନ୍ ହାୱାରରେ ଉତ୍ତମ ଚିକିତ୍ସା ସେବା ଯୋଗାଇଲେ ଜୀବନ ବଂଚିଯିବ। ଏହାକୁ ଗୁରୁତ୍ବ ଦେଇ ରାଜ୍ୟ ସରକାର ଜୟପୁର ଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ କରିବାକୁ ଯାଉଛନ୍ତି କ୍ରୀଟିକାଲ୍ କ୍ୟାୟର ୟୁନିଟ। ଗତ ଦେଢ଼ ବର୍ଷ ହେବ ଏହାର ନିର୍ମାଣ କାମ ଆରମ୍ଭ ହୋଇଥିଲେ ହେଁ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ସରିବା ନାଁ ଧରୁନି। ଅପରପକ୍ଷରେ କଣ୍ଠ ସମୟରେ ଏହାର କାମ ସରିନଥିବାରୁ ଏଠାରେ ସେବା ପାଇବାକୁ ଥିବା ଶତାଧିକ ରୋଗୀ ବାହାର ରାଜ୍ୟକୁ ରେଫରାଲରେ ଯାଇଛନ୍ତି। ରେଫରାଲରେ ଯାଉଥିବା ରୋଗୀ ସେଠାରୁ ସୁସ୍ଥ ହୋଇ ଫେରୁଛନ୍ତି ନା ନାହିଁ ତାହାର କିଛି ବିବରଣୀ  ସ୍ବାସ୍ଥ୍ୟ ବିଭାଗ ନିକଟରେ ନାହିଁ।

Advertisment

ସୂଚନା ଅନୁଯାୟୀ,‌ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୨୦୨୧-୨୨ମସିହାରେ ବର୍ହିବିଭାଗକୁ ୧ଲକ୍ଷ ୭୬ହଜାର ୪୯୧ଜଣ ରୋଗୀ ଆସିଥିବା ବେଳେ ଅନ୍ତଃ ବିଭାଗରେ ୨୫ହଜାର ୪୪୨ଜଣ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଥିଲେ। ୨୦୨୨-୨୩ମସିହାରେ ୨ଲକ୍ଷ ୨୯ହଜାର ୧୬୩ଜଣ ବର୍ହିବିଭାଗ ଓ ୩୨ହଜାର ୧୭ଜଣ ଅନ୍ତଃବିଭାଗରେ ରହି ଚିକିତ୍ସାଧୀନ ହୋଇଥିଲେ। ୨୦୨୧-୨୨ମସିହାରେ ୬୩୮୨ଜଣ ଓ ୨୦୨୨-୨୩ମସିହାରେ ୬୦୯୪ଜଣ ରୋଗୀଙ୍କୁ କୋରାପୁଟ , ବିଶାଖାପାଟଣା, ବ୍ରହ୍ମପୁର ଆଦି ସ୍ଥାନକୁ ରେଫରାଲ କରାଯାଇଛି। ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଧାର୍ଯ୍ୟ ସଂଖ୍ୟକ ଡାକ୍ତର ନଥିବାରୁ ବହୁ ରୋଗୀ ଏବେ ଘରୋଇ ନର୍ସିଂ ହୋମ, କ୍ଲିନିକ୍ , ଡାକ୍ତରଖାନା ଆଦି ଉପରେ ନିର୍ଭର ହେବାକୁ ବାଧ୍ୟ ହେଉଛନ୍ତି। ଏପରିସ୍ଥିତିରେ ବହୁ ରୋଗୀ ବାହାର ରାଜ୍ୟ ବିଶାଖାପାଟଣାକୁ ଯାଇ ଆର୍ଥିକସ୍ତରରେ ଶୋଷଣର ଶୀକାର ହେଉଥିବା ବି ଅଭିଯୋଗ ଉଠିଛି। କୋଠା ନିର୍ମାଣ ପରେ ଏଠାରେ ତୁରନ୍ତ ଅତ୍ୟାଧୁନିକ ଭିତ୍ତିଭୂମିରେ ପରିଣତ କରି ଯନ୍ତ୍ରାଂଶ , ବୈଷୟିକ ଟେକ୍ନିସିଆନ୍ ସହ ବିଶେଷଞ ଡାକ୍ତରଙ୍କର ନିଯୁକ୍ତି ବି ଦେବାକୁ ପଡ଼ିବ। ଜିଲ୍ଲାପ୍ରଶାସନ ,ଜନ ପ୍ରତିନିଧି,ବିଧାୟକ , ସାଂସଦ  ଓ ରାଜ୍ୟ ସରକାର ତୁରନ୍ତ ଏଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି।