ପ୍ରଧାନମନ୍ତ୍ରୀ ରାସ୍ତା କାମ: ଗ୍ରାମ୍ୟ ଉନ୍ନୟନ ବିଭାଗ ସାଜିଛି ଠିକାଦାରଙ୍କ କାମଧେନୁ ଗାଈ

ମୁନସିଙ୍କ ଦ୍ଵାରା ରାସ୍ତା କାର୍ଯ୍ୟ ସମ୍ପାଦନ, ନିମ୍ନମାନର କହିଲେ ଗ୍ରାମବାସୀ

ଧର୍ମଗଡ଼: ସରକାର ଗମନାଗମନ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତାକାମ ନିମ୍ନମାନର ହେଉଛି। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରୁ ବକ୍ସିତୁଲସିପାଲି ପଞ୍ଚାୟତକୁ ସଂଯୋଗ କରୁଥିବା ଏହି ରାସ୍ତା ପିସି ଦିଆନିଆ ଯୋଗୁଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ କାମ ନିମ୍ନମାନର ହେଉଛି। ଅଧିକାରୀ, ଯନ୍ତ୍ରୀ ଓ ଠିକାଦାରଙ୍କ ଦେଖା ମିଳୁ ନ ଥିବା ବେଳେ ମୁନସିଙ୍କ ଦ୍ଵାରା ରାସ୍ତା କାର୍ଯ୍ୟ ସମ୍ପାଦନ ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରୁ ବକ୍ସିତୁଲସିପାଲି ପର୍ଯ୍ୟନ୍ତ ପ୍ରାୟ ସାଢ଼େ ୬ କିଲୋମିଟର ପର୍ଯ୍ୟନ୍ତ ପିଚୁ ରାସ୍ତା ନିର୍ମାଣ ହେଉଛି। ୨୦୨୨-୨୩ରେ ଭବାନୀପାଟଣା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ଏହି କାମ ସମ୍ପାଦନ ହେଉଥିବା ବେଳେ ଏହି କାମ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଏହିରାସ୍ତା ପାଇଁ ୪କୋଟି ୪୬ ଲକ୍ଷ ୨୬ ହଜାର ଟଙ୍କା ବ୍ୟୟ ଅଟକଳ ଥିବା ବେଳେ ପାଞ୍ଚ ବର୍ଷ ରକ୍ଷଣାବେକ୍ଷଣ ପାଇଁ ୩୫ ଲକ୍ଷ ୧୮ ହଜାର ଟଙ୍କା ବୋଲି ସୂଚନା ବୋର୍ଡ ମାଧ୍ୟମରେ ଜଣାପଡ଼ିଛି। ଏ ଶ୍ରେଣୀ ଠିକାଦାର ସଚିନ ଅଗ୍ରୱାଲ ନାମକ ଠିକାଦାରଙ୍କ ନାମରେ ରହିଛି।

ସୂଚନା ବୋର୍ଡ ଅନୁସାରେ ଏହି କାମ ଗତ ୨୦୨୨ ସେପ୍ଟେମ୍ବର ୨୩ରେ କାମ ଆରମ୍ଭ ହୋଇଥିବା ବେଳେ ଏହା ୨୦୨୩ ଅଗଷ୍ଟ ୨୨ ତାରିଖରେ କାର୍ଯ୍ୟ ସରିବା କଥା। କିନ୍ତୁ ବିଭାଗୀୟ ଅଧିକାରୀ ଓ ସମ୍ପୃକ୍ତ ଠିକା ସଂସ୍ଥା ମଧ୍ୟରେ ସଲାସୁତରା ଯୋଗୁଁ ରାସ୍ତା କାମରେ କୌଣସି ଅଗ୍ରଗତି ହେଉନାହିଁ। ବର୍ତ୍ତମାନ ରାସ୍ତାରେ ଯେଉଁ ସବୁ ପୋଲ ନିର୍ମାଣ ହେଉଛି ତାହା ଅତି ନିମ୍ନମାନର ହେଉଥିବା ନେଇ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଏହି କାମରେ କୌଣସି ବିଭାଗୀୟ ଅଧିକାରୀ କିମ୍ବା ଠିକାଦାର ଅନୁପସ୍ଥିତ ରହୁଥିବା ଯୋଗୁଁ ରାସ୍ତା କାମ ମୁନସିମାନଙ୍କ ଦ୍ୱାରା ସମ୍ପାଦନ ହେଉଛି ବୋଲି ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଠିକା ସଂସ୍ଥାମାନଙ୍କ ସଲା ସୁତରାରେ ହେଉଥିବା ଯୋଗୁଁ ସରକାରକା ମାଲ, ଦରିଆ ମେ ଡାଳ ଭଳି ଅତିରୁ ଅତି ନିମ୍ନମାନର କାମ ହେଉଛି। ତଳରୁ ଉପର ପର୍ଯ୍ୟନ୍ତ ସମସ୍ତେ ଠିକାଦାରଙ୍କ ଦ୍ଵାରା ଆପ୍ୟାୟିତ ଥିବାରୁ ବିଭାଗୀୟ ଅଧିକାରୀ ନାମ ହେଉ କିମ୍ବା ଠିକାଦାରଙ୍କ ନାମରେ ହେଉ ଯେତେ ଅଭିଯୋଗ କଲେ ମଧ୍ୟ କୌଣସି ଫଳପ୍ରଦ ହୋଇନଥାଏ। ତେଣୁ ତୁରନ୍ତ ଏହି ରାସ୍ତାର ଏକ ଭିଜିଲାନ୍ସ ସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି। କନିଷ୍ଠ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗ ହରେନ୍ଦ୍ର ସୁନା ଙ୍କୁ ଯୋଗା ଯୋଗ କରିବାରୁ ମୁଁ ଏହି ବିଷୟରେ କହି ପାରିବି ନାହିଁ ବୋଲି ରୋକ ଥୋକ ମନା କରିବା ସହିତ ଯାହା ପଚାରିବାର ଅଛି ହେଲେ ସହକାରୀ ଯନ୍ତ୍ରୀ ଭବାନୀପାଟଣାରେ ରହୁଛନ୍ତି ତାଙ୍କୁ ବୁଝନ୍ତୁ ବୋଲି କହିଥିଲେ। ଅପରପକ୍ଷରେ ଏହି ବ୍ଲକର ସହକାରୀ ଯନ୍ତ୍ରୀ ଦାୟିତ୍ୱ ଭବାନୀପାଟଣାର ଯନ୍ତ୍ରୀ ଦୀର୍ଘ ଦିନ ହେଲା ରହିଛନ୍ତି ଓ ସେ ଯନ୍ତ୍ରୀ ନିୟମିତ ଭାବେ ଏହି କାର୍ଯ୍ୟ ସ୍ଥଳୀ ମାନଙ୍କୁ ଆସୁ ନ ଥିବାରୁ ଠିକାଦାର ମନ ଇଚ୍ଛା କାର୍ଯ୍ୟ କରୁଥିବା ଲୋକମାନେ କହିଛନ୍ତି।

ସମ୍ବନ୍ଧିତ ଖବର