ଆଜିଠୁ ହାଲୁକା ବର୍ଷା ସମ୍ଭାବନା, ୧୦ରୁ ୧୨ ଯାଏ ହେବ ଘନ କୁହୁଡ଼ି

ଭୁବନେଶ୍ବର: ବୁଧବାର ରାତିଠାରୁ ପାଗରେ ପରିବର୍ତନ ଆସିବ। ଥଣ୍ଡା ସାମାନ୍ୟ କମିବା ସହ ୧୦ଟି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ। ଆସନ୍ତା ୩ ଦିନ ଧରି ରାତିର ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରି ବଢ଼ିବ। ଏହାପରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି କମିବ। ‌ତେବେ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଅର୍ଧାଧିକ ଜିଲ୍ଲାରେ ଘନ କୁହୁଡ଼ି ଲାଗିରହିବ ‌ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଆହୁରି କୁହାଯାଇଛି ଯେ ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବ। ୯ରୁ ୧୧ ତାରିଖ ପର୍ଯ୍ୟନ୍ତ କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ। ସୁନ୍ଦରଗଡ଼ ସମେତ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ଦେବଗଡ଼, ଅନୁଗୁଳ, ପୁରୀ, ଖୋର୍ଧା, ବାଲେଶ୍ବର, ଢେଙ୍କାନାଳ, ଯାଜପୁର, କଟକ, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ପଡ଼ିବ। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଆସନ୍ତା ୮ ତାରିଖରେ ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପାଗ ମେଘୁଆ ସହ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି। ୯ ତାରିଖରେ ଉପକୂଳ ଜିଲ୍ଲାଗୁଡ଼ିକରେ ପାଗ ଶୁଖିଲା ଓ ଖରାଟିଆ ରହିବ। କିନ୍ତୁ ବାକି ସମସ୍ତ ଜିଲ୍ଲାଗୁଡ଼ିକରେ ପାଗ ମେଘୁଆ ଓ ସ୍ବଳ୍ପ ବର୍ଷା ହୋଇପାରେ। ଆଜି ଉତ୍ତର ଓଡ଼ିଶାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। କିନ୍ତୁ ୮ରୁ ୧୦ ତାରିଖ ଭିତରେ କୁହୁଡ଼ିର ସମ୍ଭାବନା କମ୍‌ ରହିବ ବୋଲି ପୂର୍ବାନୁମାନ କରାଯାଇଛି।

ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ ଆକଳନ ହେଉଛି ଯେ ପୂର୍ବ ଭାରତ ଉପରେ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସର ପ୍ରଭାବ ଓ ସମୁଦ୍ରସ୍ତରରୁ ୫.୮ କିମି ଊର୍ଦ୍ଧ୍ବରେ ଅପର‌୍‌ ଏୟାର ଟ୍ରଫ୍‌ ଲାଇନ୍‌ର ପ୍ରଭାବରେ ୮ ଓ ୯ରେ ଦୁଇ ଦିନ ଧରି ଆଭ୍ୟନ୍ତରୀଣ, ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଜାନୁଆରି ୮ ରାତିରେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା ହେବ। ଜାନୁଆରି ୧୦ରୁ ଦୁଇ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା କମିବାର ସମ୍ଭାବନା ରହିଥିବା ବେଳେ ଆଉ ଏକ ୱେଷ୍ଟର୍ଣ୍ଣ ଡିଷ୍ଟର‌୍‌ବାନ୍ସର ପ୍ରଭାବ ଉତ୍ତର ପଶ୍ଚିମ ଭାରତରେ ପଡ଼ିବ। ୧୨ରୁ ଦିନର ତାପମାତ୍ରା ବଢ଼ିବ।

ସମ୍ବନ୍ଧିତ ଖବର